Skip to main content
ଜିଜ୍ଞାସନୀୟ

(୧ )
ପ୍ରେମ ଚିରନ୍ତନ ପ୍ରାଚୀନ ହେଲେ ବି
ସର୍ବଦା ସଦ୍ୟ ନୂତନ
ଆବିଳତା ଆଦୌ ଲାଗେନା ତା’ଠାରେ
ତେଣୁ ସେ ଚିର ଅମ୍ଳାନ ।
(୨)
ଜୀବନ ଯୁଦ୍ଧରେ ଶହେ ଥର ହାରି
ଥରେ ଜିତିଥିବ ଯିଏ
ତାକୁହିଁ ପଚାର ଜୀବନର ସଂଜ୍ଞା
ବୋଧେ ଜାଣିଥୁବ ସିଏ ।
(୩ )
ଭଲ ପାଇବାର ସରିତ ସ୍ରୋତରେ
ଭାସି ଯାଇ ନାହିଁ ଯିଏ
ପ୍ରେମ ସାଗରର ଗଭୀରତା କେତେ
କେମିତି ବୁଝିବ ସିଏ ।
(୪)
ମଣିଷର କଥା କହି କହି ଯେଉଁ
ମଣିଷଟି ମରିଗଲା
ତା’ର ଉଦାରତା ଗୁଣକୁ ମଣିଷ
ସମ୍ମାନ ଦେଉ ନ ଥିଲା ।
(୫)
ଜୀବନର ଉତ୍ସ ପ୍ରେମ ହେଲେ ମଧ୍ୟ
ପ୍ରେମର ଉତ୍ସ ସ୍ୱନ୍ଦନ
ସ୍ୱନ୍ଦନ ଶୀତଳ ହେଲା ପରେ ଜୀବ-
ଶିବ ବି ଶବ ସମାନ ।
(୬)
ଜାଣିବାର ତାକୁ କୁହାଯାଏ , ଯିଏ
ମାନବିକତାକୁ ଜାଣେ
ମାନବୀୟ ବିନା ଯିଏ ଯେତେ ଜାଣୁ
ଗଣା ନୁହେଁ ଗୁଣି ଗଣେ ।
(୭)
ହସରେ ଲୁହରେ ପ୍ରେମ ମନ୍ଦିରଟି
ଗଢ଼ା ସ୍ନେହ ଶରଧାରେ
ପ୍ରତ୍ୟାଶା ନ ରଖି ପ୍ରେମରେ ପ୍ରେମକୁ
ପୂଜା ହୁଏ ସେହିଠାରେ ।
(୮)
ମାଟିର ମହିମା ମଣିଷର ଯଶ
ଯୁଗ ଯୁଗକୁ ଦୁର୍ଲଭ
ମଣିଷ ଭିତରେ ମଣିଷ ରହିଲେ
ମଣିଷ ଅମର ହେବ ।
(୯)
ବେଳେବେଳେ ପ୍ରେମ ଲୁହ ପିଇବାକୁ
ବାଧ୍ୟ କରୁଥା ସିନା
ହେଲେ ସେ ଲୁହରେ ଓଦାହୋଇ ନିଜେ
ଲାଘବ କରେ ବେଦନା ।
(୧୦)
ସବୁ ଧର୍ମଠାରୁ ଉତ୍କୃଷ୍ଟ ଗରିଷ୍ଠ
ଅଟଇ ମାନବ ଧର୍ମ
ମାନବୀୟ ବିନା ଯେଡ଼େ ମାନି ହେଉ
ତିଷ୍ଠି ପାରେନି ତା ’ ମାନ ।
(୧୧)
ଅକୁହା ଅଦେଖା ବେଦନା ସମୂହ
ଚିହ୍ନା ଚିହ୍ନା ଲାଗୁଅଛି
ଅଚିହ୍ନା ପ୍ରେମରେ ଚିହ୍ନା ମଣିଷର
ଆଖିରୁ ପ୍ରେମ ଝରୁଛି ।
(୧୨)
ଯନ୍ତ୍ରଣାରୁ ଯିଏ ଆନନ୍ଦ ସାଉଁଟି
ଜୀବନ ଜୀଇଁ ଜାଣିଛି
ତା ’ ଚରଣ ରେଣୁ ନ ପାଇ ନିରାଶେ
ଦୁଃଖରେ ଦୁଃଖ ଫେରିଛି ।
(୧୩ )
ସଂକୀର୍ଣ୍ଣତା ତାକୁ ଛୁଇଁପାରେ ନାହିଁ
ଯାହାକୁ କହୁଛେ ପ୍ରେମ
ସିଏ ହିଁ ସକଳ ଦୃଶ୍ୟ ଆହୃଶ୍ୟର
ପ୍ରାଣୀ ଜଗତର ପ୍ରାଣ |
(୧୪)
ଜୀବନ ଯେଉଁଠି ଲୁହରେ ହସୁଛି
ଖେଳୁଛି ଦୁଃଖ ନିଆଁରେ
