ଦିବ୍ୟାନୁଭବ

ଦିବ୍ୟାନୁଭବ

  ହେ ମାନବ ସମାଜର ଉତ୍ତରାଧୁକାରୀମାନେ, ତମ ଭଳି ଗୋଟିଏ ସୁମନ କଳିକାର କଥା କହିବି ଯାହା ତମେ ଜାଣିବା ଦରକାର । ପଲ୍ଲୀ ବା ସହର କହିହେବ ନାହିଁ ଏମିତି ଗୋଟିଏ ଗାଆଁ, ସେ ଗାଆଁର ନାମ ସଦାନନ୍ଦପୁର, ସେ ଗାଆଁର ବିଦ୍ୟାଳୟର ନାମ ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଠାରେ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହୁଏ । ସେ ବିଦ୍ୟାଳୟରେ ଅଧ୍ୟୟନ କଲାଠାରୁ ଅର୍ଥାତ୍ ପ୍ରଥମ ଶ୍ରେଣୀ ଠାରୁ ଷଷ୍ଠ ଶ୍ରେଣୀଯାଏ ପ୍ରଥମ ସ୍ଥାନ ଅଧିକାର କରିଥିଲା ଗୋଟିଏ ଛାତ୍ରୀ । ଛାତ୍ରୀ ଜଣକର ନାମ ତପସ୍ବିନୀ । କିନ୍ତୁ ଏବେ ସେ ସପ୍ତମ ଶ୍ରେଣୀରେ । 

    କେଉଁ ସଂସ୍କାର ବଳରେ କେଜାଣି ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରଥମରୁ ହିଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆଦରଣୀୟ ହେବା ସାଙ୍ଗକୁ ଉତ୍ତମ ଛାତ୍ରୀର ମାନ୍ୟତା ପ୍ରାପ୍ତ କରି ସାରିଥିଲା ତପସ୍ବିନୀ । 

    ରୀତିମତ ସେ ବିଦ୍ୟାଳୟରେ ପ୍ରାର୍ଥନା ପରିସମାପ୍ତି ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେ ଯା’ର ଶ୍ରେଣୀ କକ୍ଷରେ ପ୍ରବେଶ କରି ଆପଣା କର୍ଭବ୍ୟ ତୁଲାଇଥାନ୍ତି ।

    ଏଠାରେ କେବଳ ସପ୍ତମ ଶ୍ରେଣୀ କଥା କହିବି, ଦିନେ ପ୍ରାର୍ଥନାର ପରିସମାପ୍ତି ପରେ, ସପ୍ତମ ଶ୍ରେଣୀର ସମସ୍ତ ଛାତ୍ର ଓ ଛାତ୍ରୀମାନେ ନିଜ ଶ୍ରେଣୀ କକ୍ଷରେ ପରସ୍ପର ମଧ୍ୟରେ ପାଠ ସମ୍ବନ୍ଧୀୟ କିଛି ଆଲୋଚନା କରୁଥିବା ସମୟରେ ତାଙ୍କ ଗୁରୁଜୀ ପ୍ରବେଶ କଲେ ଓ ସବୁଦିନ ଭଳି ସେ ଦିନ ବି ଛିଡ଼ା ହୋଇ ଗୁରୁଜୀଙ୍କୁ ପ୍ରଣାମ କଲେ । ହେଲେ ଗୁରୁଜୀ ସବୁଦିନ ଭଳି ସେଦିନ ଛାତ୍ର ଛାତ୍ରୀମାନଙ୍କୁ ବସିବାକୁ କହିଲେ ନାହିଁ, କାରଣ ଗୁରୁଜୀକର ଉଦ୍ଦେଶ୍ୟ ଭିନ୍ନ ଥିଲା ସେଦିନ ।

