ବାସ୍ତବ ବାର୍ତ୍ତା



ବାସ୍ତବ ବାର୍ତ୍ତା


ପ୍ରାର୍ଥନା

ହେ ମାଆ........ ତମ ଉଦ୍ଦେଶ୍ୟରେ ମୋର ଜନ୍ନ ତମ ନିର୍ଦ୍ଦେଶରେ କରେ କର୍ମ ତମ ଆଶିଷ, ମୋ ତନୁର ସ୍ଵନ୍ଧନ । ତମେ ତ ଏ ସୃଷ୍ଟିର ଭୌତିକ, ନୈତିକ, ଆଧ୍ଯାତ୍ମିକ ସମସ୍ତ ପ୍ରତିଭା ବିଭବର ଉତ୍ସ ଆଉ ସର୍ବଜ୍ଞା ହେଇଥିବା ହେତୁ ମୋର ଅଭିଳାଷ ବୁଝିପାରିଥିବ । ମୋ ପାଇଁ ତମେ ମାଆର ଭୂମିକା ନିର୍ବାହ କଲେ ତମ କୃପା କଟାକ୍ଷରେ ମୋର ବୌଦ୍ଧିକ ବିକାଶ ଅବଶ୍ୟମ୍ଭାବୀ । ଶୁଣିଛି, ଯଶସ୍ୱୀ ହେବାକୁ ହେଲେ ତମ କୃପା ଅପରିହାର୍ଯ୍ୟ ତେଣୁ ତୁମ ଆଶିଷକୁ ଆଶକରି ଲେଖନୀ ଚାନନା କରେ କବିଟିଏ ହେବା ଆଶାରେ । ମୋ ଆଶା ଆଶାରେ ରହିନଯାଉ ବୋଲି ଅହରହ ତମକୁ ପ୍ରାର୍ଥନା କରେ ।

ସ୍ୱୟଂ ସୃଜନୀ

ସାଧାରଣରେ କୁହାଯାଏ କବି ହିଁ କବିତାର ସ୍ରଷ୍ଟା । ହେଲେ ପ୍ରତିଷ୍ଠିତ କାବ୍ୟକର ମାନେ ମତ ଦିଅନ୍ତି ଯେ କବିତା ଗଢ଼ା ଯାଏନି ଆପେ ଗଢ଼ି ହୁଏ କବି ନିମିତ୍ତ ମାତ୍ର । ଯେଉଁ କବିତା ଆପେ ଗଢ଼ିହୁଏ ସେ ଚିରଞ୍ଜିବୀ ହୋଇଥାଏ ହାତଗଢ଼ା କବିତା ଅଚିରେ ହଜିଯାଏ । କବିର ଜୀବନ ଯଦି କବିତା ହୁଏ ତେବେ ଉତ୍ତୟେ କବି ଓ କବିତା ତିଷ୍ଠି ପାରନ୍ତି । କବିତାର ଜୀବନ ଯଦି କବି ହୁଏ ତେବେ ଉଭୟେ କବି ଓ କବିତା ସମୟ ଚକରେ ଚୂରି ହୋଇ ଯାଆନ୍ତି । ଉପରୋକ୍ତ ଉକ୍ତିର ନିଷ୍କର୍ଷ ଏହା ଯେ କବି କବିତାକୁ ଚିରଞ୍ଜିବୀ କରି ନପାରେ ମାତ୍ର କବିତା କବିଙ୍କୁ ଚିରଞ୍ଜିବୀ ରଖିପାରେ

ଦିବ୍ୟ ବିଚାର

ସୁଖ ସାମ୍ରାଜ୍ୟର ସମ୍ରାଟ ମାନେ ତମକୁ ଭୁଲି ଥାଆନ୍ତି ବୋଲି ତମର ଭକ୍ତ ମାନେ ମାଗିଛନ୍ତି ଦୁଃଖ । ମୁଁ ଦୁଃଖ ସାମ୍ରାଜ୍ୟର ନିରୀହ ପ୍ରଜାଟି ହୋଇଥିବାରୁ ତମକୁ କିଛି ମାଗିବିନି କାରଣ ତମେ ଯାହା ଦେଲେବି ସେ ସବୁ ଅଯଥାରେ ମୋ ଆଖିର ଅଶ୍ରୁରେ ଓଦା ହେବ । କେ ଜନା ବିହ୍ନିକୁ ଶୀତଳ କରିବା ପାଇଁ ଅଶ୍ରୁ ଆବଶ୍ୟକ ହେତୁ ମୋ ଆଖିରୁ ଯେତେ ଅଶ୍ରୁ ନିଗିଡିିଲେ ମଧ୍ୟ ମୁଁ ବିବ୍ରତ ହୁଏନି । ତା ଛଡା ଦିବୁଦ୍ରଷ୍ଟା ମାନେ କହନ୍ତି ତମେ କୁଆଡେ ତମ ଇଚ୍ଛା କୁ ହିଁ ସାକାର କରିବାରେ ବ୍ୟସ୍ତ ଥାଅ । ସେଥି ସକାଶେ ତମକୁ କିଛି ନାମାଣିବା ଶ୍ରେୟଷ୍କର ମନେ ହେବା ହେତୁ ପ୍ରାପ୍ତିରୁ ଆନନ୍ଦ ସାଉଁଟି ଅବିଚଳିତ ଭାବେ ।

କିଏ ସେ ?

ଯାହାଙ୍କ ଘରେ ସମଗ୍ର ଦୁଃଖ ରାଜ୍ୟର ସମ୍ରାଟ ବିଦ୍ୟମାନ ଜ୍ୟୋସ୍ନା ବୁଣା ହୁଏ ସବୁ ରାକା ରଜନୀରେ ବର୍ଷାରାଣୀ ପୁଚି ଖେଳେ ଶ୍ରାବଣରେ ଆଉ ବିନା ଦ୍ବିଧାରେ ବୈଶାଖି ପ୍ରବେଶ କରିଥାଏ । କ୍ଷୁଧା ଦାଉ ର ଯାତନାରେ ଦରିଦ୍ର ର ପଦାଘାତରେ ଛାତି ଥରୁଥିଲେ ବି ସବୁ ବେଦନାରୁ ଆନନ୍ଦ ସାଉଁଟି ଖୁସିରେ ଜୀବନ ଜିଉଁଚି ଯିଏ ତାକୁ କ'ଣ କୁହାଯାଇ ପାରେ । ଯିଏ ସମସ୍ତ ଅକୁହା ଭାବାବେଗକୁ ବିନା ସଂକୋଚରେ ସମସ୍ତଙ୍କୁ ବିନା ଶବ୍ଦରେ କହେ ଲେଖନୀ ମୁନରେ ତା'ର ପରିଚୟ କ'ଣ ହୋଇପାରେ !

ମୁଁ' ତ ସିଏ

ଜୀବନ ଅରୁଚି ହେବାରୁ ନିକାଂଚନ ନିଘଂତ ରମଣୀୟ ଇଲାକାରେ ନିଜକୁ ନିଜେ ଖୋଜୁ ଖୋଜୁ ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖ ବରଫ ତରଳି ଅମାନଆ ହୋଇ ଆଖିର ଏରୁଣ୍ଡି ବନ୍ଧ ଡେଇଁ ଓଠକୁ ଛୁଇଁବାକୁ ଯାଉ ଯାଉ ତାକୁ ବାଟରୁ ଅଟକାଇ ଆଗନ୍ତୁକୁ କହିଲେ ତମେ କାନ୍ଦୁଛ କାହିଁକି ? ନିର୍ବୋଧତା ହେତୁ ଜାମ୍ଭିକ ପଣରେ ଶୋକ ଛାଡି ରୋଷରେ ମୁଁ କହିଲି ଆଉ କ'ଣ କରିପାରିଥାନ୍ତି ନିଷ୍ଠୁର ନିୟତିର ନିତିକୁ ସମର୍ଥନ କରି କର ତାଳି ବଜାଇଥାନ୍ତି ? ତାହା ହିଁ ତ ଉଚିତ ହୋଇଥାନ୍ତା କାହିଁକି ନା ନିୟତିର ନିତିକୁ ତମେ ନମାନିବାରୁ ଇର୍ଷାଳୁ ହୋଇଛ ହସ ଖୁସିର ସିନ୍ଦୁକରେ ନୈରାଶ୍ୟ ତାଲା ପକାଇଛ ତମେ ଜାଣିନିକି ! ଈର୍ଷାଳୁ କୁ ଇର୍ଷାଗ୍ନି ଜୀଅନ୍ତା ଜାଳେ । ମୁଁ କ'ଣ ଜାଣେ ନଜାଣେ ସେ କଥା ମୁଁ ବୁଝିବି ତମେ କିଏ ! ଉପଦେଶ ଦେବାକୁ । ମୁଁ'ତ ସିଏ ଯାହାକୁ ନିନ୍ଦା କରୁଛ ତମେ ।

ଆବିଷ୍କୃତ

ଅନାବିଳ ଭାବେ ଦୁଃଖ ବାଲିକୁ ରକ୍ତରେ ବତୁରାଇ ଲୁହରେ ଧୋଇ ସେଥିରୁ ଯିଏ ସୁଖ ଆବିଷ୍କାର କରିଛି ସେ ହିଁ ବୁଝିପାରେ ସେ ନିରୁତା ସୁଖର ମୂଲ୍ୟ । କୌଣସି ପରିସ୍ଥିତିରେ କାଳ ବୈଶାଖିର ପ୍ରକୋପରେ କିମ୍ବା ଅଦିନିଆ ବର୍ଷାର ମୁନିଆ ଛିଟାରେ ଅଥବା କରକାର ପ୍ରହାରରେ ପୀଡିତ ର ପୀଡାକୁ ଅନୁଭବି ବିନା ବୁଝି ପାରେକି କିଏ ?? ମହୁ ସାଇତି ରଖିଥିବା ମହୁମାଛିର ଦୁଃଖ ବୁଝିପାରେନା ମହୁହରଣ କାରୀ । ମାତ୍ର ମୁଁ ବୁଝିପାରେ କାହିଁକି ନା ମୋ ଠାରୁ ମତେ....... ।

ବାଃ ବାଃ ରେ ବିଧାତା

ଦୁଃଖ ସାମ୍ରାଜ୍ୟର ନିରୀହ ପ୍ରଜାଟି ଆଞ୍ଜୁଳାଏ ଆନନ୍ଦକୁ ଆପଣାଇ ଡେଙ୍ଗୁରା ବଜାଇ କହେ ମୋଇଲାକାରୁ ଫେରାର୍ ଦୁଃଖ । ସମ୍ଭ୍ରାତ ସାମ୍ରାଜ୍ୟର ପର୍ଯ୍ୟାପ୍ତ ବିଭବର ଅଧିକାରୀ ସର୍ବହରା ପରି ଅଶ୍ରୁରେ ଓଦା ହୋଇ ଖୋଜେ ସୁଖକୁ । ଶୁଷ୍କ ଶିଂଶପା କାଷ୍ଠକୁ ଫୋଡ଼ିବା ସାମର୍ଥ୍ଯ ଥାଇବି ଜ୍ୟୋତ୍ସ୍ନାରେ ଝାଉଁଳୁ ଥିବା ପଦ୍ମିନୀର ଆଶ୍ଲେକ୍ଷରୁ ମୁକୁଳି ନପାରି ଚିର ନିଦ୍ରାରେ ଶୋଇଥାଏ ଭ୍ରମର । ଏମିତି ଅନେକ ବିସ୍ମୟକର ଘଟଣା ମନୁଷ୍ୟର ପରିକଳ୍ପନା ଉର୍ଦ୍ଧ୍ଵରେ ଘଟୁଥିବା ହେତୁ ମନୁଷ୍ୟ କହେ ହାୟରେ ବିଧାତା ବିଚିତ୍ର ତୋର ବିଧାନ ।

ଅନୁଭବିଙ୍କ ବାର୍ତ୍ତା

ନୀଡ଼ ହରାଇ ଥିବା ପକ୍ଷୀର ଲୁହରେ ଓଦା ହୋଇଥିବା ଆକାଶର ବାସ୍ନାରୁ ବୁଝିପାରେ ପକ୍ଷର ଦୁଃଖକୁ ଠିକଣା ହରାଇଥିବା ପ୍ରାଣୀ । ତପ୍ତ ମରୁବାଲିରେ ଚାଲୁଥିବା ଯାତ୍ରୀର ଦୁଃଖ ତାର ସହଯାତ୍ରୀ ବ୍ୟତୀତ ଅନ୍ୟ କେହି ବୁଝିପାରେ କି ? ପ୍ରତାରଣା କେତେ ଦୁଃଖଦାୟକ ବୁଝିପାରେ ସିଏ ଯିଏ ପ୍ରଲୋଭନରେ ଫସି ଛଳନା କଂଟା ଶେଯରେ ଶୋଇଥିବା । କୁମୁଦିନୀର ଦୁଃଖ ବୁଝିପାଇନା ଅମାବାସ୍ୟା ରାତ୍ରୀ ବୁଝିପାରେ ପ୍ରିୟାକୁ ହରାଇଥିବା ପ୍ରେମିକ ଉପରେକ୍ତ ସମସ୍ତ ବେଦନା ଠାରୁ ଗରିଷ୍ଠ ମୋ ବେଦନା ତେଣୁ ସାନ୍ତ୍ବନା ପାଇବା ଆଶାରେ ଦରଦୀ ମଣିଷଟି ଖୋଜୁଛି ପାଇବି ତ !