ସେହି ଜୀବନକୁ ଦୁର୍ଲ୍ଲଭ କହିଲେ
ଭୁଲ କ’ଣ ହେଇପାରେ ।
(୧୫)
ଭଲ ପାଇବାର ମହତ ଗୁଣକୁ
ଭଲ ଭାବେ ଜାଣେ ଯିଏ
ତାକୁତ ଆଦରେ ପ୍ରେମ ସୌଦାଗର
କହି ପାରିବେ ସଭିଏଁ ।
(୧୬)
ମଣିଷକୁ ଭଲ ପାଇବା ମଣିଷ
ମଣିଷ ମଣିରେ ଗଣା
ମଣିଷ ଭିତରେ ମଣିଷ ନ ଥିଲେ
ମଣିଷର ମାନ ଜଣା ।
(୧୭)
ସମର୍ପଣ ଭାବେ ସମର୍ପିତ ହୋଇ
ପ୍ରେମକୁ ପୂଜିଛି ଯିଏ
ପ୍ରେମ ସାମ୍ରାଜ୍ୟରେ ପୂଜ୍ୟ ପ୍ରେମିକଟି-
ହୋଇ ରହିଥିବ ସିଏ ।
(୧୮)
ତ୍ୟାଗ ଆୟୁଧରେ ଲୋଭକୁ ସଂହାର
କରିପାରେ ଯେ ମଣିଷ
ଜଗତ ହିତରେ ନୀଳକଣ୍ଠ ପରି
ପିଇପାରେ ସବୁ ବିଷ |
(୧୯)
ପ୍ରେମତ କାହାଠୁ ନେଇ ନାହିଁ କିଛି
ଦେଇଛି ଦିବ୍ୟ ପାଉଣା
ଅଷ୍ଟସିନ୍ଧ ନବନିଧି ବି ଗଉଣା-
ହୋଇପାରେ ପ୍ରେମ ବିନା ।
(୨୦)
ସ୍ଵାର୍ଥାନ୍ଧ ମଣିଷ ସ୍ଵାର୍ଥସିଦ୍ଧି ପାଇଁ
ମଣିଷ ପଣିଆ ଭୁଲି
ଦୁଦ୍ଧାନ୍ତ ନିଷ୍ଠୁର-ମଣିଷ, ମଣିଷ-
ରକ୍ତରେ ଖେଳନ୍ତି ହୋଲି ।
(୨୧)
କେଉଁଠି ପରାସ୍ତ ହୋଇନାହିଁ ସିଏ
ଯାହାର ନାମଟି ପ୍ରେମ
ପ୍ରେମର ସାମର୍ଥ୍ଯ ଶୁଣିକି ସେଦିନ
ହାରିଯାଇଥିଲେ ଯମ ।
(୨୨)
ଜନମ ହୋଇଛ ମରିବତ ଥରେ
ମର ନାହିଁ ବାରମ୍ବାର
ଏମିତିକା କିଛି କରନ୍ତୁ ଯେମିତି
ଜଗତେ ହେବ ଅମର |
(୨୩)
ଶବ ସହ ପ୍ରେମ ଶୁଶାନକୁ ଯାଏ
ବେଦନା ବୋଝ ମୁଣ୍ଡେଇ
ଶ୍ମଶାନରୁ କିଛି ସାନ୍ତ୍ବନା ପାଇଣ
ଫେରେ କାନ୍ଦ କାନ୍ଦ ହେଇ ।
(୨୪)
ଗନ୍ଧହୀନ ପୁଷ୍ପ ଗୌରବ ନ ପାଇ
ନିତି ଝଡ଼ୁଥାଏ କେତେ
ଗୁଣ ବିନା ଗୌଣ ମାନବର ମାନ
ଥିଲେ ଥାଉ ଧନ ଯେତେ ।
(୨୫)
ସ୍ନେହ ଶରଧାର ମୂଳଦୁଆ ପ୍ରେମ
ଖୁସି ବାଣ୍ଡି ବୁଲେ ନିତି
ସେଠାକୁ ବି ଯାଏ ଯେଉଁଠି ସମସ୍ତେ
ଲୁହରେ ଗାଧୋଉ ଥା'ନ୍ତି ।
(୨୬)
ସମସ୍ୟାର ଉତ୍ସ ସଂସାର ହେଲେ ବି
ସଂସାର ସଂସାରି ବିନା
ଅନ୍ୟ ଉପାୟରେ ତିଷ୍ଠି ପାରିବନି
ବିଧାତାର କାରଖାନା ।
(୨୭)
ଛଳନାର ଛାଇ ପଡ଼େନି ସେଇଠି
ଯେଉଁଠି ପ୍ରେମର ବସା
ସପନରେ ମଧ୍ୟ ପ୍ରେମ ରଖେ ନାହିଁ
କିଛି ପାଇବାହ ଆଶା ।
(୨୮)
ଅନ୍ୟର ଉନ୍ନତି ଦେଖୁଦେଖୁ ଯିଏ
ଈର୍ଷାନଳେ ଜଳୁଥାଏ