    ସେ ଛାତ୍ର ଓ ଛାତ୍ରୀଙ୍କର ହିତେଚ୍ଛୁ ହୋଇଥିବାରୁ ଛାତ୍ର ଛାତ୍ରୀଙ୍କର ସାଧାରଣ ଜ୍ଞାନ ପରଖିବା ନିମନ୍ତେ ଜଣ ଜଣକୁ ମୌଖିକ ପ୍ରଶ୍ନ ପଚାରିଲେ ଯିଏ ଯାହା ଉତ୍ତର ଦେଲେବି, ତାକୁ ବସିବାକୁ କହିଲେ । ମାତ୍ର ତପସ୍ବିନୀର ଉତ୍ତରରେ  ମୁଗ୍ଧ ହୋଇଥିଲେ ଗୁରୁଜୀ । ତପସ୍ବିନୀ ପାର୍ଶ୍ୱରେ ଥିଲା ସମ୍ଭ୍ରାନ୍ତ ପରିବାରର ଝିଅ ତେଜସ୍ବିନୀ । ତେଜସ୍ବିନୀ ଏମିତି ଉତ୍ତର ଦେଲା ଯେ ଗୁରୁଜୀ ବାଧ୍ୟ ହେଲେ ପାହାରେ ପିଟିବାକୁ । ସେତିକିରେ ତେଜସ୍ବିନୀ ଲାଜରେ ମୁଣ୍ଡ ନୂଆଁଇ କାନ୍ଦିପକାଇଲା । ତେଜସ୍ବିନୀର କାନ୍ଦ ଶୁଣି ସ୍ବଭାବିକଭାବେ ତପସ୍ବିନୀ ଆଖିରୁ ଲୁହ ନିଗିଡ଼ିଲା । କାହିଁକିନା ତପସ୍ବିନୀ କାହାର ଦୁଃଖ ସହି ପାରେନା । 

    ବିଦ୍ୟାଳୟ ବାର୍ତ୍ତାକୁ ଏଇଠି ରଖୁଛି । ଏବେ ତପସ୍ବିନୀର ଘର କଥା କିଛି  କହିବି । ଦିନେ ତପସ୍ବିନୀର ଜେଜେମା ମନ୍ଦାକିନୀ ଦେବୀ ତପସ୍ବିନୀକୁ ଖାଇବାକୁ ଦେଉ ଦେଉ ଜଣେ ପଡ଼ୋଶୀ ସ୍ତ୍ରୀ ଲୋକ ଡାକ ପକାଇଲେ । ତପସ୍ବିନୀର ଜେଜେମା ମୋ କଥା ଟିକେ ଶୁଣିବକି ! ଟିକେ ରୁହ କହି ମନ୍ଦାକିନୀଦେବୀ ତପସ୍ବିନୀକୁ ଖାଇବାକୁ ଦେଲାପରେ ପଡ଼ୋଶୀଙ୍କ କଥା ବୁଝିବାକୁ ଗଲେ । ସେତିକି ବେଳେ ମିଆଁଉ ମିଆଁଉ କରି ବିରାଡ଼ି ଛୁଆଟି ତପସ୍ବିନୀର  ପାଖକୁ ଗଲା । ତପସ୍ବିନୀ ତା ଖାଦ୍ୟରୁ ଅନ୍ୟଏକ ପାତ୍ରରେ ବିଲେଇ ଛୁଆକୁ ଖାଇବାକୁ ଦେଉଥିଲା । ତେଣେ ମନ୍ଦାକିନୀ ଦେବୀ ପଡ଼ୋଶୀଙ୍କ ସହ କ'ଣ କଥା ହେଲେ କେଜାଣି, ମାତ୍ର ଠିକ୍ ସମୟରେ ଘରକୁ ଆସି, ତପସ୍ବିନୀର  କାର୍ଯ୍ୟକଳାପ ଦେଖି ଇଏ କ'ଣ କରୁଛି ବୋଲି ପ୍ରଶ୍ନ କରୁ କରୁ ତପସ୍ବିନୀ କହିଲା, ବିରାଡ଼ି ଛୁଆଟା ମୋ ଠାରୁ ବେଶୀ ଭୋକିଲା ଥିଲା ତ ତାକୁ ଖାଇବାକୁ ଦେଉଛି । ତପସ୍ବିନୀର ଉତ୍ତର ଶୁଣି ତାକୁ ନିରବଦ୍ରଷ୍ଟା ପରି କିଛି କ୍ଷଣ ଚାହିଁ ରହିଲେ ମନ୍ଦାକିନୀ ଦେବୀ । ତା'ପରେ ନିଜକୁ ସାନ୍ତ୍ଵନା ଦେଇ ଭାବିବାକୁ ଲାଗିଲେ, ଏତିକି ବକଟେ ଛୁଆର ଏତେ ଉଦାର ଭାବ ! ପୁଣି ଭାବ ବିଭୋର ହୋଇ ଅଯାଚିତ ଭାବେ ଆଶୀଷ ଅବାଡ଼ି ଦେଇ ଭଗବାନ ତୋର ମଙ୍ଗଳ କରନ୍ତୁ ବୋଲି କହି ତପସ୍ଵିନୀର ମୁଣ୍ଡକୁ ଆଉଁସି ଦେଲେ ମନ୍ଦାକିନୀ ଦେବୀ ।

