ସଦ୍ୟ ସୁମନ









ପୂଜ୍ୟ ପୂଜା

ଗୁରୁ ପାଦେ ନିତି ଗୁହାରିଆ ପଡ଼ି ଭକ୍ତିରେ ଗୁରୁଙ୍କୁ ତୋଷିଛି ଅଗୁଣୀ ହେଲେବି ଗୁରୁ କୃପାବଳେ ଗୁଣୀ ଗଣେ ଗଣା ହୋଇଛି ।। ଗୁରୁଙ୍କୁ ଗଉଣ ମଣିବାନି ବନ୍ଧୁ ଗୁରୁମାନେ ପୂଜ୍ୟ ଅଟନ୍ତି ଗୁରୁଙ୍କ ଗୁଣକୁ ଆପଣେଇବାକୁ ଗୁଣୀଏ ପ୍ରୟାମ କରନ୍ତି ।। ଯେଉଁ ଗୁଣ ସର୍ବ ଦୁର୍ଗୁଣକୁ ଗୁଣ୍ଡ- କରିପାରେ ଅତି ସହଜେ ସେହି ଗୁଣ ଜ୍ଞାନ ଦେଇଥାନ୍ତି ଗୁରୁ ଆପଣା ଶିଷ୍ୟକୁ ଗୌରବେ ॥ ଗୁରୁଙ୍କର ଜ୍ଞାନ ଅଗ୍ନି ଜାଳିପାରେ ଅଜ୍ଞାନ ରୂପକ ମେରୁକୁ ତେଣୁ ଗଙ୍ଗାଧର ଗୋବିନ୍ଦଙ୍କ ସହ ସମାନ ମଣୁଛୁ ଗୁରୁଙ୍କୁ ॥ ଗୁରୁଙ୍କୁ ସମ୍ମାନ ଦିଏ ଯିଏ ସିଏ ଗୁଣୀ ଗଣେ ଗଣା ହୁଅନ୍ତି ଗୁଣୀ ଗୁଣ ଦେଖି ଗୁଣହୀନ ବ୍ୟକ୍ତି ଈର୍ଷା ଅନଳରେ ଜଳନ୍ତି ।।

ଶାନ୍ତି କୁଟୀର

ବିଷୟା ବିଷରେ ଜର୍ଜରିତ ହୋଇ ଦୁଃଖେ ସଢ଼ି ଗଲା ପରେ ସୁଖ ଶାନ୍ତି ଖୋଜି ଯାଉ ଯାଉ ଏକ ଜନଶୂନ୍ୟ ସୀମାନ୍ତରେ ॥ ନିଜ ହାତେ ନିଜେ ନିର୍ମାଣ କରିଲି ମାଟିର କୁଟିର ଗୋଟ ଅହରହ ଦିବ୍ୟ ଗୁଣ ବର୍ଷା ହୁଏ ମୋ କୁଟୀର ଚାରିପଟେ ।। ବିଭିନ୍ନ ଫୁଲର ମହକରେ ମୁଗ୍ଧ ହୋଇଥାଏ ମନ ପ୍ରାଣ ସେହି ଫୁଲ ହସି ସନ୍ଦେଶ ଦେଉଛି ଶିଖିବାକୁ ତା'ର ଗୁଣ ॥ ପୂନେଇଁ ତିଥିରେ ଶଶୀ ମୋ କୁଟୀରେ ପ୍ରଥମେ ପରଷେ ଜ୍ୟୋତ୍ସ୍ନା ତା'ପରେ ରଜନୀ-ଗନ୍ଧା ବି ହରଷେ ପରଷି ଦେଉଛି ବାସ୍ନା ॥ ଉଜାଗର ରହି ଶର୍ବରୀ ଶ୍ରଦ୍ଧାରେ ଅଭୟ ବାରତା ଦିଏ ଗଲାବେଳେ ବୁଣି ନିହାର କୁସୁମ ଶୀତଳ ବରଷି ଯାଏ ॥ ପ୍ରଭାତେ ତପନ କିରଣ ପ୍ରଥମେ ମୋ କୁଟୀର ଚୂଳେ ପଡ଼େ କୁଟୀର ସାମ୍ନାରେ ତ୍ୟାଗ ଧ୍ବଜା ନିତି ଫର ଫର ହୋଇ ଉଡ଼େ ॥ ସେହି ଧ୍ବଜା ଦେଖି ଶାନ୍ତି ଆସିଅଛି ଭଙ୍ଗା ମାଟିର କୁଟୀର- କି ସୁଖ ପାଉଛି କେଜାଣି ସେ ଆଉ ଫେରିବା ଇଚ୍ଛା ନ କରେ ।। ଅଜ୍ଞତ ଭାବରେ ବସ୍ତୁବାଦୀ ହୋଇ ଶାନ୍ତି ଖୋଜୁଥିଲେ ପୂର୍ବେ ତ୍ୟାଗ ଜଗତରେ ଶାନ୍ତି ଅଛି ବୋଲି ଅନୁଭବ ହେଲା ଏବେ ।।