ଆପଣା ଉନ୍ନତି କରିବା କୌଶଳ
ଜାଣି ପାରିବନି ସିଏ |
(୨୯)
ପ୍ରେମିଙ୍କର ହିତ ସାଧନରେ ପ୍ରେମ
ଅହରହ ରତ ଥାଏ
ଅନ୍ତିମ କାଳରେ ପ୍ରେମୀଙ୍କୁ ପ୍ରେମରେ
ପ୍ରେମ ରାଇଜକୁ ନିଏ ।
(୩୦)
ମରିବା ପୂର୍ବରୁ ଇଚ୍ଛା ମୋର ଯାହା
ସମାଜକୁ ଜଣାଇବି
ସମାଜ ମୋ କଥା ବୁଝୁକି ନ ବୁଝୁ
ମୋ କର୍ତ୍ତବ୍ୟ ମୁଁ କରିବି ।
(୩୧ )
ପ୍ରେମତ ପ୍ରେମରୁ ସୃଷ୍ଟି ହୁଏ ପୁଣି
ବିଲୀନ ହୁଏ ପ୍ରେମରେ
ପ୍ରେମ ବିନା କିଛି ଜଗତରେ ନାହିଁ
ଜଗତ ଅଛି ପ୍ରେମରେ ।
(୩୨)
କିଏତ ଏଇଠୁ ନେଇ ନାହିଁ କିଛି
ତମେ ଅବା କ’ଣ ନବ !
ମୋର, ମୋର ବୋଲି ଯାହା ସାଇତିଛ
ସବୁ ଏଇଠି ରହିବ ।
(୩୩)
ବ୍ରହ୍ମାଣ୍ଡଠୁ ବଡ଼ ପ୍ରେମର ବଳୟ
ମାପକାଠି ତା'ର ନାହିଁ
ପ୍ରେମହିଁ ପ୍ରେମକୁ ମାପିପାରେ ମାତ୍ର
ପ୍ରେମର ବିକଳ୍ପ ନାହିଁ ।
(୩୪)
ସୁଖ ଦୁଃଖ ବେନି ଜୀବନ ମୁଦ୍ରାର
ଦୁଇପଟେ ବିଦ୍ୟମାନ
ଆଦିମ କାଳରୁ ରହିଛି ରହିବ
ଯାହା ବିଧୂର ବିଧାନ ।
(୩୫)
ପ୍ରେମର ସ୍ରୋତରେ ଭାସିଗଲେ ପ୍ରେମ
ପ୍ରେମ ସାଗରେ ମିଶିବ
ନୈତିକତା ବିନା ତିଷ୍ଠିବନି ପ୍ରେମ
ଅଦିନେ ଉଭେଇ ଯିବ ।
(୩୬)
ଆଖୁର ଠିକଣା ଲୁହ ଜାଣେ ନାହିଁ
ଲୁହର ଠିକଣା ଆଖି-
ଜାଣେ ନାହିଁ ବୋଲି ବଳିଷ୍ଠ ପ୍ରମାଣ
ହସ ସାଇତି ରଖୁଛି ।
(୩୭)
ପ୍ରେମ ଅଦ୍ଵିତୀୟ ଚିରନ୍ତନ ହେତୁ
ଉପମା ଦେଇ ହୁଏନି
ସେଥ୍ପାଇଁ ତାକୁ ଅନୁପମ ବୋଲି
କହୁଥାନ୍ତି ଗୁଣୀ ଜ୍ଞାନୀ ।
(୩୮)
ଅଶ୍ରୁ ସରିତକୁ ନିଜେ ଶୋଷି ନେଇ
ଅନ୍ୟକୁ ହସାଏ ଯିଏ
ତା ’ ତୁଲ୍ୟ ଉପାଧ୍ କ’ଣ ଦିଆଯିବ
ବୁଝିନି ମୁଁ ଆଜିଯାଏଁ ।
(୩୯)
ଜହ୍ନରେ ଜ୍ୟୋତ୍ସ୍ନାରେ କଇଁ ଆଶ୍ଳେଷରେ
ଗୋଲାପର ଗାଲିଚାରେ
ତରୁଣୀ ତନୁରେ ଶିଶୁର ହସରେ
ପ୍ରେମ ଲୁଚକାଳି ଖେଳେ ।
(୪୦)
ମୃତ୍ୟୁ ଅଧ୍ଵନରେ ଜୀବନ ଥିଲେ ବି
ସ୍ଵପ୍ନ ତା’ର ଅସରନ୍ତି
ସପନ ସାକାର କରିବ ବୋଲି ସେ
ମାନେନି କୌଣସି ନୀତି |
(୪୧)
ଯେ ଯେତେ ବିରାଟ ହେଇଥାଉ ତାକୁ
ବାନ୍ଧିହେବ ପ୍ରେମ ଡୋରେ
ପ୍ରେମର ମହତ ପ୍ରେମ ଠାରୁ ବେଶି
ଆଉ କ’ଣ ହେଇପାରେ !