ସତରେ ନାସ୍ତିକ କିଏ ?

ଜୀବନ୍ତି ଥିବା ବେଳେ ବୁନ୍ଦାଏ ଜଳ ତ ଦେଇ ନଥିଲ ତାକୁ କେଉଁ ଅଧିକାର ରେ ପ୍ରାଣହୀନ କଲ । ପ୍ରଣ ପକ୍ଷୀ ଉଡିଗଲାପରେ ସ୍ପନ୍ଦନ ରଦ୍ଦ ହୁଏ ଯେଉଁଥିରେ ସ୍ପନ୍ଦନ ନାହିଁ ତାକୁ ଜଡ କୁହାଯାଏ । ଆଉ ତମେ ଜଡକୁ ଜୀବନ୍ତ କହି ସାଧାରଣ ଲୋକଙ୍କୁ ଭକୁଆ ବନାଇ ସ୍ଵକୀୟ ସ୍ଵାର୍ଥ ସିଦ୍ଧି କରୁଛ । ଅବାସ୍ତବାତାରେ ଅନ୍ଧ ହୋଇ ବାସ୍ତବ ବାଦୀଙ୍କୁ ନାସ୍ତିକ କହୁଛି ସତରେ ନାସ୍ତିକ କିଏ ?

ଦରଦୀ ବୁଦ୍ଧି ଜୀବୀ

ସମାଜର ହିତକାରୀ ମାନେ ଜୀବନ ଜୀଇଁବା ଉପାୟ ବତାଇଲା ପରେ ବି ଅନେକ ଆପ୍ତ ବାକ୍ୟ କିଛି ରୂଢି ସାଙ୍ଗକୁ ଏ କଥା ବି କହି ଯାଇଛନ୍ତି ସମାଜ ମେଣ୍ଢା ବୁଦ୍ଧିଜୀବି ଗଉଡ । ଉକ୍ତିଟି ଶୁଣିବାକୁ ଅରୁଚି ହେଲେ ବି ତା'ର ବାସ୍ତବତାକୁ ଅନୁଭବ କରିହୁଏ । ଯେମିତି ଜଣେ ନିର୍ଭୀକ ଦରଦୀ ମଣିଷ ଅନେକ ଆଖିର ଲୁହକୁ ଆସ୍ଵାଦନ କରୁ କରୁ ଅବଗତ ହେଲା ଯେ ସବୁ ଲୁହ ଲୁଣିଆ । ତା' ପରେ ଭେଦ ଭାବର କାରଣ ଖୋଜି ଯାଉ ଯାଉ ଦେଖିଲା ସଂପ୍ରଦାୟକୁ ଦଙ୍ଗା ଦ୍ଵାରା ଏକାଧିକ ଲହ ଝରଣା ସୃଷ୍ଟି ହୋଇଛି । ସେ ସବୁ ଲାଲ ହୋଇଥିବାରୁ କୋଉଟା କାହାର ଜାଣି ପାରିଲାନି ସେ ଅଚାନକ କିଛି କ୍ଷଣ ମଧ୍ୟରେ ସେ ସବୁ ଝରଣା ଏକତ୍ରୀତ ହୋଇ କାତ ପାଉନଥିବା ନଈର ରୂପ ନେଲା ଆଉ ତା ସ୍ରୋତରେ ଗୋଟାକ ପରେ ଗୋଟେ ଅମୂଲ ଜୀବନ ଭାସି ଯାଉଥିଲା ମେଣ୍ଢା ଭଳି। ବିଚରା ଦରଦୀ ବୃଦ୍ଧି ଜୀବୀଟି ମୂକ ଭଳି ଚାହୁଁଥିଲା କିଛି କରିପାରୁ ନଥିଲା କେବଳ କାନ୍ଦି କାନ୍ଦି ଅଶ୍ରୁରେ ଓଦା ହେଉଥିଲା ।

ଅଲିଭା ସ୍ୱାକ୍ଷର

ସମୟର ଶଗଡ ଅହରହ ଗତିଶୀଳ ସେଥିରେ କେତେ କଣ ବୋଝେଇ ହୁଏ କ୍ରମାନ୍ବୟ କେତେ ବିଲୀନ ହୁଏ ଯାହାର ହିସାବ ଦେଇ ନ ପାରେ ସମୟ । ବେଳେ ବେଳେ ସମୟ ସାଙ୍ଗରେ ଏମିତି କିଛି ହୁଏ ଯାହା ସମୟକୁ ମହକାଏ ଆଉ ସେ ମହକ ସମୟ ସାଙ୍ଗରେ ନଯାଇ ସମୟର ସମୟ ହୋଇଥାଏ । ଉକ୍ତ ମହକର ସ୍ଵାକ୍ଷର ମାଟିର ବୁକୁରେ ପବନର ପିଠିରେ ଆକାଶର କପାଳରେ ତିଷ୍ଠିଥାଏ ଯାହା କାଳକୁ କବଳ କରି ତିଷ୍ଠିଥାଏ ତାହା ଇତିହାସକୁ ଜୀବନ୍ତ କରେ ।

ସ୍ଵପ୍ନ ସତ ହୋଇ ପାରେ

ସ୍ଵପ୍ନ ଦେଖିବା ସମସ୍ତଙ୍କର ଅଧିକାର ହେତୁ ଆଦୌ ସ୍ଵପ୍ନ ନଦେଖିବା ଯାହା ଅଯୋଗ୍ୟ ପଣିଆର ପ୍ରମାଣ । ତେଣୁ ସ୍ୱପ୍ନ ଦେଖିବା ଶ୍ରେୟସ୍କର ମନେହୁଏ ହେଲେ ଏମିତି ସ୍ଵପ୍ନ ଦେଖିବା ଯାହା ସାକାର କରିହେବ । ଏମିତିକା ସ୍ୱପ୍ନ ଦେଖିବାନି ଯେଉଁଥିରେ ସ୍ଵାଭିମାନ ହାନୀ ହେବ ମାନବୀୟତା ନଥିବ । ସ୍ଵପ୍ନ ଦେଖିବା ଆଳରେ ରାତିର ଆୟୁଷ ଠାରୁ ଲମ୍ବା ସ୍ଵପ୍ନ ଦେଖିବା ଯାହା ମରିଚିକା ପଛରେ ଦୌଉଡିବା ତାହା । କାରଣ, ଯାହାକୁ ସାକାର କରିବା ଅସମ୍ଭବ ସେଇ ଭଳ ସ୍ୱପ୍ନ ନିଷ୍‌ପ୍ରୟୋଜନ ।

ସବୁଠାରୁ ଦୁର୍ଲଭ

ମୁଁ ଅଛି ବୋଲି ତ ଜଗତ ଅଛି ମୁଁ ନଥିଲେ ନା ଜଗତ ଗୌଣ ହୋଇଥାନ୍ତା । ଏ କଥା ସ୍ୱ1କାର କରେ ଯେ ମୁଁ ମାଟିର ମଣିଷ ହେଲେ ମୋର ଜନ୍ମ ମାଟିରେ ମିଶିବା ପାଇଁ ନୁହେଁ । ମୁଁ ମାଟି ମହକରେ ମହକାଇ ପାରେ ଜଗତକୁ ବାନ୍ଧି ରଖି ପାରେ ପବନକୁ ଓଦା କରିପାରେ ଗଗନକୁ । ମୁଁ ମାଟିର ହେଲେବି ମାଟି ମୋର ମାଟିରୁ ଉତ୍ପାଦନ ପଦାର୍ଥ ବି ମଲ୍ଲୀର ଶୁଭ୍ରତା ଗୋଲାପର ସୌନ୍ଦର୍ଯ୍ୟ ଚମ୍ପକର ସୁରଭି ଏ ସବୁ ମୋ ପାଇଁ ଉଦ୍ଦିଷ୍ଟ । ସମଗ୍ର ସୃଷ୍ଟିର ମୂଲ୍ୟଯାହା ତାକୁ ମଣିଷ ବ୍ୟତୀତ ଆଉ କିଏ ବୁଝିପାରେ କି ? ସେଇଥି ପାଇଁ ମୁଁ କହେ ମୁଁ ହିଁ ସବୁଠାରୁ ମୂଲ୍ୟମାନ ଯେ ହେତୁ ମୁଁ ମଣିଷ ।

ବିଡମ୍ବନା

ଯେ କୌଣସି ଉପାୟ ଅବଲମ୍ବନ କରି ପୁଞ୍ଜିଠୁଳ କରିବାକୁ ଅହରହ ରତ ଥାଉ ବୋଲି ସରଳ ସ୍ଵଭାବ ମଣିଷକୁ ଅପାରଗ କହୁ । ଭାଗ୍ୟ ବରଳରେ ହେଉ ବା ସ୍ୱକୀୟ ପୁରୁଷାର୍ଥରେ ପ୍ରଚୁର ପୁଞ୍ଜି ଠୁଳ କଲାପରେ ହିତକାରୀଙ୍କୁ ହତାଦାର କରୁ । ହାତ ଧରି ଚାଲି ଶିଖାଇଥିବା ଆତ୍ମୀୟକୁ ଭୁଲି ଦୀଗ୍ ବଳୟର ମୋହରେ କବଳିତ ହୋଇଆଉ । ଅଜ୍ଞତା ହେତୁ ପରିଣତିକୁ ଗୁରୁତ୍ଵ ନଦେଇ ମାନବୀୟ ପରିଧି ପାରହେଇ ବୁଦ୍ଧିମାନ ବୋଲାଉ ।

ଜନଶ୍ରୁତି କହେ

ଅନେକ ମାଂସାସୀ ଶିକାର ନପାଇଲେ ଦିନେ ଓଳିଏ ଅନାହାରେ ରହି ପାରନ୍ତି ହେଲେ ଉଦ୍ଭିଦ ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନି । ସେମାନଙ୍କ ନିଷ୍ଠୁର ହିଂସ୍ର କୁହାଯାଏ ମାତ୍ର ସିଂହର ଉଦରରେ କ୍ଷୁଧା ନଥିଲା ଅର୍ଥାତ ପେଟପୁରା ଖାଇ ସାରିଥିଲେ ଶିକାର କରେନି ସଂଚୟ କରିବା ଉଦ୍ଦେଶ୍ୟରେ । ତମେ ତ, ସବୁ ବିଭବ ବୈଭବ ପ୍ରାଚୁର୍ଯ୍ୟରେ ଥାଇ ବି ଶୋଷଣ ପ୍ରବୃତ୍ତିରୁ ନିବୃତ୍ତି ହୋଇପାରୁନ । ଜନଶ୍ରୁତି କହେ ଆସିଲା ବେଳେ ହାତ ମୁଠା ହୋଇଥାଏ । ଗଲା ବେଳେ ସ୍ୱାଭାବିକ ଭାବେ ଖୋଲା ରହେ ଏ କଥା ତମେ ଜାଣନି କି !