ବିଭୁୁଦଭ ଫୁଲ

ପ୍ରୀତି ବଗିଚାର ଫୁଲର ମହକ ପ୍ରେମୀଙ୍କୁ ଖୁସି ପରଷେ ପ୍ରେମୀ ମାନେ ନୂଆ ଉବ୍ଦୀପନା ଜାଗେ ଯେବେ ସେ ଫୁଲଟି ହସେ ॥ ପ୍ରେମୀଙ୍କ ସପନ ରାଜ୍ୟରୁ ଫୁଲଟି ହୋଇଥିଲା କିଛି ବାର୍ଭା ତେଣୁ ସେ ଫୁଲକୁ କୋଳାଇ ନେବାକୁ ପ୍ରେମୀଙ୍କ ପ୍ରତିଯୋଗିତା ॥ ସେ ଫୁଲ ପାଖୁଡା ଓଠରୁ ମୋହର ମଦିରା ପିଇଲା ପରେ ସୁଖ ରାଜ୍ୟେ ରାଜା ହୋଇଗଲି ବୋଲି ପ୍ରେମ ଅନୁଭବ କରେ ॥ ଏମିତି ଫୁଲ ସେ ପ୍ରେମୀଙ୍କ ମନରେ ଉନ୍ମାଦନା ଭରିଦିଏ ପ୍ରେମୀଙ୍କର ମନ ଆକାଶରୁ ଦୁଃଖ କ୍ଷଣିକେ ଉଡ଼ାଇ ନିଏ ।। ତା'ର ସୁକୋମଳ ସରୁ ଅଧରରୁ ମମତାର ମହୁ ଝରେ ସେ ମହୁର ମିଠା ଅନିର୍ବଚନୀୟ ଅନୁଭବୀଙ୍କ ମତରେ ॥ ସେ ଫୁଲ ତା ନାଲି ଅଧରକୁ ମେଲି ଯଦି କିଛି କଥା କୁହେ ତା ମିଠା କଥାରେ ଦରଦୀ ମନର ଯନ୍ତ୍ରଣା ଲାଘବ ହୁଏ ॥ ସେ ଫୁଲର ମୂଲ୍ୟାଙ୍କନ କରି ନୁହେ ବିଭୁଦତ୍ତ ସେହି ପୁଲ ଅଷ୍ଟ ସିଦ୍ଧି ନବ ନିଧିଠୁ ଦୁର୍ଲ୍ଲଭ ତେଣୁ ସେ ଅଟେ ଅମୂଲ ॥