(୪୨)
ଦୁଃଖାଳୟ ବୋଲି ଯାହାକୁ କହୁଛେ
ନାମଟି ତା’ର ସଂସାର
ସଂସାରରୁ ସୁଖ ପାଇବା, ଆକାଙକ୍ଷା
କେବଳ ବୃଥା ବିୟର ।
(୪୩)
ପ୍ରେମ ଦରିଆର ଦିଗ୍ବଳୟରୁ
ପ୍ରେମ ଛୁଏଁ ଆକାଶକୁ
ପ୍ରେମରେ ଆକାଶ ସିକ୍ତ ହେଲାପରେ
ମେଲାଣି ଦିଏ ପ୍ରେମକୁ ।
(୪୪)
ସବୁ ଦୁଃଖାଗ୍ନିକୁ ଆନନ୍ଦ ଅଶ୍ରୁରେ
ଓଦା କରିଥାଏ ଯିଏ
ଲୁହର ଠିକଣା ଜାଣିନି ବୋଲି ସେ
ଡେଙ୍ଗୁରା ବଜାଇ କହେ |
(୪୫)
ପ୍ରେମକୁ ମୁଣ୍ଡାଇ ଫୁଲ ସବାରିରେ
ବସନ୍ତ ଆସିବ ବୋଲି
ପଲ୍ଲବିତ ତରୁ ତୃଣ ପୁଲକିତ
ମହକୁଛି ପୁର ପଲ୍ଲୀ |
(୪୬)
ରୂପଠାରୁ ବେଶି ଗୁଣକୁ ପ୍ରାଧାନ୍ୟ
ଦେଉଥାନ୍ତି ଗୁଣୀ ଗଣ
ଯେଉଁଠି ଉତ୍ତମ ଗୁଣର ଅଭାବ
ରୂପରେ କି ପ୍ରୟୋଜନ ।
(୪୭)
ଏମିତିକା ସ୍ଵପ୍ନ ଦେଖୁଥାଏ ସ୍ଵପ୍ନ
ନିଦର ନିଦ ଚୋରାଇ
ସ୍ବପ୍ନର ନିଦକୁ ଚୋରିକଲା ପ୍ରେମ
ନିଜେ ଉଜାଗର ରହି ।
(୪୮)
ସ୍ଵାଭିମାନ କେବେ ହରାଏନି ସିଏ
ଯିଏ ଜଳି ଜଳି ଜିଏଁ
ଜଳିବାକୁ ଯିଏ ଭଲପାଏ ତାକୁ-
ଦୁଃଖ ଦେଖୁ ଡରିଥାଏ ।
(୪୯)
ସପନ ଓ ନିଦ ପ୍ରେମର ସମ୍ବାଦ
ପଢ଼ି ହେଲେ ଆଚମ୍ବିତ
ପ୍ରେମର ସ୍ବରୂପ ଖୋଜି ଥକିଗଲେ
ପାଇଲେନି ଆଦି ଅନ୍ତ ।
(୫0)
ଜୀବନ ଯାତ୍ରାରେ ପ୍ରତ୍ୟେକ ମୋଡ଼ରେ
ମୃତ୍ୟୁ ସହ ଭେଟ ହୁଏ
ତଥାପି ଅମର ଅଭିଳାଷୀ ନର
ମରି ମରି ବଞ୍ଚୁଥାଏ ।
(୫୧)
ନିରଳସ ଭାବେ କର୍ମଠ ହେବାକୁ
ସୂଚନା ଦେଉଛି ପ୍ରେମ
ପ୍ରେମର ଉଦ୍ଦେଶ୍ୟ ବୁଝିଗଲା ପରେ
ରହେନି କିଛି ବିଷମ ।
(୫୨)
କେଉଁ ଉଦ୍ଦେଶ୍ୟରେ ତୀର୍ଥକୁ ଯାଉଛ
ସେକଥା ତମକୁ ଜଣା
ଚଳନ୍ତି ଦିଅଁଙ୍କୁ ହତାଦର କଲେ
ତୀର୍ଥରୁ କିଛି ମିଳେନା ।
(୫୩)
ହାତ ମୁଠା କରି ଆସିଥିଲା ପ୍ରେମ
ଯିବ ଦିନେ ହାତ ଖୋଲି
ଯିବା ଓ ଆସିବା ମଧ୍ୟ ଭାଗରେ
ଦିବ୍ୟତାକୁ ଥାଏ ଭୁଲି ।
(୫୪)
ଯାହାହେଲେ କିଛି ନେବାକୁ ସର୍ବଦା
ବ୍ୟସ୍ତ ହେଉଛ କାହିଁକି ?