ଭବ୍ୟ ଆଲେଖ୍ୟ

ପ୍ରଚାର ଦ୍ବାର ପ୍ରସାର ସମ୍ଭବ ହେତୁ ବିଭିନ୍ନ ପଦାର୍ଥର ବିଜ୍ଞାପନ ସମସ୍ତ ଗଳରେ ରାଜରାସ୍ତାର ଦୁଇ ପାର୍ଶ୍ଵରେ ବିଦ୍ୟମାନ । ହେଲେ ମାନବିକତାର ମୋହର କେଉଁଥିରେ ନଥିବା ଦେଖି ଜନଗହଳିପୂର୍ଣ୍ଣ ଦୋଛକିରେ ମାନବିକତାର ବିଜ୍ଞାପନ ଦେବାକୁ ପ୍ରୟାସ କରୁଥିବା ମଣିଷକୁ ପାଗଳ କହିଲେ ପାଗଳମାନେ । ପୁଣି ତା' କାର୍ଯ୍ୟକଳାପକୁ ବିଦ୍ରୋହ କରି ଇଟା ପଥର ମାରି କ୍ଷତାକ୍ତ କରି ତାକୁ ଦୋଷୀ କଲେ ଦୋଷୀମାନେ । ନିର୍ଦ୍ଦୋଷୀକୁ ଦୋଷୀ କରିବାର ଧୁରନ୍ଧର ସେହିମାନେ ଯେଉଁମାନେ ଭଦ୍ରଖୋଳରେ ଅଭଦ୍ର ମଣିଷ ଖୋଳରେ ଅମଣିଷ । ହେଲେ ହେଁ ପ୍ରତ୍ୟକ୍ଷଦର୍ଶୀ ବାବୁମାନେ ଯେଉଁ ନିର୍ଦ୍ଦୋଷୀଟିକୁ ଦୋଷୀ ସବ୍ୟସ୍ତ କରାଯାଇଛି ସେ କଣ ପ୍ରକୃତ ଦୋଷୀ ?

କହିଲେ ଦେଖି

ଯିଏ ତେଲିଆ ମୁଣ୍ଡରେ ତେଲ ବୋଳେ ତାକୁ ଯଦି ଦରଦୀ କହିବା କ୍ଷୁଧାର୍ତ୍ତକୁ ମୁଠେ ଦାନା ଦେଉଥିବା ମଣିଷକୁ କଣ କହିବା । ମାଦକର ମାଦକତାରେ ମାତଲ ହୋଇ ନିଜର ଠିକଣା ଭୁଲିବା ଯଦି ଆଦର୍ଶ ବାଟବଣା ବାଟୋଇକୁ ବାଟ ଦେଖାଇବାର ମାନେ କ'ଣ । ଅର୍ଥ ବିନିଯୋଗ କରି ଅର୍ଥ ଉପାର୍ଜନ ନିମନ୍ତେ ନିରିମାଖି କୁଆଁରୀ ମାନଙ୍କୁ ନିଯୁକ୍ତି ଦେବା ଯଦି ସଭ୍ୟତା ଦୁରାଚାର ଦୌରାତ୍ମ୍ଯରେ ପୀଡିତା ଲଳନାର ଅବୟବକୁ ନିଜ ଉତ୍ତରୀୟ ଦ୍ୱାରା ଢ଼ାଙ୍କିବାର ଅର୍ଥ କଣ ହୋଇପାରେ ।

ମୁଁ କିଛି ଦେଖିନି

ଅନ୍ୟାୟର ଆକ୍ରମଣରେ କ୍ଷତାକ୍ତ ହୋଇ ରକ୍ତରେ ଗାଧେଇ ହୋଇଥିବା ନ୍ୟାୟର କାୟକୁ ଦେଖିଛ ! କଞ୍ଚାମାଂସ ଲୋଭୀ ଦୁବୁର୍ତ୍ତ ହିଂସ୍ରର କାମୁଡାରେ ଲହୁ ଲୁହାଣ ହୋଇଥିବା ବି ବସ୍ତ୍ର ଲଳନାକୁ ଦେଖିଛ ! କୌଣସି ପ୍ରଲୋଭନରେ ଫସି ସର୍ବହରା ହୋଇ ପରିତ୍ୟକ୍ତ ପାନ୍ଥଶାଳରେ ଶବ ପରି ଶୋଇଥିବା ସରଳ ମଣିଷକୁ ଦେଖିଛ ! ଉପରୋକ୍ତ ସବୁ ଦୃଶ୍ୟର ପ୍ରମାଣ ନଷ୍ଟ କରାଯାଇଥିବାରୁ ପ୍ରତ୍ୟେକ୍ଷ ଦର୍ଶୀ କହେ ମୁଁ କିଛି ଦେଖିନି ।

କହିଲେ ହେଲା

ଲାଞ୍ଚ ଦେବା ଲୋକକୁ ଯହ ଦୋଷୀ କହିବା ଲାଞ୍ଚ ନେବା ଲୋକକୁ କଣ କହିବ ? ମଦ ପିଇବା ଲୋକକୁ ଯଦି ଅବିବେକି କହିବା ମଦ ବିକିବା ଲୋକକୁ କଣ କହିବା ? ସମାଜ ବାସନ୍ଦ କରିଥିବାରୁ ଦେହ ଜୀବିକୁ ତ ଘଣ୍ୟ କହିବା ହେଲେ ଦେହଜୀବିର ଦେହପ୍ରତି ଲାଳାୟିତ ହେଉଥିବା ଲମ୍ପଟି ସନ୍ୟାସିକୁ କଣ କହିବା ?

ମୂକସାକ୍ଷୀ

ସେଦିନ ତମେ ତାକୁ ବଦମାସ କହୁଥିଲ ସିଏ ବିତ ତମକୁ..... ହେଲେ ଆଜି ତମେ ଦୁହେଁ ଗୋଟିଏ ଥାଳିରେ ଖାଉଛ ଗୋଟିଏ ବିଛଣାରେ ଶୋଉଛ ଉଭୟେ ଉଭୟଙ୍କର ଜୟଗାନ କରୁଛ ତମର ହାବଭାବ ଦେଖି ମୁଁ ସ୍ତବ୍ଧ କାହଁକି ନା ମୁଁ ସେଦିନର ମୂକସାକ୍ଷୀ ଆଜିର ପ୍ରତ୍ୟେକ୍ଷ ଦର୍ଶୀ । ତମେ ଭାବନି ଯେ କିଏ କିଛି ଜାଣନ୍ତିନି ବିରାଡି ଆଖି ବନ୍ଦ କରି ଦୁଗ୍ଧ ପିଏ ହେଲେ ଦୁନିଆର ଆଖି ଖୋଲା ରହେ ଏହି ପରିପ୍ରେକ୍ଷୀରେ ମୁଁ ସବୁ ଜାଣୁଥିଲେ ମଧ୍ୟ ନିର୍ବାକ ହେବାକୁ ବାଧ୍ଯହୁଏ ନିରବ ଦ୍ରଷ୍ଟା ପରି ସବୁ ଦେଖେ ।

ଗୁମର କଥା

ଆମେ ସବୁ ଦିନେ ସବୁବେଳେ କହୁ ଆଜିକା୍ଲି ଦୁର୍ନୀତି ବଢ଼ି ଗଲାଣି ତା ହେଲେ ଦୁର୍ନୀତି କରୁଛି କିଏ ? ନିଜର ଦୋଷକୁ ଲୁଚାଇ ଚତୁର ତା'ର ସହ ନିର୍ଦୋଷୀକୁ ମାରୁ ଦୋଷୀକୁ ପୋଷୁ ତଥାପି ନିର୍ଦ୍ଦୋଷୀ ଖୋଜୁ । ପୁଣି ବୁଦ୍ଧିମତାର ପରିଚୟ ଦେଇ ସମାଜ ଅବକ୍ଷୟ ଆଡକୁ- ଯାଏ କୋଲିସ୍ଲୋଗାନ ଦେଉ ସମାଜକୁ ମାର୍ଗଦର୍ଶନ- ଲୋଡା ବୋଲି କହୁ । ସମାଜକୁ ବଦଳାଇବା ପାଇଁ ଶତପ୍ରୟାସ କଲାଭଳି ଅଭିନୟ କରୁ । ହେଲେ ଆମେ ବଦଳୁନୁ କାହିଁକି ନା ଆମେ ସମାଜର ଆଗ ଧାଡିର ଲୋକ ।

ମିଛ କହିବାନି !

ଅସହାୟ ବିକଳାଙ୍ଗ ରୋଗଣା ମଣିଷଟି ଯାହାର ଶକ୍ତି ନାହିଁ ଚିକିତ୍ସାଳୟ ଯିବା ପାଇଁ ସେ ପରିସ୍ଥିତିରେ ତାକୁ ଚିକିତ୍ସା କରାଇବାକୁ ନେଇଯାଉଥିବା ମଣିଷକୁ ଯଦି ଅବିବେକୀ କହିବା । ଜୀବନ୍ତ ପୀଡାରେ ଲହୁ ଲୁହାଣ ହୋଇଥିବା ପାଡିତକୁ ନିରବ ଦ୍ରଷ୍ଟା ପରି କିଛି କ୍ଷଣ ଦେଖି ସାହାଯ୍ୟ କଲା ଭଳି ସାମର୍ଥ୍ଯ ଆଇ ମୁହଁ ଫେରାଇ ଚାଲିଯାଉଥିବା ମଣିଷକୁ କ'ଣ କହିବା ? ସ୍ୱକୀୟ ସ୍ଵାର୍ଥକୁ ବଳି ପକାଇ ଦାମ୍ଭିକ ପଣରେ ଶୋଷଣ ବିରୋଧରେ ସ୍ଲୋଗାନ ହେଉଥିବା ନିର୍ଭୀକକୁ ଯଦି ବିଦ୍ରୋହୀ କହିବା । ସରଳ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟିକାରୀ ଶୋଷକର ପାଦଚଟା ଚାଟୁକାରକୁ କ'ଣ କହିବା ? ଯେଉଁଠି ସତ କହିବା ମନା ସେଇଠି ନିରବ ରହିବା ହେଲେ ମିଛ କହିବାନି ।

ଶ୍ରେୟସ୍କର

ଅସହାୟ ମନେକରି ନିଛାଟିଆରେ ସ୍ଵୀୟ ଲୁହକୁ ଚୁମ୍ବନ ଦେଉ ଥିବା ଓଠର ଶବ୍ଦ ଶୁଣିଛ ! ଧାରା ଶ୍ରାବଣର ଆଶ୍ଲେଷରେ ଜଳ କଷ୍ଟରେ ରହିଥିବା ତୃଷିତ ଶ୍ରାବଣୀର ବିକଳ ଚିତ୍କାର ଶୁଣିଛ ! କୋଳାହଳ ମୟ ଇଲାକାରେ ନିଃଶବ୍ଦରେ ଗୁଞ୍ଜରଣ କରୁଥିବା ନୀରିହ ଶବ୍ଦମାନଙ୍କର ଶବ୍ଦ ଶୁଣିଛ ! ସୁଖ ଖୋଳାପାରେ ଆବଦ୍ଧ ହୋଇଥିବା ଦୁଃଖର ସନ୍ଦେଶ ପଢ଼ିଛ ! ସେଥିରେ ଲେଖା ଥିଲା ଯାହା ପ୍ରକାଶ କରିବାର ଆଶଙ୍କା ଥାଏ । ସେହି ଭଳି ଶବ୍ଦ ନଶୁଣିବା ଶ୍ରେୟସ୍କର ।

ମୁଁ କିଏ ? କହିଲେ ଦେଖି

ମୁଁ ମରିଗଲା ପରେ ମୋ ଶବରେ ମୁଁ ରହେନି ଃ ! ଏ କଥା କ'ଣ ସତ । ନା..... ନା..... ମୁଁ ମରେନି ବୋଲି ତ ସମସ୍ୟା ମୁଁ ମରିଗଲେ ତ ମାଟିର ମହକରେ ମତୁଆଲା ହୁଅନ୍ତା ଜଗତ । ପ୍ରେମର ପରିଭାଷା ବୁଝାଇବାକୁ ପଡିନ୍ତାନି କାହାକୁ ପ୍ରେମମୟ ହୁଅନ୍ତା ପୃଥିବୀ । ମୋ ପାଇଁ ମରୁନି କାହିଁକି ? ଏ ମର ସଂସାରେ ମୁଁ କ'ଣ ଅମର ? ଯଦିନା ତା ହେଲେ ମୁଁ କିଏ ? ମୁଁ କ'ଣ ମୋତେ ଜାଣେନି !