ବିଭୁ କୃପା

ଦରିଦ୍ର ପଙ୍କରୁ ଜନମ ନେଇଛି ପ୍ରତିଭା ପଙ୍କଜଟିଏ ତା ମହକ ଦୂର-ଦିଗ୍ବଳୟକୁ ମହକାଇ ଦେଉଥାଏ ॥ ତା'ର ପରିଧିର ପରିବେଶ ଠାରୁ ଆଦର ପାଉନି ବୋଲି- ଦିନେହେଲେ ଦୁଃଖ ନକରି ସେ ହିସେ ହୃଦୟ ଝରକା ଖୋଲି ॥ କାହାଠାରୁ କଟୁ-କଥା ଶୁଣିଲେ ବି ବିଚଳିତ ହୁଏ ନାହିଁ ନିଜ ବିଚାରକୁ ଦୃଢ଼ କରିଥାଏ ଯା'ଆ ଭାବ ତାକୁ ଦେଇ ॥ ଧନ ଥିଲେ ଧନୀ ବୋଲି ନିର୍ଦ୍ଦ୍ବନ୍ଦ୍ବରେ ସମସ୍ତେ କହନ୍ତି ସିନା ଗୁଣୀକୁ ସମସ୍ତେ ଚିହ୍ନିପାରିବେ କି ! ପ୍ରକୃତ ଶୁଣିଆ ବିନା ॥ ତେଣୁ ସେ ଗୁଣୀଙ୍କୁ ସନମାନ ଦିଏ ବିଭୁ କୃପା ଆଶା କରି ବିଭୁ କୃପା ବଳେ ମୂକ ବି ଭାଷଣ- ଦିଏ ପଙ୍ଗୁ ଲଘେଂ ଗିରି ॥

ମାଟି ମନ୍ଦିର

ଲୋଭର କବଳେ ମୋହ ଜାଲେ ରହି ଅଶାନ୍ତିରେ ସଢୁଥିଲି ତେଣୁ ଶାନ୍ତି ଖୋଜି ଯାଉ ଯାଉ ତ୍ୟାଗ- ଜଗତରେ ପହଞ୍ଚିଲି ॥ ତ୍ୟାଗ ଜଗତରୁ ଅକ୍ରୋଧ ରାଜ୍ୟରୁ ସାଉଁଟି ଆଣିଛି ମାଟି ଯୋ ମାଟିକୁ ସ୍ପର୍ଶ କରୁ କରୁ ଆପେ ଲୋଭ ମୋହ ଗଲେ ହଟି ॥ ସେ ମାଟି ମହିମା ମହକ ଅନେକ- ହିତ କଥା କହୁଥାଏ ଏଭଳି ମାଟି ସେ ଯା'ର ଗୁଣ ଗାନ ସୁର ପୁରେ ହେଉଥାଏ ॥ ଅକ୍ରୋଧ ଅହିଂସା ନିର୍ଲୋଭାଦି ଯେତେ ଦିବ୍ୟ ଗୁଣମାନ ଅଛି ସେ ସବୁ ତ୍ୟାଗରୁ ପ୍ରକଟ ବୋଲି ତ ଜ୍ଞାନୀମାନେ କହିଛନ୍ତି ।। ତ୍ୟାଗ ଜଗତର ମାଟିରେ ମନ୍ଦିର ନିଜ ହାତେ ମୁଁ ତୋଳିଲି ନମ୍ରତାରେ ନିବେଦନ କରି ନିଜେ ଶାନ୍ତି ଦେବୀଙ୍କୁ ବରିଲି ॥ ଶାନ୍ତି ଦେବୀ ଅହିଂସାର କର ଧରି ଅତିଥି ଭାବେ ଆସିଲେ ଚିର ସାଥୀ ହୋଇ ମୋ ହାତ ତିଆରି ମାଟି ମନ୍ଦିରେ ରହିଲେ ॥