ନେବାଠୁ ଦେବାରେ ଆନନ୍ଦ ଅଧିକ
ଏକଥା ଜାଣି ନାହଁକି !
(୫୫)
ପ୍ରେମ ରାଇଜରେ ପ୍ରେମ ହଜିଗଲେ
ପ୍ରେମକୁ ହିଁ ପ୍ରାପ୍ୟ ହେବ
ଭୌତିକ ବିଭବ ଯେତେ ଥିଲେ ଥାଉ
ତା’ଠାରୁ ପ୍ରେମ ଦୁର୍ଲ୍ଲଭ ।
(୫୬)
ଯନ୍ତ୍ରଣା ଜୁଇରେ ଜଳାଇ ବିଧାତା
ଚକିତ ହେଲେଣି ବୋଲି
କିଏ ସେ କେଜାଣି ସାନ୍ତ୍ଵନା ଦିଅନ୍ତି
କାନର କବାଟ ଖୋଲି ।
(୫୭)
ସକଳ ପ୍ରାଣୀଙ୍କ ପ୍ରାଣର କେନ୍ଦ୍ରରେ
ପ୍ରେମ ସକ୍ରିୟ ସାଧକ
ନିରନ୍ତର ସାଧନାରେ ରତ ରହି
ଟେକି ରଖୁଛି ତା’ ଟେକ ।
(୫୮)
ସମସ୍ତଙ୍କ ଠାରୁ ସାନ ମନେକଲେ
ସମସ୍ତଙ୍କ ଆଶୀର୍ବାଦ
ଅଯାଚିତ ଭାବେ ପ୍ରାପ୍ତ ହୁଏ ଯାହା
ଲାଘବ କରେ ପ୍ରମାଦ ।
(୫୯)
ପ୍ରେମଠୁ ପ୍ରେମର ଦୂରତାକୁ ମାପି
ପ୍ରେମରେ ମିଶିଲା ପ୍ରେମ
ପ୍ରେମ ମାନେ କ’ଣ ବୁଝିପାରିନି ମୁଁ
ପ୍ରେମର ସ୍ୱକୀୟ ଧର୍ମ ।
(୬୦)
ଦେଖିବାକୁ ମନା ହସିବାକୁ ମନା
ଭଲ ପାଇବାକୁ ମନା
ମନା ମାନଙ୍କର ମନାକୁ ମାନିଲେ
ବଳିଷ୍ଠ ହେବ ବେଦନା ।
(୬୧)
ଜୀବନ୍ତ ନଈର ଜଳଧାରା ପରି
ସଦା ପ୍ରବାହିତ ପ୍ରେମ
ଉଛୁଳା ନଈର ଉତ୍ତାଳ ଊର୍ମିକୁ
କରିପାରେ ଅତିକ୍ରମ ।
(୬୨)
ସ୍କୁଳ ନେତ୍ରେ କିଏ ଦେଖନାହିଁ ତାକୁ
ସିଏ ସବୁଠାରେ ଅଛି
ଅନୁଭବି କହେ ତା ’ ସତ୍ତା ବ୍ୟତୀତ
ଜଗତରେ ନାହିଁ କିଛି ।
(୬୩)
ସବୁ ସମସ୍ୟାକୁ ସହ୍ୟ କରେ ପ୍ରେମ
ଛାଇ ଦାତା ଦ୍ରୁମ ପରି
ଧୈର୍ଯ୍ୟ ନ ହରାଇ ତିଷ୍ଠି ରହିଥାଏ
ଶାନ୍ତିର ଆୟୁଧ ଧରି ।
(୬୪)
ପଦ୍ମିନୀକୁ ହିତ ତପନ କିରଣ
ଜଳ ଥିଲେ ସରୋବରେ
ଜଳ ବିନା ତିଷ୍ଠି ପାରିବନି ସିଏ
ବସନ୍ତ ଫେରିଲା ପରେ |
(୬୫)
ପ୍ରେମ କଉଡ଼ିରେ ପ୍ରେମକୁ କିଣିଲେ
ପ୍ରେମର ମର୍ଯ୍ୟାଦା ବଢ଼େ
ପ୍ରେମ ସୌଦାଗର କଉଡ଼ି ବଦଳେ
ପ୍ରେମକୁ ପ୍ରେମରେ ଲୋଡ଼େ ।
(୬୬)
କିଛିତ ଆଣିନ କିଛିତ ନେବନି