ନିଃଶବ୍ଦ ସନ୍ଦେଶ

ଶବ ସାଙ୍ଗରେ ଯେବେ ଶ୍ମଶାନକୁ ଯାଏ ସବୁଥର ସେହି ଗୋଟିଏ କଥା ଶୁଣେ ଯାହା ଶ୍ମଶାନ କହିଥାଏ ବିନା ଶବ୍ଦରେ । ସୃଷ୍ଟିର ଶ୍ରେଷ୍ଠ ଜୀବ ହେ ମଣିଷ ସମାଜ ଧନ, ଜନ , ଯୌବନ, କ୍ଷଣ ଭଙ୍ଗୁର ତାର ମୋହରେ ମାତାଲ ହୁଅନି ଦିନେ ନା ଦିନେ ମୋର ଆଶ୍ରୟ ଲୋଡିବ ତା ପୂର୍ବରୁ ଏମିତି କିଛି କର ଯେମିତି ମୋ କୋଳରେ ବିଲୀନ ହେଲା ପରେ ବି ଲୋକେ କହିବେ ଅମର । ତମେ ତ ଜାଣିଥିବା କେତେ ଜୀର୍ଣ୍ଣ ହେଲେଣି ମୋ ଜଠରେ ହେଲେ କାହାର ପାଦଚିହ୍ନ ନାହିଁ ମୋ ବୁକୁରେ । ମାତ୍ର କହାର ଯଶକୁ ମୁଁ ହଜମ କରି ନ ପାରେ ତେଣୁ ତମକୁ ଯଶସ୍ୱୀ ହେବାକୁ କହେ ।

ଶବ ସଂସ୍କାରକ

ସରସ ସୁନ୍ଦର ବୋଧଗମ୍ୟ ଏକ ଲୋକ କଥା ଯାହା ନିଚ୍ଛକ ସତ୍ୟ ମଲା ମଢ଼ ପୋଡ଼ ନହେଲେ ପୋତ୍ । ଉକ୍ତିଟିର ତାତ୍ପର୍ଯ୍ୟ ଶବ ସଂସ୍କାର ର ଦୁଇଟି ମାର୍ଗ । ସେ ଯାହା ହେଉ ଯେଉଁ ଶରୀର ସ୍ପନ୍ଦନ ରଦ୍ଦ ହୁଏ ତାକୁ ଶବ କୁହାଯାଏ ଶବକୁ ତୁରନ୍ତ ସଂସ୍କାର ନକଲେ ତା'ର ଖରାପ ପ୍ରଭାବରେ ପୀଡିତ ହେବ ଜୀବଜଗତ । ଶବ ସଂସ୍କାର କରିବା ପାଇଁ ନିଯୁକ୍ତି ନ ପାଇଥିଲେ କ'ଣ ହେଲା ତାକୁ ତ ଶବ ସଂସ୍କାରକ କହନ୍ତି ଅନ୍ୟମାନେ । ସେ ସେମାନଙ୍କ ମତକୁ ସମ୍ମାନ ଜଣାଇ କହେ ମୁଁ ଅନେକ ଶବକୁ ସଂସ୍କାର କରିଥିବା ହେତୁ ସ୍ଵୟଂ ଶ୍ମଶାନ ବାସୀ ମୋ ଶବକୁ ସଂସ୍କାର କରିବେ ସେତେବେଳେ ଯେତେବେଳେ ନିଘୋଡ ନିଦରେ ଶୋଇଥିବ ଜୀବଜଗତ ।

ଶବ ବାହକ

ଏକଦା ନଶ୍ଵର ଶବମାନେ ଶ୍ମଶାନକୁ ଆକ୍ରମଣ କରି ପରାସ୍ତ ହେଲେ । ତାପରେ ନିରୀହ ଶବ ବାହକ ଶବମାନଙ୍କୁ କାନ୍ଦେଇ କାତ ପାଉନଥିବା ଦୁଃଖ ସରିତ ସ୍ରୋତରେ ଭାସି ଯାଉ ଯାଉ ମୃତ୍ୟୁ ସଙ୍ଗରେ ଲଢ଼ି କୂଳକୁ ଉଠି ଯନ୍ତ୍ରଣା ଜୁଇରେ ଶବମାନଙ୍କୁ ସଂସ୍କାର କରି ଫେରୁ ଫେରୁ । ମୃତ୍ୟୁ ପରାସ୍ତ ହୋଇଥିବାରୁ ଶବ ବାହାକକୁ ଅମର ଉପାଧି ଦେଇ ତାକୁ କାନ୍ଦେଇ ଇଲାକାକୁ ଯାହାର ଠିକଣା ଆଜି ବି ଖୋଜା ଚାଲିଛି ।

ଜୀଅନ୍ତା ଶବ

ତମକୁ ସର୍ବୋତ୍ତମ ଆଦର୍ଶ ମଣିଷ ମନେ କରି ଛଳନା ଶୂନ୍ୟ ଭାବେ ସମର୍ପିତ ଥିଲି ତମ ପାଖରେ । ହେଲେ ତମେ ମୋ ସରଳତାର ସୁଯୋଗ ନେଇ ସତକୁ ମିଛ ମିଛ କୁ ସତ ଭଳି କେମିତି କୁହାଯିବ ତା'ର ସୂତ୍ର ଶିଖାଇଲ ସବୁଦିନ ସେମିତି କହୁ କହୁ ଏମିତି ଅଭ୍ୟସ୍ତ ହୋଇ ଗଲି ଯେ ତମ ଠାରୁ ବି ବଳି ଗଲି । ଏଥିରେ ମୋର କ'ଣ ଦୋଷ ଅଛି । ଆଜିଠୁ ସେମିତି କିଛି କହିବି ନାହିଁ ବୋଲି ଅପ୍ରିୟ ସତ୍ୟ ପଦେ କହିଦେଲି ଯେ ଜୀବନରେ ମାରି ଦେବାକୁ ଧମକ ଦେଉଛ ଗୋଟେ ଜୀଅନ୍ତ ଶବକୁ । ମୁଁ ତ ସେହି ଦିନଠୁ ମରି ଯାଇଁଛି ଯେଉଁଦିନ ତମକୁ ବିଶ୍ୱାସ କରି ତମର ଅଶ୍ଲିତାଚରଣ କୁ ପ୍ରତିବଦ ନକରି ସମର୍ଥନ କରିଥିଲି ।

ଶବର ସନ୍ଦେଶ

ରେ ନିର୍ବୋଧ । କିଛି କ୍ଷଣ ମଧ୍ୟରେ ଶ୍ମଶାନରେ ମୁଁ ଜଳିବି ତୋ ପରିଚୟରେ ତୁ କାହା ପରିଚୟରେ ବଂଚିବୁ ? ତତେ ହତ୍ୟା କରାଯାଇଛି ବୋଲି ବିଚାରଳୟରେ ମିଛ ପ୍ରମାଣ ଉପସ୍ଥାପନ କରାଯାଇ ଥିବାରୁ ଜଣେ ନିର୍ଦ୍ଦୋଷୀ କରାଗାର ଜୀବନ ଜୀଇଁବ । ଆଇନତଃ ତୁ ଶବ ହେଲେ ବି ମୁଁ କହିବି ତୁ ଗୋଟେ ଜୀଅନ୍ତା ଶବ ମନେ ରଖ ମିଛ ଖୋଳପାରେ ବେଶିଦିନେ ତିଷ୍ଠି ନପାରୁ । ଏବେ ବି ସମୟ ଅଛି ସତ୍ୟତାକୁ ସ୍ୱୀକାର କରି ସତ୍ୟ ପଥରେ ନିଜକୁ ସମର୍ପି ସତ୍ୟ ନିଷ୍ଠ ହୋଇଯା ନଚେତ ପରିଣତି ସାଙ୍ଘାତିକ ହେବ ।

ବାପକ ସତ୍ତା

ତମେ ନିଦ୍ରା ଗଲେ ବି ଜାଗ୍ରତ ପ୍ରହରୀ ପରି ଜାଗ୍ରତ ଥାଏ ମୁଁ ଅହରହ ତୁମ ଚତୁପାର୍ଶ୍ଵରେ ତଥାପି ଅଜ୍ଞାନ ଅନ୍ଧାର ଗଳିରେ ଅନ୍ଧ ବିଶ୍ଵାସରର ଆଶ୍ରୟରେ ଖୋଜୁଛ ମତେ । ବାସ୍ତବତାକୁ ପିଠି କରି ଯେତେ ଚେଷ୍ଟା କଲେ ମଧ୍ୟ ସ୍ଥୁଳ ନେତ୍ରରେ ଦେଖିପାରିବନି ମତେ । ମନୁଛି ମୋ ଭିତରେ ତମେ ଅଛ ତମେ ଭରେ ମୁଁ ଅଛି ବୋଲି କହିଲେ ମାନି ନେଇ ପାରୁନ ତମେ ମତେ ଖୋଜିବା ପାଇଁ ସମୟ ଅପଚୟ କରୁଛ । ତମେ ଯେଉଁ ଯେଉଁ ସ୍ଥାନକୁ ଦର୍ଶନ କରିବାକୁ ଯାଉଛ ସେ ସ୍ଥାନଟି ବି ମୋ ଭିତରେ ତମେ ଜାଣି ରଖିବା ଉଚିତ ହେବ ଯେ ଜଗତ ଭିତରେ ମୁଁ ମୋ ଭିତରେ ଜଗତ ଯେମିତି ଜଳ ଗର୍ଭରେ ମୀନ ମୀନ ଗର୍ଭରେ ଜଳ ।

ଧନ୍ୟ ସେ ଦମ୍ପତି

ସବୁବେଳେ ତମେ ସେହି ଗୋଟିଏ କଥା କହିଛ ଯାହା ଏବେବି କହୁଛି ତମର ହୋଇ ତମ ପାଖରେ ଯାହାଥିଲା ସେ ସବୁ ମୋ ପାଇଁ ଉଦ୍ଧିଷ୍ଟ ବୋଲି କହି ତମର ସର୍ବସ୍ଵ ଅର୍ପଣ କରିଛ ହେଲେ ତା ପ୍ରତି ବଦଳରେ କ'ଣ ପାଇଛକହିବ କି ? ତମକୁ ତ ପାଇଛି ମୋ ପାଇଁ ତମ ଠାରୁ ଉତ୍କୃଷ୍ଟ ସମ୍ପାଦ ଏ ଦୁନିଆରେ ଆଉ କ'ଣ ଅଛି କି ? ତମର ତ୍ୟାଗ ଓ ନିରୁତା ଭଲପାଇବାର ଭାବନରୁ ମୁଁ ଅବଗତ ହେଲି ଯେ ଦରିଦ୍ରର କଶାଘାତର ପୀଡା ତମକୁ ବାଧେନି ସତରେ ତମେ ମାନବୀ ନା ଦେବୀ ? ତମେ କ'ଣ ଜାଣନିକି । ସମସ୍ତ ବେଦନାରୁ ଆନନ୍ଦ ସାଉଁଟିବା ମୋର ଧର୍ମ ତାଛଡ଼ା ଆମେ ତ ଦୁଃଖର କୁଟୁମ୍ବ କ୍ଷୁଧା ଆମର ବନ୍ଧୁ ଆମ ଲୁହରେ ସମୃଦ୍ଧ ସିନ୍ଧୁ ଯିଏ ସିନ୍ଧୁକୁ ସମୃଦ୍ଧ କରିପାରେ ତା'ର ଆଉ କ'ଣ ଅଭାବ ଥାଏ କି ?

ତମେ ନାହିଁ ବୋଲି

ସେ ଦିନ ଶରତ ଜହ୍ନର ଜ୍ୟୋତ୍ସ୍ନାରେ ବିଧୌତ ରାତିଟା କିଛି କ୍ଷଣ ଅନୁଭବ ହୋଇଥିଲା ଆଜି ଫଗୁଣର ଫଗୁ ଦଶମିରେ ଫଗୁବୁଣି ଆସିଥିବା ଜହ୍ନର ଜ୍ୟୋତ୍ସ୍ନାରେ ରଙ୍ଗାୟିତ୍ତ ରାତିଟା ଅସରନ୍ତି ମନେ ହେଉଛି କେବଳ ତମେ ନାହିଁ ବୋଲି । ଆଖିର ନିଦ ହଜି ଯିବାରୁ ରାତି ସାରା ତମ ସ୍ମୃତି ସାଗରର ଉତ୍ତାଳ ଉର୍ମିକୁ ଦେଖୁଥିଲି ହେଲେ ସେ ଲୋଭନିୟ ଦିଶୁଥିଲା ବୋଲି ତାକୁ ଧରିବାକୁ ହାତ ବଢ଼ାଉ ବଢ଼ାଉ ସେ ମତେ ଡାଣିନେଇ ସକାଳ ହେଲା ଯାଏ ବନ୍ଦ କରି ରଖିଲା ତା ଅଶ୍ଲେଷ ଭିତରେ କେବଳ ତମେ ନାହିଁ ବୋଲି ।

ବିରଳ ଦମ୍ପତି

ସକାଳୁ ବିଛଣାରୁ ଉଠି ବାରିପଟେ ଗଲା ବେଳେ ଆଲମିରା ର ଭଙ୍ଗା ଆଇନାରେ ନଜର ପଡିଲା ମୋର । ନିଜ ମୁହଁ ନିଜେ ଦେଖୁ ଦେଖୁ ଓଠ ତଳେ ଲାଗିଛି ସିନ୍ଦୁର ପାଦକୁ ଚାହିଁଲା ବେଳେ ପାଦରେ ବି ଅଳତା ର ଚିହ୍ନ । ଶରୀରର ବିଭିନ୍ନ ଜାଗାରେ ହଳଦୀ ଯାଇଛି ଲାଗି ପ୍ରିୟାକୁ ଡାକି ପଚାରିଲି ମୋର ଏଦଶା କେମିତି ହେଲା । ପ୍ରିୟା କହିଲା ତୁମ ପ୍ରଶ୍ନରେ ହିଁ ଉତ୍ତର ଅଛି ନିଜ ମନକୁ ପଚାରି ବୁଝ ଦେଖୁନ ମୋ ଗାଲରେ ଏବେ ବି ତମ ଓଠ ଛାପ ଅଛି । ଏ ଯାଏଁ ଛାତିରୁ ତମ ଆଙ୍ଗୁଠି ଚିହ୍ନ ଲିଭିନାହିଁ ସବୁ ଜାଣି ମଧ୍ୟ ଯଦି ତମେ ଉତ୍ତର ଚାହିଁ ତା ହେଲେ ମୁଁ କହିବି ସେଇ ତ ପ୍ରେମ ଭଲ ପାଇବାର ଚିହ୍ନ ସଫଳ ଦାମ୍ପତ୍ୟ ଜୀବନ ର ଲକ୍ଷଣ ।

ସତ ରେ ସତ !