ସ୍ନେହ କର

ଯେତେବେଳେ ତୁମେ ବୋହୂ ହେଇଥିଲ ସେ ଦିନର ସେହି ବ୍ୟଥା ଅନୁଭବୀ ହୋଇ ଭୁଲିଛି କେମିତି ତୁମ ଅତୀତର କଥା ॥ ସେ ଦିନ ତ ତମେ ମତେ କହୁଥିଲ ଶାଶୁଙ୍କ ତିକ୍ତ ଗଞ୍ଜଣା- ଅସହ୍ୟ ହେଉଛି ସହିବି କେମିତି କଟୁ କଥାର ବେଦନା ॥ ହେଲେ ଆଜି ତମେ ଶାଶୁ ହେଲାପରେ ଅରୁଚି ବଚନ ବାଣେ ବୋହୂ ହୃଦୟକୁ କ୍ଷତାକ୍ତ କରୁଛ ନିର୍ଦୟ ନିଷ୍ଠୁର ପଣେ ॥ ନିଷ୍ଠୁରତାର ପରିଣତି ଅତି- ଯନ୍ତ୍ରଣାଦାୟକ ଜାଣ ବେଳ ଥାଉ ଭେଳା ନ ବାନ୍ଧିଲେ ତମେ ପାଇବନି ପରିତ୍ରାଣ ॥ ତେଣୁ ତମେ ତମ ବୋହୂକୁ ଆଜିଠୁ ଝିଅ ଭାବି ସ୍ନେହ କର ବାର୍ଦ୍ଧକ୍ଯ ତମକୁ ଗ୍ରାସିଲେ ବୋହୂଠୁ କିଛି ସେବା ପାଇ ପାର ॥

ମନ୍ତ୍ରଣା

ସଜ୍ଜନମାନଙ୍କୁ ମୁଣ୍ଡିଆ ମାରିଲେ ଆଦରେ ସ୍ନେହ କରନ୍ତ ଦୁର୍ଜନମାନଙ୍କୁ ସନମାନ ଦେଲେ ଅସୂୟା ଭାବେ ଦେଖନ୍ତି ॥ ନିରୀହ ଲୋକର ଗୁଣକୁ ଦେଖିଲେ ପ୍ରେରଣା ଦିଏ ସଜ୍ଜନ ଅନ୍ୟର ଗୁଣକୁ ସନମାନ ଦେବା ଶିଖି ନ ଥାଏ ଦୁର୍ଜନ ॥ ଗୁଣୀ ଜ୍ଞାନୀମାନେ ନମ୍ରତା ରଚନ୍ତି ଫଳଯୁକ୍ତ ବୃକ୍ଷ ପରି ଅହଂ ମଦରେ ମାତାଲ ରହନ୍ତି କ୍ରୂର ନର ଦୁରାଚାରୀ ॥ ସଜ୍ଜନମାନଙ୍କ କଟୁ କଥାରେ ବି ମଙ୍ଗଳ ନିହିତ ଥାଏ ଦୁର୍ଜନମାନଙ୍କ କଅଁଳିଆ କଥା କୁପଥଗାମୀ କରାଏ ॥ ସମାଜର ହିତ ଚିନ୍ତା କରିଥାନ୍ତି ସଜ୍ଜନ ସୁଜ୍ଞାନୀ ମାନେ ଦୁର୍ଜନ ସର୍ବଦା ଦୁଃଖ ଦେଇଥାନ୍ତି ନିଷ୍ପାପ ନିରୀହ ପ୍ରାଣେ । ତେଣୁ ମୁଁ ବିନୟେ‌‌ ଏତିକି କହିବି ଜନ ଜାତି ହିତ ପାଇଁ ଦୁର୍ଜନମାନଙ୍କ କୁମନ୍ତ୍ରଣା ଆଦୌ ଗ୍ରହଣ କରିବା ନାହିଁ ।