ଲୋଭ କିଆଁ କର ଏତେ
ଏମିତିକା କିଛି କରନ୍ତୁ ଯେମିତି
ଯଶ ରହିବ ଜଗତେ ।
(୬୭)
ଚମ୍ପକ ରଙ୍ଗରେ, ମଲ୍ଲି ମହକରେ
ବାରିଦର ବାହୁ ତଳେ
ପ୍ରେମ ହିଁ ପ୍ରେମକୁ ପ୍ରେମ କରେ ବୋଲି
କହନ୍ତି ଭ୍ରମର ମାନେ ।
(୬୮)
ଯେଉଁ ଘରେ ଆଦୌ ମନ୍ଦଗୁଣ ନାହିଁ
ସେ ଘରର ଛାତ ସ୍ଵର୍ଗ
ସେଇଠି ଜୀବନ-ଦୀପ ଲିଭୁ ଲିଭୁ
ମିଳିପାରେ ଅପବର୍ଗ ।
(୬୯)
ପ୍ରେମ ବିଚ୍ଛେଦରେ ପ୍ରେମ ଯେବେ କାନ୍ଦେ
ପ୍ରେମ ତ ସାନ୍ତ୍ଵନା ଦିଏ
ପ୍ରେମ ପସରାରେ ପ୍ରେମ ହଜିଗଲେ
ପ୍ରେମକୁ ଖୋଜିବ କିଏ ?
(୭୦)
ସମସ୍ୟା ବିହୀନ ଜୀବନର ସଂଜ୍ଞା
ରୁଚିକର ଲାଗେ ନାହିଁ
ସମସ୍ୟାକୁ ଯିଏ ସମାଧାନ କରେ
ସାହସି ସଂଗ୍ରାମୀ ସେହି ।
(୭୧)
ସଦ୍ୟ ସକାଳରେ ଦୁବ ଗାଲିଚାରେ
ନୀହାର ବିନ୍ଦୁ ଉପରେ
ମନ ଉଲ୍ଲାସରେ ପ୍ରେମ ଚାଲୁଥାଏ
ସାଧବ ବୋହୂ ସାଙ୍ଗରେ ।
(୭୨)
ଅବିବେକି ପଣେ ଇତର ଜନଙ୍କୁ
ଯିଏ ଅନାଦର କରେ
ବେଳ ଥାଉ ଥାଉ ଭେଳା ବୁଡ଼େ ତା’ର
ସିଏ ଘୃଣ୍ୟ ସମାଜରେ ।
(୭୩)
ଆଷାଢ଼ ଆସିଲେ ବରଷା ମାଟିକୁ
ଛୁଇଁଲେ ମହକେ ମାଟି
ମାଟିରୁ ମହକ ସାଉଁଟି ମଣିଷ,
ପ୍ରେମକୁ ଦିଅନ୍ତି ଭେଟି ।
(୭୪)
ସମସ୍ତ ଦୁଃଖକୁ ସହିଗଲା ପରେ
ଯଦି ସୁଖ ପ୍ରାପ୍ୟ ହେବ
ସେହିଭଳି ସୁଖ ଲୋଡ଼ିବିନି ଯାହା
ଅନ୍ୟକୁ ଦୁଃଖ୍ କରିବ ।
(୭୫)
ପ୍ରେମ ସଡ଼କରେ ଯାଉଯାଉ ପ୍ରେମ
ଝୁଣ୍ଟୁ ଥାଏ ବେଳେ ବେଳେ
ତଥାପି ସଂଯମ ରକ୍ଷା କରି ସିଏ
ଚାଲୁଥାଏ କଉଶଳେ ।
(୭୬)
ସର୍ବ ଶ୍ରେଷ୍ଠ ଉଚ୍ଚ ଆସିନେ ଥାଇବି
ସୁଖ ଜାଣେ ନାହିଁ ସିଏ
ନୈତିକତା ଭୁଲି ଭୌତିକ ବିଳାସ
ପଛରେ ଧାଉଁଛି ଯିଏ ।
(୭୭)
ପ୍ରେମ ପତ୍ରଟିଏ ଲେଖିଥିଲା ପ୍ରେମ
ପ୍ରେମକୁହିଁ ଦେବା ପାଇଁ
ହେଲେ ତା ’ ଠିକଣା ହଜାଇ ଖୋଜୁଛି
ଏଯାବତ୍ ପାଇ ନାହିଁ ।
(୭୮)
ତାକୁ କେବେ କିଛି ନ ମାଗିଲେ ମଧ୍ୟ