ସବୁ କିଛି ହାତ ପାଆନ୍ତା ରେ ମନେ କରେ ତମେ ପାଖରେ ଥିଲେ । ତମେ ପାଖ ଛଡା ହେଲେ ତମ କଥା ଭାବି ବାଟ ଚାଲୁଥିଲେ ବାଟବଣା ହୁଏ ମୁଁ । ରାତିରେ ତମ କଥା ଭାବିଲେ ନିଦ ବାଟବଣା ହୁଏ ମୋ ପାଖରେ ପହଞ୍ଚିବା ପୂର୍ବରୁ । ଏକଲା ପଣର ବୋଝକୁ ହାଲକା କରିବା ପାଇଁ ନୀଡ ବାହାରକୁ ଯାଇ ତାରା ଗୁଣ ଗଣୁ ମୋ ପିଠିକୁ ଥାପୁଡାଇ ସାନ୍ତ୍ବାନା ଦେଇ ରାତି କହିଲା ବେଳେ ବେଳେ ଏମିତି ହୁଏ । ଏମିତି କାହିଁକି ହୁଏ ବୋଲି ପ୍ରଶ୍ନ କରିବାରୁ କହିଲା ସେମିତି ହୁଏ ବୋଲି ତ ସମଗ୍ର ସୃଷ୍ଟି ଜୀବନ୍ତ । ଏମିତି ଅନେକ ଉକ୍ତି ଦ୍ୱନ୍ଦ୍ବରେ ଛନ୍ଦେ ମତେ । ଏବେ ତମେ କହିବ ଯାହା ଉଲେଖ କରାଯାଇଛି ସେ ସବୁ ସତରେ କ'ଣ ସତ ।

ଧନ୍ୟ ତୁମ ଦୂର ଦୃଷ୍ଟି

ସେ ଦିନ କିଛି ପ୍ରତ୍ୟାଶା ରଖି ଅନେକ ମୂଲ୍ୟବାନ ଦ୍ରବ୍ୟ ଯାଚିଥିଲି ହେଲେ ତମେ ସେ ସବୁ ମୂଲ୍ୟମାନ ଦ୍ରବ୍ୟକୁ ପ୍ରତ୍ୟାଖାନ କରି ମାଗିଥିଲ କେବଳ ଟୋପାଏ ସିନ୍ଦୁର । ତମର ଆବିଳ ବିହୀନ ଅଭିପ୍ରାୟକୁ ନବୁଝି ତମ ଅଭିଳାଷ ପୂର୍ଣ୍ଣ କରିଥିଲି । ପ୍ରତି ବଦଳରେ ତମର ବୋଲି ଯେଉଁ ଅମୂଲ୍ୟ ଦୁର୍ଲଭ ସମ୍ପଦକୁ ଯତ୍ନରେ ସାଇତି ଥିଲ ତାକୁ ଅର୍ପଣ କରିଥିଲ ପ୍ରତ୍ୟାଶା ନରଖି । ହେଲେ ଆଜି ତମର ସେ ଉର୍ତ୍ସଗୀତ ଅଭିପ୍ରାୟକୁ ବୁଝିଲା ବେଳକୁ ମୁଁ ନିଜକୁ ନିଜେ ଖୋଜି ପାଇନି କାରଣ ସଂପୂର୍ଣ୍ଣ ଭାବେ ମୁଁ... ।

ସତ କହିଛି ନା

ତମେ ନ କହିଲେ ମଧ୍ୟ ତମ ଆଖି କହୁଛି ଦୁଃଖ ସହିବାକୁ ବିଧାତାଙ୍କ ଠାରୁ ଅଶେଷ ଶକ୍ତି ମାଗି ଆଣିଛ ତମେ । ସେଥି ସକାଶେ ଅଶିଣରେ ଆମ କୁଟୀରର ଛାତର ଛିଦ୍ର ପଟେ ଜ୍ୟୋତ୍ସ୍ନା ବୁଣି ହେଲେ ତମେ କହୁଥାଅ ଜହ୍ନ ଫୁଲ ଫୁଟିଛି । ବେଳେ ବେଳେ କୌତୁହଳରେ ସେ ଫୁଲମାନଙ୍କ ଆଞ୍ଜୁଳାଇ ବାକୁ ପ୍ରୟାସ କରି ଧରି ନପାରି ଥକି ପଢ଼ିଲେ ବି ହାର ମାନିନି । ଶରତ ବ୍ୟତୀତ ଅନ୍ୟ ଏକ ରାକାରଜନୀରେ ମୋ ନୁଖୁରା ଛାତି ଉପରେ ମଥାରଖି ଜ୍ୟୋତ୍ସ୍ନାର ଚାଦର ଘୋଡି ହୋଇ ମତେ ଅଶ୍ଲେଷେଇ ଆନନ୍ଦରେ ବତୁରୁ ଥାଅ ଦୁଃଖକୁ ଗୋଇଠ ମାରି । ତମ ଅନୁଭବକୁ ମୁଁ ଅନୁଭବ କରି ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ତମେ ମାନବୀ ନୁହଁ । ସତରେ ମୁଁ ସତ କହିଛି ନା !

ସଂସ୍କାର

ଗୋଟେ ପ୍ରଶ୍ନର ଉତ୍ତର ଦେଇ ପାରିବେକି ବନ୍ଧୁବର ପଚାରନ୍ତୁ ମହୀୟସୀ ବାନ୍ଧବୀ ମନେକର ଏହି ଜାଗାଟା ଗୋଟେ କୋଠା ଉପର ଛାତ ଯେଉଁ କୋଠାରେ ତମେ ଆଉ ମୁଁ ଏକାଠି ହୋଇଛେ କିଛି କ୍ଷଣ ପାଇଁ ଧରିନିଅ ବର୍ଭମାନ ସମୟଟା ଶ୍ରାବଣ ସନ୍ଧ୍ୟା ହଠାତ କଳହାଣ୍ଡିଆ ମେଘ ସବୁ ଆଡୁ ଅନ୍ଧାର କରିଦିଅନ୍ତା ଘଡ ଘଡି ଶବ୍ଦ ଶୁଣି ଛାନିଆ ହୋଇ ମୁଁ ତମକୁ କୁଣ୍ଢାଇ ଧରନ୍ତି । ତା ପରେ ବର୍ଷା ହେଲେ କାଳେ ଭିଜି ଯିବା ସେଥପାଇଁ ତମେ ମତେ କୁଣ୍ଢାଇ ଶିଡ଼ି ପଟେ ଘର ଭିତରକୁ ନେଉଛି । ଆଉ ଆମେ ଘର ଭିତରକୁ ଗଲା ପରେ ଝଡ ତୋଫାନ ହେତୁ ବିଦ୍ୟୁତ୍ କଟି ଯାଆନ୍ତା ତା ପରେ କ’ଣ ହୁଅନ୍ତା । କିଛି ହୁଅନ୍ତାନି କାହିଁକି ନା ବିବାହ ପରେ ଯାହା କରାହୁଏ ତାହା ବିବାହ ପୂର୍ବରୁ କରିବା ନିଷେଧ ।

ନିୟତି ନିଷ୍ଠୁର ନୁହକି ?

ଶୈଶବ ର ବାଲି ଖେଳରୁ ବଂଚିତ କିଶୋର ବୟସର ଚପଳତା ବି କ୍ଷତକ୍ତ ହୋଇଥିଲା ଅସୂୟା ଚାବୁକ ପ୍ରହାରରେ । ଯୁବା ବୟସରେ ନିଆରା ଢ଼ଙ୍ଗରେ ଜଡ ସଦୃଶ ପଡ଼ି ରହିଥିଲା ମୋ ଜୀବନ ମରୁ ଭୁମିରେ ଅକସ୍ମାତ ସ୍ପନ୍ଦନ ସୃଷ୍ଟି ହେଲା ମୋ ଭିତରେ କେବଳ ତମରି ସ୍ପର୍ଶରେ ଆଉ ତାପରେ ଅନେକ ସ୍ଵପ୍ନ ଦେଖିଲି ସ୍ଵପ୍ନର ଶିଡି ଚଢ଼ି ଜହ୍ନ ତାରା ତୋଳିବାକୁ ହାତ ବଢ଼ାଇଲି ସେ ରାଜ୍ୟରେ ତାଜ ମହଲଟି କିଣିଲି । ତାକୁ ତମେ ବାସ୍ତବ ରଙ୍ଗରେ ରଙ୍ଗିନ କଲ ମୋ ଜୀବନକୁ ସବୁଜିମାରେ ସଜାଇ ଦେଲ । ତା ପରେ ମୋ ପାଦ ତଳର ମାଟି ମତେ ଇର୍ଷା କଲା ଆକାଶର ଚକ୍ଷୁ ଶୂଳ ହେଲା ନିୟଯୁତିର ମନ୍ତ୍ରଣାରେ କ୍ରୁର କାଳ ବୈଶାଖି ଆମ ସ୍ଵପ୍ନର ସାମ୍ରାଜ୍ୟକୁ ବିଧ୍ଵଂସ କଲା କିଛି କ୍ଷଣରେ ଏହା କ'ଣ ନିୟତି ର ନୀତି !

ଅଗ୍ନି ପରୀକ୍ଷା

ଲୁହର ଉଷ୍ମତାରେ ସିଝିଲା ପରେ ସେଥିରୁ ଉପଶମ ପାଇଁ ମେଘ ମହ୍ଲାର ରାଗରେ ଗୀତ ଗାଉଥିଲା ପବନ । ତା’ର ସ୍ଵର ଝଙ୍କାର ଶୁଣି ନିୟତି ର ନୀତି ଠାରୁ ବିଚିତ୍ର ଢ଼ଙ୍ଗରେ ସବନ୍ତକୁ ସାଙ୍ଗରେ ଆଣି ଆସିଲା ବର୍ଷା । ପବନର ତନୁକୁ ସିକ୍ତ କରି ତା ମନର ଉଷ୍ମତାକୁ ବଢ଼ାଇ ଅବ୍ୟକ୍ତ ବେଦନାରେ ଜର୍ଜରିତ କଲା ତାକୁ ପବନ ସାମାନ୍ୟ କ୍ରୋଧିତ ହେଲେ ବି ବିନୟ ସ୍ବରରେ ପ୍ରଶ୍ନ କଲା ମୋ କ୍ଷତକୁ ଉଖାରି ଆଉ ଏକ ବେଦନା ଯୁକ୍ତ କଲି କାହିଁକି ? ବର୍ଷା ଆନମନ ହୋଇ କହିଲା ତମକୁ ଅଗ୍ନି ପରୀକ୍ଷା ଦେବାକୁ ହେବ !