    ତପସ୍ବିନୀ ଏତେ ଦିବ୍ୟ ଗୁଣର ଅଧିକାରିଣୀ ହେଲେ ମଧ୍ୟ ତାକୁ ହତଭାଗିନୀ  କୁହାଯାଇପାରେ । କାରଣ ଶୈଶବରୁ ମାତା ଓ ପିତାଙ୍କୁ ହରାଇଥିଲା । ମାତ୍ର ତା’ ପରିବାର ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସବୁରି ଆଦରଣୀୟ ହୋଇଥିଲା । ତା’ ପରିବାର କହିଲେ ସିଏ ଆଉ ତା ଜେଜେମା ମନ୍ଦାକିନୀ । ମାନ୍ଦାକିନୀ ଦେବୀ  ହିଁ ତା’ର ସବୁକିଛି । 

     ପ୍ରତିଦିନ ସକାଳୁ ବିଛଣା ଛାଡ଼ିଲା ପରେ, କ’ଣ ଗୁଡ଼ାଏ ଗୁଣୁଗୁଣୁ ହୋଇ  ମନ୍ଦାକିନୀ ଦେବୀଙ୍କର ପାଦ ଛୁଉଁଥିଲା ତପସ୍ବିନୀ । ଦିନେ ମନ୍ଦାକିନୀଦେବୀ ଅଟାରେ  ପଚାରିଲେ ତୁ ମୋର ପାଦ ଛୁଉଁଛୁ ଠିକ୍ କରୁଛି ଯେ, ଯୋ ଗୁଣୁଗୁଣୁ ହେଉଥିଲା  ମତେ ଗାଳି ଦେଉନୁ ତ ! ଥଟା କଥା ପଦକ ବି ଆଘାତ ଦେଲା ତପସ୍ବିନୀକୁ । ତେଣୁ ତା' ଆଖିର ଲୁହ ଓଠକୁ ଛୁଇଁଲା । ଆଉ ସେ ଯାହା ଗୁଣୁଗୁଣୁ ହେଉଥିଲା 

ତାହା ଲୁହ ଭିଜା ଓଠରେ ସ୍ପଷ୍ଟ ଉଚ୍ଚାରଣ କଲା । 

         ତ୍ୱମେବ ମାତ ଚ ପିତା ତ୍ଵମେବ 
         ତ୍ୱମେବ ବନ୍ଧୁ ଚ ସଖା ତ୍ୱମେବ । 
         ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ଵମେବ 
         ତ୍ୱମେବ ସର୍ବଂ ମମ ଦେବ ଦେବ ।

ଦିବ୍ୟ ମୂର୍ତ୍ତୀ

Comments

Popular Posts