ମାନବ

ଯେତେ ଦିନ ଯାଏ ନିର୍ଜୀବ ପୂଜାରେ ମଜ୍ଜି ରହିଥିବ ମାନବ ସତ୍ୟକୁ ସ୍ବୀକାର ନ କରି ସଜୀବେ ବଳି ନା’ରେ ବଧ କରିବ ॥ ଧରମର ସଂଜ୍ଞା ଭୁଲି କହୁଥିବା ଶାସ୍ତ୍ରକୁ ଗୁରୁତ୍ବ ନ ଦେଇ ନିଜ ମତକୁ ହିଁ ସାବ୍ୟସ୍ତ କରିବ ପଣ୍ଡିତ ପଣିଆ ଦେଖାଇ ॥ ମାନବ ସେବାହିଁ ମାଧବଙ୍କ ସେବା ଏହି ସ୍ଲୋଗାନ ଦେଉଥିବ ମାନବଙ୍କ ଦୁଃଖ ଅବଗତ ହେଲେ ନାକ ଟେକି କଥା କହିବ ॥ ମହାପୁରୁଷଙ୍କ ବାଣୀ ଉଚ୍ଚାରଣ କରୁଥିବ ମର୍ମ ନ ଜାଣି ତେଣୁ ମାନବଙ୍କ ହୃଦେ ମାଧବଙ୍କୁ ଦରଶନ କରି ପାରେନି ॥ ପଥରକୁ ପ୍ରାଣ ପ୍ରତିଷ୍ଠା କରିବା ନିଶାରେ ଅନେକ ପ୍ରୟାସ- କରେ ସିନା ବିଧି ବିଧାନକୁ ଟାଳି ପାରିବକି ମୂଢ଼ ମଣିଷ ॥ ପଥର ଦେହରେ ସିନ୍ଦୂର ଲଗାଇ ମାଆ ମାଆ ବୋଲି ଡାକିବ ଆ... ଆ... ବୋଲି ତା ମାଆ ଡାକିଲେ ମାଆ ଡାକ ଶୁଭୁ ନ ଥିବ ॥ ହାଏରେ ମାନବ ତୋ ନିଜ ସ୍ଵଭାବ କେମିତି ପାଶୋରି ଯାଇଛୁ ପ୍ରାଣହୀନତାକୁ ଯତ୍ନେ ସେବା କରୁ ପ୍ରାଣୀଙ୍କୁ ଗୋଇଠା ମାରୁଛୁ ॥

ବାର୍ତ୍ତା

ଗୁଲି ଗପ କିମ୍ବା ଗୁଜବ ବାରତା କହିବାକୁ ଚାହେଁ ନାହିଁ ଗୁରୁତ୍ବ ଓ ଗୁଢ଼ ରହସ୍ୟ ଅନେକ କହେ ଜନ ହିତ ପାଇଁ ॥ ଗୋରସ ଖୁଆଇ ଗୋଖର ପୋଷିଲେ ଅକାଳେ ହେବ ମରଣ ଗୁଣହୀନ କ୍ରୂର ଗଣଙ୍କୁ ବିଶ୍ଵାସ କରନ୍ତିନି ଗୁଣୀ ଗଣ ॥ ଗନ୍ଧହୀନ ପୁଷ୍ପ ଗୌରବ ନ ପାଇ ନିତି ଝଡୁଥାଏ କେତେ ଗୁଣ ବିନା ଗୌଣ ମାନବର ମାନ ଥିଲେ ଥାଉ ଧନ ଯେତେ ॥ ଗୋରା ତୋରା ଗାତ୍ର ଗୋଲିଆ ଶ୍ରୀମୁଖ ଖୁଣ ନ ଥାଇ ଗଢ଼ଣେ ତା ଗୁମର କଥା ଜାଣିବା ପୂର୍ବରୁ ଫସିବାନି ପ୍ରଲୋଭନେ ॥ ଗଣ୍ଡୁଷ ଜଳରେ ଗଜ ବୁଡ଼ିଯିବା ବାର୍ତ୍ତା ଗ୍ରହଣୀୟ ନୁହଁ ଗଣିକା କାହାର ଗୃହିଣୀ ହେବାର କିଏ ଜାଣିଛ କି କୁହ ॥ ଗଭୀର ଭାବରେ ଗବେଷଣା କରି ସତ୍ୟକୁ ଜାଣିଲା ପରେ ଗୌଣ ମନେ ହେବ ମିଛ ଆଡ଼ମ୍ବର ସନ୍ଦେହ ହଟିବ ଖରେ ॥