୰ ସାଥିର ସନ୍ଦେଶ

ଯେଉଁ ଦିନ ତା’ର ଅଭାବ ଅନୁଭବ ହୁଏ ସେ ଦିନ ସେ ସ୍ବପ୍ନରେ ଆସେ । ଆଉ ତାପରେ ମୋ ଦାମ୍ଭିକତାକୁ ଦୁଲୁକାଇ ମୋ ଆଖିକୁ ଓଦାକରି ମତେ କିଛି କହିବାକୁ ସୁଯୋଗ ନଦେଇ କେମିତି ଅଛି ବୋଲି ପ୍ରଶ୍ନ କରେ । ପୁଣି କହେ ମୋ ଜାଗାରେ ମୁଁ ଭଲରେ ଅଛି ଯେ ସେ ଠି ସଂଘର୍ଷ ନାହିଁ ଆଉ ଏ କଥା ସତ ଯେ ସ୍ଵର୍ଗର ସ୍ଵର୍ଗୀୟ ଠାରୁ ଉତ୍କୃଷ୍ଟ ମର୍ତ୍ତ୍ୟ ମାଟିର ମହକ । ବିଭିନ୍ନ ସାନ୍ତ୍ବନା ଦେଇ ସବୁଥର ପରି ଏଥର ବି ବିଦାୟ ନେଲା ବେଳେ କହିଲା ମୋ ବ୍ୟତୀତ ତମ ପାଖରେ ଆଉ କଣ ନାହିଁ ଯେ.... ଏଥର ମୁଁ କହିଲି ମୋ ପାଖରେ ଯାହାଥିଲେ ବି ତମେ ନାହଁ ନା ।

ବର୍ଷା ବିରହ ପ୍ରେମ

ଯାହାର ଛୁଆଁରେ ମାଟି ମହମହ ମହକେ ପ୍ରେମିକ ମତୁଆଲା ହୁଏ କବିର ଲେଖନୀ ଚଳ ଚଞ୍ଚଳ ତାକୁ ବର୍ଷା ବ୍ୟତୀତ ଆଉ କଣ କହିବା । ଯିଏ ତନୁକୁ ନଜଳାଇ ମନକୁ ଜଳାଇ ହୃଦୟର ବେଦନାକୁ ଆଖୁ ପଟେ ନିଗାଡି ଦୁଃଖରେ ବତୁରାଇ ପାରେ ତାକୁ ବିରହ ବ୍ୟତୀତ ଆଉ କଣ କହିବା । ପ୍ରତୀକ୍ଷାର ଯନ୍ତ୍ରଣା ଜୁଇରେ ଜଳୁଥିବା ଜୀବନରୁ ସବୁ ଅସୁମାରି ଯନ୍ତ୍ରଣାକୁ କିଛି କ୍ଷଣ ମଧ୍ୟରେ ଲାଘବ କରିପରେ ଯିଏ ତାକୁ ପ୍ରେମ ବ୍ୟତୀତ ଆଉ କ’ଣ କହିବା ।

ବାଃ ବାଃ ରେ ପ୍ରେମ

ପ୍ରେମର ପରିଭାଷା ଅନେକ ଲୋକ ଅନେକ ପ୍ରକାର କହିଛନ୍ତି ହେଲେ ସେ ସବୁଠାରୁ ଉଦ୍ଧିରେ ପ୍ରେମ ସ୍ବକୀୟ ଶକ୍ତିରେ ଶକ୍ତିମାନ । ଫୁଲର ମାନଭଞ୍ଜନ କରି ଲଜ୍ଜା ଆବରଣ ଖୋଲି ତା ମନ ତଳର ବରଫକୁ ତରଳାଇବାକୁ ସମର୍ଥ ପ୍ରେମ । ଅମାନିଆ ହୋଇ ଆଖିର ଏରୁଣ୍ଡିବନ୍ଧ ଡେଇଁ ଝରି ଆସୁଥିବା ଲୁହକୁ ବି ଅଟକାଇଦିଏ ପ୍ରେମ । ଏ କଥା ବି ସତ ଯେ ସରସ ସୁନ୍ଦର ସୁକୋମଳ ଗୋଲାପି ଅଧରକୁ ଲୁହ ପିଇବାକୁ ବାଧ୍ୟକରେ ପ୍ରେମ ହେଲେ ସେ ଲୁହରେ ସ୍ଵୟଂ ଓଦା ହୁଏ ।

କୁହନ୍ତୁନା

ଆଖି କେବଳ ଦେଖେନି ଅନେକ କିଛି କହେ କରେବି କାହାକୁ ଛଳନା କଣ୍ଟା ଶେଯରେ ଶୁଆଇ ଦିଏତ କାହାକୁ ପ୍ରତାରଣାର ଜୁଇରେ ଜାଳିଦିଏ । ଆପଣା ସ୍ବାର୍ଥ ପାଇଁ ଅନେକ ଅକୁହା କଥା ଇସାରାରେ କହେ କୁଟିଳତାର ଜାଲରେ ଅନେକଙ୍କୁ ଛନ୍ଦି କେତେକଙ୍କୁ ଜୀଅନ୍ତା ସମାଧି କରିଦିଏ ନିଷ୍ଣୁତାରେ । ତ୍ୟାଗର ମହତ୍ ଜାଣିଥିବା ଆଖି ତ୍ୟାଗର ପ୍ରଦୀପ ପ୍ରଜ୍ବଳନ କରେ ଆପଣା ଲୁହରେ । ଏମିତି ବି ଆଖୁ ଅଛି ବିଚ୍ଛେଦ ବହ୍ନିରେ ଜଳି ଆପଣା ଉଷୁମ ଅଶ୍ରୁକୁ ନିଗିଡିବାକୁ ନଦେଇ ଅନ୍ୟମାନଙ୍କ ଅଶ୍ରୁକୁ ନିଜେ ସାଇତି ରଖେ । ଲୁହକୁ ସାଇତି ରଖୁଥିବା ଆଖୁକୁ ଯଦି ଲୁହର ସିନ୍ଧୁ କହିବା ଲୁହ ଝରାଉଥିବା ଆଖୁକୁ ଯଦି ଲୁହର ଝରଣା କହିବା ଲୁହର ଠିକଣା ଜାଣିନଥିବା ଆଖିକୁ କ’ଣ କହିବା ? ।

କ'ଣ କହିବା କହିଲେ

ଭଲ ପାଇଥିବା ଫୁଲଠାରୁ ଧୋକା ଖାଇ ଅନ୍ୟ କୌଣସି ଫୁଲକୁ ନଛୁଇଁ ସବୁ ଫୁଲର ମହକକୁ ସାଉଁଟୁ ସାଉଁଟୁ ଧୋକା ଦେଇଥିବା ଫୁଲର ପ୍ରତିବିମ୍ବକୁ ନିଜ ଲୁହ ବିନ୍ଦୁରେ ଦେଖି ବିଚ୍ଛେଦ ବହ୍ନିରେ ଜଳି ଅନାବିଳ ଭାବନାରେ ଯିଏ ଜୀବନ ଜିଏ ତାକୁ କଣ କହିବା । ନିଜେ ଉଜାଗର ରହି ନିରୀହ ରାତିକୁ ସ୍ବକୀୟ ଆଶ୍ଳେଷକୁ ନେଇ ତା ପିଠିକୁ ଥାପୁଡାଇ ନାନା ବାୟା ଗୀତ ଶୁଣାଇ ଯିଏ ରାତିକୁ ଶୁଆଇ ପାରେ ତାକୁ କଣ କହିବା । ପ୍ରୀତି ପଙ୍କଜଙ୍କୁ ଛିନ୍ନ ଭିନ୍ନ କରି ମୁକୁଳି ଯିବାର ସମସ୍ତ ସମର୍ଥ୍ଯ ଥିଲେ ବି ତାର କୋମଳ ପାଖୁଡ଼ାକୁ କେତେ ବେଦନ ହେବ ସେ କଥା ଭାବି ଭାବି ଯିଏ ଚିର ନିଦ୍ରାରେ ଶୋଇଥାଏ ତାକୁ କଣ କହିବା କହିଲେ ।

ସତରେ କ'ଣ ଏମିତି ହୁଏ

ତାକୁ ଲେଖନୀ ଛୁଇଁନି ସିନା ହେଲେ ସେ ପ୍ରତିଫଳନ କରିପାରେ ପ୍ରେମର ପରି ଭାଷା । ସିଏ ତା ମନ ତଳର ଅଦେଖା ବ୍ୟଥାକୁ କହୁ କହୁ ମନକୁ ଛୁଇଁ ତନୁକୁ ଉଷୁମାଇ ପାରେ । ଆବଶ୍ୟକ ହେଲେ ସମସ୍ତ ଅକୁହା କଥା ଇସାରାରେ କହେ ଆଉ ସାମାନ୍ୟ ଆଘାତ ଲାଗିଲେ ଶ୍ରାବଣୀ ପରି ଓଦାହୁଏ । ତା’ର ଚମତ୍କାରିତା ଅତୁଳନୀୟ ତଥାପି ସେଇଟା କଣ ବୋଲି ଯଦିକିଏ ପ୍ରଶ୍ନ କରେ ତେବେ ମୁଁ କହିବି ପ୍ରେମିକାର ଆଖୁ ବ୍ୟତୀତ ଆଉ କ’ଣ ହେଇ ପାରେ !

ଅଛିଣ୍ଡା ସଂପର୍କ

ଫୁଲ ଓ ପ୍ରଜାପତିର ସଂପର୍କ ତୁଟି ଯାଇପାରେ ଛିଣ୍ଡି ଯାଇପାରେ ଚାନ୍ଦ ଓ କୁମୁଦର ସଂପର୍କ ଡୋରି ନଦୀ ମାନେ ଭୁଲି ପାରନ୍ତି ସାଗରର ଠିକଣା ସନ୍ଧ୍ୟା ପ୍ରଭାତର ମିଳନ ହେଇପାରେ ଧରା ଧାରଣ ଶକ୍ତି ହରାଇପାରେ ଜଳବିନା ମୀନ ବଂଚିପାରେ ସବୁ ଅସମ୍ଭବ ସମ୍ଭବ ହେଇପାରେ ମାତ୍ର ତମର ମୋର ସଂପର୍କ ଅଛିଣ୍ଡା ଯାହା ଛିଣ୍ଡିବା ସଂମ୍ଭବ ହୋଇନପାରେ । ଏହି ପରିପ୍ରେକ୍ଷୀରେ ଅବଗତ ହୁଏ ଯେ ତମେ ଆଉ ମୁଁ ଅଭିନ୍ନ ଏ କଥା କେବଳ ମୁଁ କହୁନାହିଁ ସବୁଧର୍ମ ଗ୍ରନ୍ଥ ସବୁ ସଂପ୍ରଦାୟର ସନ୍ଥ ମହାତ୍ମା ମାନେ କହନ୍ତି ତମ ଭିତରେ ମୁଁ ନାହିଁ ବୋଲି କହି ପାରିବ କି ? ମାତ୍ର ମୁଁ ଦୃଢ଼ ଭାବେ କହିବି ମୋ ଭିତରେ ତମେ ଅଛ ଯେହେତୁ ତମେ ସର୍ବ ବ୍ୟାପକ ।

ଅତୀତ ଓ ବର୍ତ୍ତମାନ

ସେଦିନ ବିଜ୍ଞ ପ୍ରାଜ୍ଞ ପରାକ୍ରମୀଙ୍କ ଉପସ୍ଥିତିରେ ଜଣେ ସତୀସାଧ୍ବୀ ମହିୟସୀଙ୍କୁ ବିବସନ କରିବାକୁ ଉଦ୍ୟମ କରାଯାଇଥିଲା ଜଣଙ୍କ କୁମନ୍ତ୍ରଣାରେ । ସେହି ବୀରାଙ୍ଗନାକୁ ଯେଉଁମାନେ ସୁରକ୍ଷା ଦେଇପାରିଥାନ୍ତେ ସେ ପରାକ୍ରମୀମାନେ ପରିସ୍ଥିତିର ଦାଶ ପରି ସବୁ ବେଦନା ସହିବାକୁ ବାଧ୍ୟ ହୋଇଥିଲେ ହେଲେ ପର ମୁହୁର୍ଭରେ ସେହି ମହିୟସୀକୁ ନ୍ୟାୟ ଦେଇପାରିଥିଲେ ସଫଳ ହୋଇ ପାରିନଥିଲା କୌରବଙ୍କ ଉଦ୍ୟମ । ସେ କୌରବ ମାନଙ୍କ ଠାରୁ ସାଂଘାତିକ ଆଜିର କୌରବ ଅନେକ ମହିୟସୀଙ୍କୁ ବିବସନା କରିବା ସାଙ୍ଗକୁ ଅବିକଶିତ ସୁମନ ମାନଙ୍କୁ ବୃନ୍ତ ଚ୍ୟୁତ କରିଛନ୍ତି ନିଜେ କରିଥିବା ଦୁଷ୍କର୍ମର ପ୍ରମାଣ ନଷ୍ଟ କରି ଆଇନ ଆରେ ଆଙ୍ଗୁଳି ଖେଞ୍ଚି ଦୌରାତ୍ମ୍ଯର ସମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ସେମାନଙ୍କୁ ଫାଶରେ ଫସି ନିରୀହ ଅବଳା ମାନେ ଅଣନିଃଶ୍ବାସୀ ହେଲାପରେ ନିଜକୁ ଅସୁରକ୍ଷିତ ମନେ କରି ନ୍ୟାୟାଳୟର ଆଶ୍ରା ଲୋଡୁଛନ୍ତି ନ୍ୟାୟାଳୟ ସେମାନଙ୍କୁ ନ୍ୟାୟ ଦେଇ ପାରିବ !