ଯାହା ଆବଶ୍ୟକ ଦିଏ
ତା’ର ପ୍ରତିଦାନ ପାଇବାର ଆଶା
କେବେ କରିନାହିଁ ସିଏ ।
(୭୯)
ସବୁ ଯନ୍ତ୍ରଣାର ଉପଶମ ପାଇଁ
ଯାହା ଆବଶ୍ୟକ ହୁଏ
ସେ ସବୁ ସାଇତି ରଖୁଥାଏ ପ୍ରେମ
ଆବଶ୍ୟକସ୍ଥଳେ ଦିଏ ।
(୮୦)
ବିଭବ ଲାଳସା ମରିଗଲା ପରେ
ବୈରାଗ୍ୟ ଜନମ ହୁଏ
ବୈରାଗ୍ୟରୁ ତ୍ୟାଗ ଜନ୍ମିଲେ ଭୌତିକ
ବନ୍ଧନ ବିଚ୍ଛିନ୍ନ ହୁଏ ।
(୮୧)
ଶୀତ ସକାଳରେ ଆଈ ମା ’ କୋଳରେ
ପ୍ରେମ ଜାକୁଳୁକୁ ହୋଇ
ପ୍ରେମ ପଣତର ତଳେ ରହିଥାଏ
ପ୍ରେମର ସାନ୍ନିଧ୍ୟ ପାଇ ।
(୮୨)
ସୂକ୍ଷ୍ମ ଜଗତରୁ ସ୍ଥୂଳ ରାଇଜକୁ
ଅତିଥୁ ଭଳିଆ ଆସି
ମାଟିର ମୋହରେ ବଶ ହୁଏ ଜୀବ
କ୍ଷଣିକ ସୁଖରେ ଫସି ।
(୮୩)
ଫୁଲ ବଗିରରେ ଶରତ ସକାଳେ
ପବନ ପିଠିରେ ବସି
ପ୍ରଜାପତି ସଙ୍ଗେ ବୁଲୁଥାଏ ପ୍ରେମ
ଖୁସିରେ ଖୁସି ପରସି ।
(୮୪)
ବିନ୍ଦୁ ପଣତରେ ସିନ୍ଧୁ ଲୁଚିପାରେ
ନମ୍ରତା ଆପଣାଇଲେ
ସିନ୍ଧୁଏ ଯଶକୁ ଅହଙ୍କାର ଅଗ୍ନି-
କଣା ଜାଳି ଦେଇପାରେ ।
(୮୫)
ସୁର ପୁର - ସୁଖ ପ୍ରେମକୁ ପ୍ରଣାମ
ମଥା ନୁଇଁ କରିଥାଏ
ପ୍ରଣୟ ସୁଖକୁ ପାଇବା ଆଶାରେ
ସ୍ଵୟଂକୁ ସମର୍ପି ଦିଏ ।
(୮୬)
ମର୍ତ୍ତ୍ୟ ମାଟିର ମହକ ମଦିରା
ମତୁଆଲା କରେ ବୋଲି
ନାଗ ଲୋକ ଛାଡ଼ି ଦେବଦେବୀ ଗଣ
ମର୍ତ୍ତ୍ୟକୁ ଆସନ୍ତି ବୁଲି ।
(୮୭)
ସମଗ୍ର ସୃଷ୍ଟିଟି ପ୍ରେମମୟ ବୋଲି
କହୁଛନ୍ତି ଜ୍ଞାନୀ ଗୁଣୀ
ଭଗବାନଙ୍କର ଅନ୍ୟ ନାମ ପ୍ରେମ
ଜାଣନ୍ତିନି କିଛି ପ୍ରାଣୀ ।
(୮୮)
ଜଞ୍ଜାଳ ଜୁଇରେ ଯେଉଁ ଜୀବନଟି
ଅହରହ ଜଳୁଥାଏ
ସେଇ ଜୀବନଟି ବଞ୍ଚିବାର କଳା
ସଭିଙ୍କୁ ଶିଖାଇ ଯାଏ ।
(୮୯)
ସ୍ଥାବର ଜଙ୍ଗମ ସବୁଥରେ ପ୍ରେମ
ଥିବାର ମିଳେ ପ୍ରମାଣ
ପ୍ରେମର ପରଶ ପାଇଥିଲା ବୋଲି
କଥା କହିଛି ପାଷାଣ ।
(୯୦)
ଅଜ୍ଞାନ ଅନ୍ଧାରେ ହଜିପାରେ ରବି
ଆଲୋକର ସନ୍ଧାନରେ
