ସାୟାହ୍ନାର ସଂଳାପ

ସାୟାହ୍ନର ସଂଳାପ


୧.

ସ୍ଵର ଉଚ୍ଚା ବିନା ଦାବି କରିବାର 

କଉଶଳ ଯିଏ ଜାଣେ , 

ବଳିଷ୍ଠ ଯୁକ୍ତିରେ ବଳୁଆମାନଙ୍କୁ 

ଜିଣିପାରେ ବାକ୍ୟ ବାଣେ । 


୨.

ମହତ୍ ଲୋକର ମହତ୍ ଗୁଣକୁ 

ସମ୍ମାନ ଦିଏନି ଯିଏ , 

ସମ୍ମାନର ସଂଜ୍ଞା ତାକୁ ପଛରିଲେ 

କହିକି ପାରିବ ସିଏ !


୩.

ଜାତି ହିତକାରୀ କେତେ ତିଷ୍ଠିଛନ୍ତି 

ପାଳି ମଣିଷ ଧରମ , 

ଜାତି ପାଇଁ ଯିଏ ଜୀବନ ଜିଇଁଛି 

ଧନ୍ୟ ତାହାର ଜନମ । 


୪.

ଅସୂୟା ଭାବନା ମଣିଷ ପଣକୁ 

ଗୋଟା ପଣେ ଗିଳି ଥାଏ । 

ମଣିଷକୁ ଭଲ ପାଇବା ମଣିଷ 

ମହା ମାନବ ବୋଲାଏ ।


୫.

ଗୁଣର ଗ୍ରାହକ ଗୁଣକୁ ଖୋଜନ୍ତି 

ରୂପକୁ ଦେଖନ୍ତି ନାହିଁ , 

ଗୁଣ ବିନା ଗୌଣ ସୁନ୍ଦର ପଣିଆ 

ଅଲୋଡ଼ା ଭଳିଆ ଥାଇ । 


୬.

ନିଜେ ହିଁ ନିଜର ସେବକ ପୂଜକ 

ଯିଏ କେବେ ହୋଇ ନାହିଁ , 

ସେ କେବେ ଅନ୍ୟର ପୂଜକ ସେବକ 

ହେବା ସଂଭାବନା ନାହିଁ । 


୭.

ଅନ୍ଧ ବିଶ୍ଵାସରେ ଅସୂୟା ନିଆଁରେ 

ଯେଉଁଠି ଜୀବନ ଜଳେ 

ଜଣେ ସତ୍ୟ ସଂଧ ସେଠି ପହଞ୍ଚିଲେ 

ନିଆଁ ଲିଭିପାରେ ବଳେ । 


୮.

ଆଡ଼ମ୍ବର ଶୂନ୍ୟ ଉଚ୍ଚ ଅଭିଳାଷ 

ଯାହାର ଜୀବନ ଧାରା , 

ସିଏ ସଭିଙ୍କର ସଭିଏଁ ତାହାର 

ହେଲେ ବି ସିଏ ନିଆରା ।


୯.

ସବୁ ତୀର୍ଥ ବ୍ରତ ପୂଜାର୍ଚ୍ଚନା ଆଦି - 

କର ସବୁ ଦେବତାଙ୍କୁ 

କିନ୍ତୁ ଭୁଲ ନାହିଁ ଚଳନ୍ତି ଦେବତା 

ଜନନୀ ଜନ୍ମଦାତାଙ୍କୁ । 


୧୦.

ଜିଜ୍ଞାସା ଭାବନା ମନ୍ଦ ନୁହେଁ ହେଲେ 

କିଛି ଜାଣିଗଲା ପରେ 

ଜାଣିବା ଲୋକଙ୍କୁ ଅଜ୍ଞ ମନେ କରି 

ଜବାବ ଦେଉ ଗର୍ବରେ ।



Comments

Popular Posts