ସ୍ଵଜାତି ଶତ୍ରୁ

ଧରିତ୍ରୀ ପରି ସବୁ ସହେ ବୋଲି ପୁରୁଷ ପଣିଆର ଦମ୍ଭରେ ତାକୁ ଅତ୍ୟାଚାର କରୁଥିବା ର ଦୃଷ୍ଟାନ୍ତ ଅଭାବ ନାହିଁ । ସେ ତା ଜାତି ଦ୍ଵାରା ନିର୍ଯାତିତ ହେଉଥାଏ ତଥାପି ସ୍ୱଜାତି ବିରୋଧରେ ପ୍ରତିବାଦ କରେନି । ନାରୀ ଉପାରେ ଅଳଙ୍କୃତ ହୋଇଥିଲେ ବି ଅଇରି ମେଳରେ ଅଣନିଃଶ୍ବାସୀ ହୋଇ ଜୀବନ ଜିଉଁଥାଏ ନିର୍ବିକାର ଭାବେ । ଯେତେବେଳେ ତା ନ୍ୟାର୍ଯ୍ୟ ଅଧିକାର ରୁ ବଂଚିତ ହୁଏ ସେତେବେଳେ ସେ ନାରୀରୁ ନାଗୁଣୀ ହେବାକୁ ପଛାଏନି ।

ହଁ ନ ହେଲେ, ନା, ପଦେ କହିବେ

ମହକ ବିତରଣ କରୁ କରୁ ମାଟିର ମହିତ ବୁଝିବା ପୂର୍ବରୁ ସଦ୍ୟ ପ୍ରସ୍ଫୁଟିତ ସୁମନଟି ବିକଳ କଣ୍ଡ ପ୍ରଶ୍ନ କଲା । ସୃଷ୍ଟିର ମହାଜୀବ ହେ ମଣିଷ ସମାଜ ସ୍ରଷ୍ଟାଙ୍କ ଉଦେଶ୍ୟ ନବୁଝି ମତେ ବୃନ୍ତ ଚ୍ୟୁତ କରି ତମେ କ'ଣ ଠିକ କରୁଛ ? ମୋ କ୍ରନ୍ଦନ ନଶୁଣି ମୋ ତନରେ କଣ୍ଟା ଫୋଡ଼ିବା ଉଚିତ ମନେ କରୁଛି କି ? ନିଜର ସୁବିଦା ସଉକ ପାଇଁ ଅନ୍ୟକୁ ପୀଡା ଦବା ଅନୁଚିତ ଏହା କଣ ସତରେ ଭୁଲିଯାଉଛି !

ଚେତାବନୀ

ନିଖୁଣ କୋମଳ ସୁବାସିତ ରସ ପୂର୍ଣ୍ଣ ପ୍ରସ୍ଫୁଟିତ ଫୁଲକୁ ଦେଖିଲେ ଭ୍ରମର ଉନ୍ମାଦିତ ହେବା ସ୍ବାଭାବିକ ତେଣୁ ସେ ଫୁଲକୁ ପ୍ରେମ ନିବେଦନ କରିପାରେ । ଫୁଲର ସାଇତା ମହୁକୁ ଆସ୍ବାଦନ ଲାଳସାରେ ଲାଳାୟିତ ହୋଇ ଅନେକ ତୁଚ୍ଛ ପ୍ରତିଶ୍ରୁତି ଦେଇପାରେ ହେଲେ ଯିଏ ପ୍ରଲୋଭନରେ ଫସେ ସିଏ ଅନୁତାପ କରେ । ରେ ଫୁଲମାନେ ଭଣ୍ଡ ଭ୍ରମର ର ଶସ୍ତା ପ୍ରଲୋଭନରେ ନ ଫସିଲେ ଭଲ କାରଣ ସ୍ଵାର୍ଥ ପର ବିଶ୍ବାସଘାତୀ ଭମରର ପ୍ରଲୋଭନରେ ଫସି କେତେ ଫୁଲ ବୃନ୍ତ ବ୍ୟୁତ ହୋଇ ଯାଇଛନ୍ତି ବୃନ୍ତ ବ୍ୟୁତ ଫୁଲର ମାନ ଅମ୍ଳାନ ରହି ନପାରେ ସଂଯମତାର ସହ ମହୁ ସାଇତି ଥିବା ଫୁଲକୁ ନିଶ୍ଚିତ ଭାବେ ସଚୋଟି ସରଳ ଭ୍ରମରଟି ବହୁ ଆଡମ୍ବରରେ ଆଦରି ନେବା ବଗିଚା ଏହିଭଳି ମାର୍ଗ ଦର୍ଶନ ଫୁଲମାନଙ୍କୁ ଦେଲେ ବଗିଚାର ସୌନ୍ଦର୍ଯ୍ୟ ଓ ମାନ ବଢ଼ିପାରେ ଫୁଲମାନଙ୍କ ଦ୍ଵାରା ।

ଦାୟୀ କିଏ ?

ସଦ୍ୟ ପ୍ରସ୍ଫୁଟିତ ଲାଲ ଟୁକୁ ଟୁକୁ ସୁ କୋମଳ ଫୁଲଟିକୁ ନିଷ୍ପାପ ଶିଶୁଟି ତାର ଅଙ୍ଗୁଳି ମୁନରେ ପାଖୁଡା ପାଖୁଡା ଉଖାରୁ ଥିଲେ ବି ଦରଦ ଅନୁଭବ ନ କରି ଓଲଟି ଆନନ୍ଦରେ ରୋମାଞ୍ଚିତ ହୁଏଁ ଫୁଲଟି ଯାହା ଅବର୍ଣ୍ଣନୀୟ କିନ୍ତୁ ଅମଣିଷ ସ୍ପର୍ଶରେ କ୍ଷତାକ୍ତ ହୁଏ । ସେ କ୍ଷତର ଯନ୍ତ୍ରଣା ସହି ପାରେନି କି କହିପାରେନି କାହାକୁ କ୍ରମଶଃ ଯନ୍ତ୍ରଣା ଉପଶମ ହେଲା ପରେ ମଧ୍ଯ ଦାଗ ଲିଭେ ନାହଁ ତେଣୁ ସେ ନିରୁପାୟ ଅସହାୟ ପରି କଳଙ୍କିତ ଆଖ୍ୟା ପାଇ ବଞ୍ଚେ ବିଧାତାଙ୍କୁ ନିନ୍ଦେ । ସଦ୍ୟ ପ୍ରସ୍ଫୁଟିତ ଫୁଲ ତ ଲୋଭନୀୟ ଆକର୍ଷଣୀୟ ଦିଶିବା ସ୍ଵାଭାବିକ ତାହା ବୋଲି ତାକୁ ଅସଦାଚରଣ କରିବା ମାନବିକତା କି ? କେତେ ମହତ୍ବ ଉଦ୍ଦେଶ୍ୟରେ ତାକୁ ସୃଷ୍ଟି କରିଛନ୍ତି ସ୍ରଷ୍ଟା ସ୍ରଷ୍ଟାଙ୍କ ନିୟମ ନ ମାନି ନ ବୁଝିଁ ତାକୁ ଅସଦାଚରଣ କରିବା ଅମଣିଷକୁ ଲାଞ୍ଜ ନଥିବା ପଶୁ କହିଲେ ପଶୁଙ୍କ ପ୍ରତି ଅମର୍ଯ୍ୟାଦା ହୋଇପାରେ କାରଣ ପଶୁମାନେ ସ୍ରଷ୍ଟାଙ୍କ ନିୟମକୁ ଉଲ୍ଲଙ୍ଘନ କରନ୍ତି ନାହିଁ ।

ମନ୍ତବ୍ୟ କାମ କରେନି

ସିଏ କାହାର ଜପକାର କରିବ କି ! ଅପକାର, ସେ କଥା ଆଦୌ ନ ବୁଝି ଅମାନବୀୟ ଗୁଣେ, ନିଷ୍ଠୁର ପଣେ, ତାକୁ ହତ୍ୟା କରାଯାଉଛି । ଆଲୋକ ଦେଖିବା ଆଗରୁ ଅନ୍ଧାରରେ ବିଲୀନ ହୋଇଯାଏ ସିଏ । ବିଶେଷ କରି ତା ଜାତି ତା ସପକ୍ଷରେ ନ ରହୁ ଥିବାରୁ ସିଏ ସଂପୂର୍ଣ୍ଣ ସୁରକ୍ଷା ପାଇ ପାରୁନି । ତାବିନା ଦିନେ ସମାଜ ଅବକ୍ଷୟ ହେବାର ସଂଭବାନା ଅଧିକ । ଏକଥା ବୁଦ୍ଧିଜୀବି ଜାଣି ସାରିଲେଣି, ତଥାପି ସମାଜକୁ ସୁଧାରି ପାରନ୍ତିନି କାରଣ ସମାଜ ମେଣ୍ଢାପଲ ପରି ତେଣୁ ବୁଦ୍ଧିଜୀବିଙ୍କ ମନ୍ତବ୍ୟ କାମ କରେନି ।

ହିଂସ୍ର କିଏ ?

ବାଘ ଭାଲୁ ବୁଢ଼ି ଅସୁରଣୀ ଆଦି ପ୍ରାଚୀନ ଗପ କହୁଥାନ୍ତି ଜେଜମା ବେଳେ ବେଳେ ସାଂପ୍ରତିକ ସମାଜର ଚାଲି ଚଳନି ବିଷୟରେ କହନ୍ତି । ଭଲ ଭାବରେ କଥା କହି ଜାଣି ନଥିବା ନିଷ୍ପାପ ସୁମନ କଳିକାଟି ଅସୁରକ୍ଷିତ ମନେ କଲା ସାଂପ୍ରତିକ ସମାଜର ଚାଲି ଚଳନୀ ଅବଗତ ହେଲାପରେ ପ୍ରାଚୀନ ଗପରୁ ହିଂସ୍ର ପ୍ରାଣୀଙ୍କ କଥା ଶୁଣିଥିଲା ନିଭୀକ ଥିଲା ସେମାନଙ୍କଠାରୁ ମଣିଷଯେ ଏତେ ସାଙ୍ଘାତିକ ସେ କଥା ଜାଣି ନଥିଲା । ମଣିଷ ଏତେ ମାରାତ୍ମକ ବୋଲି ଜାଣିଲା ପରେ ନିଜକୁ ନିଜେ ପ୍ରଶ୍ନ କଲା ମୁଁ କଣ ମଣିଷ ସମାଜ ପାଇଁ ଅଦରକାରୀ ? ଯଦି ନା ତାହା ହେଲେ ଭୃଣ ହତ୍ୟା ବଧୁହତ୍ୟା ହୁଏ କାହିଁକି ?

ଅବହେଳିତା ଉତ୍ସ

ସାମାଜିକ ନିୟମଠାରୁ ଉର୍ଦ୍ଧ୍ଵରେ ବିବାହ ପ୍ରଲୋଭନରେ ଫସି ଅବାଞ୍ଛିତ ମାତୃତ୍ବ ଲାଭ କଲା ପରେ କଳଙ୍କ କଳାରେ ଗାଧୋଇ ଦେବ ସମାଜ ସାମାଜିକ ନିୟମ ମାନି ସ୍ୱୀୟକୁ ସୁରକ୍ଷିତ ମନେ କରୁଥିବା ଚାରିକାନ୍ଥ ମଧ୍ୟରେ ତାକୁ ହତ୍ୟା କରି ଆତ୍ମହତ୍ୟାର ଆଖ୍ୟା ଦେଇ ନିର୍ଦ୍ଦୋଷରେ ଖଲାସ ହୁଏ ଯୌତୁକ ରାକ୍ଷାସ । ଜନ ଗହଳିପୂର୍ଣ୍ଣ ଖୋଲା ଆକାଶ ତଳେ ଯେଉଁଠି ଦିବସ ରଜନୀ କଳନା କରିହୁଏନି ସେ ଠାରେ ବି ଧର୍ଷିତା ଲହୁଲୁହାଣ ହୋଇ ଚିତ୍କାର କରିଥିବାର ପ୍ରତିଧ୍ବନି ଶୁଭେ । ଯେଉଁଠି ଅନ୍ଧାରର ରାଜୁତି ଚାଲେ ସେଠିକାର କଥା ଚିନ୍ତା କରୁ କରୁ ହୃଦୟ ସ୍ପନ୍ଦନ ଅସ୍ବାଭାବିକ ହୁଏ ସତରେ ତା’ର ସୁରକ୍ଷା କେଉଁଠି ?