କ୍ଷୁଦ୍ର ଖଦ୍ୟୋତଟି ନିର୍ଭୀକ ଭାବରେ
ଅନ୍ଧାରକୁ ଚିରିପାରେ ।
(୯୧)
ନିଦାଘ ଦାଉରେ ସିଝିଲେ ବି ପ୍ରେମ
ସବୁଜିମା ହାରେ ନାହିଁ
ସାୟାହ୍ନେ ଶୀତଳ ସମୀରଣ ସ୍ପର୍ଶେ
ଯାତନା ଯାଏ ଉଭେଇ ।
(୯୨)
ଯିଏ ଯାହା କରେ ସିଏ ତାହା ପାଏ
ଏହି ବାଣୀକୁ ବୁଝୁନା
ସୁଖର କାମନା କରିଥାଉ ବୋଲି
ସହୁ ଦୁଃଖର ବେଦନା ।
(୯୩)
ପ୍ରେମକୁ ବି ରୋଗ ସମ୍ବୋଧନ କରି
କହନ୍ତି କେତେକ ଲୋକ
ଅପ୍ରେମୀ ମାନଙ୍କ କଥା ଶୁଣି ଶୁଣି
ପ୍ରେମୀ ହୁଅନ୍ତି ଅବାକ୍ ।
(୯୪)
ଉତ୍ସର୍ଗୀତ ଭାବେ ଜିଇଁବା ମଣିଷ
ଜନ ଜଗତେ ବିରଳ
ନିଜ ସ୍ୱାର୍ଥ ଚିନ୍ତା କରିବା ମଣିଷ
ମଣିଷ ମେଳେ ପ୍ରବଳ ।
(୯୫)
କୋକିଳ କଣ୍ଠରେ ବଉଳ ବାସ୍ନାରେ
ବସନ୍ତର ମୁକୁଟରେ
ନୃତ୍ୟଶିଳ୍ପୀ ପରି ନାଚୁଥାଏ ପ୍ରେମ
ହୋଲିର ରଙ୍ଗ ଉପରେ ।
(୯୬)
ଫୁଟିଲା ଫୁଲର ମହକ ବ୍ୟାପକ
ଯାହା ଫୁଲର ବିଭବ
ସେ ଯେତେ ଦୁର୍ଲ୍ଲଭ ହେଉନା କାହିଁକି
ତାହା ସଭିଙ୍କୁ ସୁଲଭ ।
(୯୭)
ଉଦାରତା ଗୁଣ ଆପଣାଇବାକୁ
ପ୍ରେମ କହେ କାନେ କାନେ
ଶତ୍ରୁ ମିତ୍ର ଭାବ ଉର୍ଦ୍ଧ୍ବରେ ରହିଲେ
ଆନନ୍ଦ ମିଳେ ଜୀବନେ ।
(୯୮)
ଅନ୍ୟର ଆଖିରେ ଲୁହ ଦେଖୁଲେ ଯା’
ଆଖିରୁ ଲୁହ ଝରୁଛି
ସେ ଲୁହର ମୂଲ୍ୟ ନ ଦେଇ ମଣିଷ
ତାକୁ ନିକମା କହୁଛି ।
(୯୯)
ରାତି ଅଗଣାରେ ଜ୍ୟୋତ୍ସ୍ନାର ପଣତ-
ପାରି ଜହ୍ନ ଶୋଇଥିଲା
ପ୍ରଭାତେ ତପନ କିରଣରେ ଜହ୍ନ
ଜୋଛନାକୁ ହରାଇଲା ।
(୧୦୦)
ପ୍ରେମର ସଂଜ୍ଞାକୁ ଖୋଜୁ ଖୋଜୁ ଦିନେ
ଥକି ପଡ଼ିଥୁଲି ସିନା
ଦୈବାତ୍ ତା’ ସଂଜ୍ଞା ସ୍ଵଳ୍ପ ପାଇବାରୁ
ଲେଖଲି ତା’ର ନମୁନା ।
(୧୦୧)
ପ୍ରେମରେ ପ୍ରେମକୁ ଯୁକ୍ତ କଲେ ପ୍ରେମ
ପ୍ରେମରୁ ପ୍ରେମକୁ ଫେଡ଼ିଲେ,
ଅବଶିଷ୍ଟ ପ୍ରେମ ରହିଥାଏ ବନ୍ଧୁ
- ପ୍ରେମକୁ ପ୍ରେମରେ ହରିଲେ ।
Comments
Post a Comment