ସୁନା ନାକୀ

କୌତୁକିଆ ଏକ ଲୋକ କଥା ଗାଁ କନିଆଁ ସୁନା ପାନିଆ ଉକ୍ତିଟିକୁ ଖଣ୍ଡନ କରି କିଛି ଲୋକ କହନ୍ତି ଗାଁ କନିଆଁ ସିଙ୍ଗାଣୀ ନାକୀ ପୁଣି କେତେକ ବୁଦ୍ଧିଜୀବି କହନ୍ତି ଯେଉଁ ଘରେ ନାହିଁ କନ୍ୟା ରତନ ସେହି ଘର ଦିଶେ ନାହିଁ ଯତନ ଏହି ଭାବ ବିଚାରକୁ ନେଲେ କନ୍ୟା ସୁନା ନାକୀ ହେଉକି ସିଙ୍ଗାଣୀ ନାକୀ ତା'ର ମହନୀୟତା ଅଧ୍ବକ ମନେ ହୁଏନି କି ? ତେଣୁ ତ କୁହାଯାଇଛି କନ୍ୟାଦାନ ମହାପୂଣ୍ୟ ଯାହାକୁ ଦାନ କଲେ ମହାପୂଣ୍ୟର ଫଳ ପ୍ରାପ୍ତ ହୁଏ ତା ପ୍ରତି ଆଦର ଉଣା କାହିଁକି ? ପ୍ରବାଦ ଅଛି ଦୂହିତା ଦୁଇ କୁଳକୁହିତା ସେ ଭୂମିଷ୍ଠ ହେଉ ହେଉ କାହାର କନ୍ୟା ତ କାହାର ଭଗ୍ନୀ ଦୁହିତା ବା କନ୍ୟା କାଳକ୍ରମେ ଜାୟା ହୋଇ ନିର୍ଯ୍ୟାତନର ଆୟୁଧରେ କ୍ଷତାକ୍ତ ହେଉଥିଲେ ମଧ୍ୟ କ୍ଷତରୁ ଆନନ୍ଦ ସାଉଁଟେ ଜନନୀ ହେଲାପରେ ଖୁସିବାଣ୍ଟେ ପୁରୁଷ ପ୍ରଧାନ ସମାଜ ହେତୁ କନ୍ୟାଙ୍କୁ ଗୌଣ ମଣି କୁହାଯାଏ ଗାଁ କନିଆଁ ସିଙ୍ଗାଣୀ ନାକୀ ଯଦି ମୁଁ କହିବି ଗାଁ କନିଆଁ ସୁବ ସିଙ୍ଗାଣୀ ନାକୀ ନୁହଁ ସୁନନାକୀ ତେବେ କଣ ଅସୁବିଧା ହେବ କି ?

କୃତଘ୍ନ

ଲୋକିକ ସଂସାର ରୂପକ ନନ୍ଦିଘୋଷ ରଥ ଏକକୁ ଆରେକ ଦୁଇଟି ଚକଦ୍ବାରା ପରିଚାଳିତ ହେଉଥିଲେ ମଧ୍ୟ ଗୋଟିଏକୁ ମୁଖ୍ୟ ଅନ୍ୟଟିକୁ ଗୌଣ ମନେ କରନ୍ତି କେତେକ ଅବୁଝା ଲୋକ ଯେଉଁ ଗୋଟାକୁ ଗୌଣ ମନେ କରାଯାଉଛି ସିଏ ତ ଜୀବନ ଚର୍ଯ୍ୟାକୁ ଭଲଘ୍ନ କରି ପାରେନି ନିଜେ ଲୁହରେ ଭିଜି୍ ଯନ୍ତ୍ରଣା ଜୁଇରେ ସିଝିି ଦୁଃଖକୁ ନିଜର କରି ଅନ୍ୟକୁ ଦାଣ୍ଟିଛି ସୁଖ । ହେଲେ ସେ ତା ଜୀବନ ଅପରାହ୍ନରେ ସେବା ପାଇବା ଅଧିକାର ଥିଲେ ବି ନିଷ୍ପେସିତ ଭାବେ ବଞ୍ଚେ ଅନ୍ୟର ଅଦରକାରୀ ହୋଇଥାଏ ତା ପାଇଁ ଦାୟୀ କିଏ ? ଏହା କଣ ସଂସାର ର ନୀତି ଏହା କଣ ପରଂପରା ହାୟରେ ବିଧାତା ଯାହାର ତ୍ୟାଗ ଅତୁଳନୀୟ ଯାହାର ଜୀବନ ଉତ୍ସର୍ଗୀକୃତ ତାକୁ ତାଛଲ୍ୟ ମନେ କରାଯାଉଛି ଏହା କ’ଣ ପ୍ରତିଦାନ ? ନା କୃତଘ୍ନ ।

ଅନନ୍ୟା

ଦିବଂଗତ ଜନନୀର ବିଛେଦରେ ମାଟିକୁ ମୁଠାଏ ସୁଖ ମାଗିବାରୁ ସେ କହିଲା ତୋ ମାଆ କୋଳରୁ ଯେଉଁ ସୁଖ ପାଇଥିଲୁ ତାକୁ ଆଉ ପାଇବୁନି କାହିଁକି ନା ତା'ର ବିକଳ୍ପ ନାହିଁ ଜହ୍ନକୁ କାଣିଚାଏ ଶୀତଳ ମାଗିବାରୁ ସେ କହିଲା ତୋ ମାଆର ପଣତ ଛାଇର ଶୀତଳତା ଠାରୁ ଅଧିକ ଶୀତଳ ଆଉ କେଉଁଠି ପାଇନ ପାରୁ ପବନକୁ କିଛି ମାଗିବା ପୂର୍ବରୁ ସେ ମତେ ବୁଝାଇଲା ତୋ ମାଆର କର ପାପୁଲିର ସ୍ନେହ ଭରା ସ୍ପର୍ଶଠାରୁ ଅଧିକ କିଛି ଦେଇ ନପାରେ ମୁଁ ପରିଶେଷରେ ବିଧାତାଙ୍କୁ ମୋ ବେଦନା ଜଣାଇଲି ସେ ସାନ୍ତ୍ବନା ଦେଇ କହିଲେ ମାଆର ଅଭାବ ତୁଲାଇ ନପାରେ ମୁଁ ।

କିଏ ସେ ?

ଶିଶୁଟି ଭୂମିଷ୍ଠ ହେବା ଆଗରୁ ବିଧାତା ଶିଶୁଟି ପାଇଁ ଯା ଦୂରେ ଅମୃତ ସାଇତିଥାନ୍ତି କୁଆଁ କୁଆଁ ଶବ୍ଦ ଶୁଣୁ ଶୁଣୁ ସମସ୍ତ ବେଦନା ଭୁଲି ଖୁସିରେ ଭଲୁ ଯା’ ଛାତି ଯିଏ ସମସ୍ତ ଅଝଟ ପଣ ଦୁଷ୍ଟାମିକୁ ସହ୍ୟ କରି ସ୍ନେହାଦର ରୂପକ ସଲିଳେ ଗାଧୋଇ ଦିଏ ତା ସନ୍ତାନକୁ ତା ସନ୍ତାନ ଶୈଶବରେ ଶୀତ ରାତିରେ ବିଛଣା ଓଦା କଲେ ବି ବିରକ୍ତି ନ ହୋଇ ଓଦା ବିଛଣାରେ ନିଜେ ଶୋଇ ତା ଉଷୁମ ଛାତିରେ ସନ୍ତାନକୁ ଶୁଆଇ ପଣତ ଘୋଡାଇ ଦିଏ । ସନ୍ତାନ ଅସୁସ୍ଥ ହେଲେ ଅନେକ ଦେବା ଦେବୀଙ୍କୁ ପାର୍ଥନା କରି ସନ୍ତାନର ଆରୋଗ୍ୟ କାମନା କରେ ବୃଦ୍ଧା ବୟସ ଉପନିତ ହେଲେ ତା ସନ୍ତାନ ତାକୁ ମୁଠେ ଖାଇବାକୁ ଦେଉ କି ନ ଦେଉ ସେଥିରେ ବିଚଳିତ ନ ହୋଇ ସନ୍ତାନର ଶୁଭ ମନାସେ -ଯିଏ ସିଏ ତ ଜନନୀ ଜନ୍ମ ଦାତ୍ରୀ ସ୍ବର୍ଗାଦପୀ ଗରୀୟସୀ ମାଆ

ଦୀପ୍ତିମୟ ଅଦିତୀୟ

ଯେଉଁଠି କୌଣସି ପ୍ରକାର ଆସକ୍ତି ନଥାଇ ସର୍ବ ବିତରଣ କରାଯାଏ ଯେଉଁଠି ଅହରହ ସ୍ନେହ ଶ୍ରଦ୍ଧାଦିର ମିଳନ ହୁଏ ଯେଉଁଠି ଛଳନାର ଛାଇ ପଡେ ନାହିଁ ସେଇଠି ପ୍ରେମ ବସା ବାନ୍ଧିଥାଏ । ପ୍ରେମ ପ୍ରତ୍ୟାଶା ରଖୁନଥାଏ ସେଥିପାଇଁ କେଉଁ ଅନାଦି କାଳରୁ ପ୍ରେମକୁ ତ୍ୟାଗର ପ୍ରତୀକ କୁହାଯାଇଛି ବର୍ତ୍ତମାନ ବି କୁହାଯାଏ । ବେଳେ ବେଳେ ପ୍ରେମକୁ ରୋଗ ସଂବୋଧନ କରିବାର ଶୁଣାଯାଏ ଯାହା ସଂପୂର୍ଣ୍ଣ ଭୁଲ ପ୍ରେମ ତ ରୋଗରୁ ଭୋଗରୁ ପୃଥକ ଦୀପ୍ତିମୟ ଅଦିତୀୟ ଶାଶ୍ବତ ପରିବ୍ୟାପ୍ତ ପ୍ରେମର ସୀମାଙ୍କନ କରିବା ଅସମ୍ଭବ ମନେ ହୁଏ । ଯିଏ ପ୍ରେମର ସଂଜ୍ଞା ଜାଣିନି ଯିଏ ପ୍ରେମି ହୋଇ ପାରିନି ସିଏ ଦୈହିକ ସଂଭୋଗକୁ ପ୍ରେମ ମନେ କରି ପ୍ରେମ ଅଢ଼େଇ ଦିନିଆ ବୋଲି କହେ ସିନା ବାସ୍ତବରେ ପ୍ରେମ କାଳଜୟି ହୋଇଥାଏ ।

ବୃଥା ଆସ୍ଫାଳନ

ଲୋକ ହିତୈଷୀ ମାନେ ପୁର କଣ୍ଟ କହିଯାଇଛନ୍ତି । ନିଜର ଦୁର୍ଗୁଣ ଖୋଜି ବାହାର କରିବା ସଂସାରର ସର୍ବ ଶ୍ରେଷ ଆବିଷ୍କାର । ସତରେ ଯିଏ ନିଜର ଦୁର୍ଗଣ ତେବେ ତାକୁ ଈର୍ଷା ଅନଳ କାଳିପାରେନି । କିଛି ଲୋକ ଉପରୋକ୍ତ ଭକ୍ତିର ମର୍ମ ନବୁଝି ଆପଣା କର୍ଭବ୍ୟ ଭୁଲି । ସ୍ୱ ଅଧିକାର ପ୍ରତିପାଦନ କରି ଭରର ପଢ଼ିଙ୍କୁ ଦୋଷୀ କହନ୍ତି । ନିଜକୁ ବିଜମନେ କରନ୍ତି ସିନା ହେଲେ ଯାହା ଜାଣିବା ନିହାତିଦରକାର ତାକୁ ଗୌଣ ମନେ କରନ୍ତି ଏହା ସମସ୍ତେ ଜାଣିବା ଦରକାର ଯେ କ’ଣ ପାଇବାକୁ ହେଲେ କ’ଣ ହେବାକୁ ହୁଏ ଅର୍ଥାତ ଦଶରଥ ପରି ବାପାଙ୍କୁ ହିଁ ରାମଚନ୍ଦ୍ର ପରି ପୁତ୍ର ପ୍ରାପ୍ତ ହୁଅନ୍ତି । ନିଜେ ଦଶରଥ ପରି ନହୋଇ ରାମଚନ୍ଦ୍ର ପରି ପୁତ୍ର ପାଇବାକୁ ଆଶା କରିବା ବୃଥା ଆସ୍କାଳନ ନୁହକି ?


Comments

Post a Comment

Popular Posts