ପରକୁ କିଆଁ ନିନ୍ଦିବା

ଅନ୍ୟର ଦୋଷକୁ ନ ଦେବା ପାଇଁ ବିନୟେ କହେ ସଭିଙ୍କୁ ଯେତିକି ପାରିବା ଚେଷ୍ଟା କରୁଥିବା ନିଜ ଦୋଷ ଖୋଜିବାକୁ ॥ ନିଜର ଦୋଷକୁ ଯିଏ ଦେଖେ ତାକୁ ଭଲ ଲୋକ କୁହାଯାଏ ଭଲ ଲୋକଟିଏ ଇତର ଦୁଃଖରେ ନିଜେ ଭାଙ୍ଗି ପଡୁଥାଏ ॥ ଭଲ ଲୋକଙ୍କଠୁ ଭଲ ଗୁଣ କିଛି ଶିଖିବା ଉଚିତ ବୋଲି ଅନେକ ଲୋକଙ୍କୁ ଅନେକ ପ୍ରକାର ବିନୟ ଭାବେ କହିଲି ॥ ହେଲେ ମୋ ଉଦ୍ଦେଶ୍ୟ ବୁଝିଲେନି କେହି ଯୁକ୍ତି ବାଢ଼ିଲେ ଅନେକ କହିଲେ ତୁମର ଭଲ ପଣିଆକୁ ଯତନେ ସାଇତି ରଖ ॥ ପୁଣି ପ୍ରଶ୍ନ କଲେ ଅନ୍ୟ ଦୁଃଖେ ଦୁଃଖି- କିଏ ହୋଇଅଛି କୁହ ପର ପୀଡ଼ା ଦେଖି କାହା ନୟନରୁ ଝରିପଡ଼ିଛି କି ଲୁହ ! ॥ ଦମ୍ଭ ଧରି ଦୃଢ଼େ ପ୍ରତିବାଦ କରି ଏତିକି କହିଲି ମୁହିଁ ମନ୍ଦ ଗୁଣ ଧରି ଭଲ ମଣିଷଟି ଖୋଜିଲେ ପାଇବା ନାହିଁ ॥ ଭଲ ମଣିଷକୁ ଚିହ୍ନି ହେବ ସେବେ ଯେବେ ଆମେ ଭଲ ହେବା ନିଜେ ଯଦି ଭଲ ହୋଇ ପାରିବାନି ପରକୁ କିଆଁ ନିନ୍ଦିବା ॥

ଲୁହ ମିଶା ହସ

ଯେଉଁ ଓଠ ଆଦୌ ଲୁହର ଉଷ୍ମତା ଅନୁଭବ କରି ନାହିଁ ସେ ଓଠର ହସ ପ୍ରେମ ବରଫକୁ ତରଳାଇ ପାରେ ନାହିଁ । ଛଳନା ନଥାଇ ଲୁହ ଭିଜା ଓଠେ ଯେବେ ହସ ଫୁଲ ଫୁଟେ ମନ ପ୍ରାଣ ଦେଇ ଭଲ ପାଇବାର ସୂଚନା ସେଇଠୁ ଆସେ । ନିଜେ ଲୁହ ପିଇ ବେଦନା ସାଇତି ସାଥୀ ଓଠେ ହସେ ଯିଏ ସାଥୀକୁ ସର୍ବଦା ଖୁସି କରିଵାକୁ ପଣ କରିଥାଏ ସିଏ । ଲୁହରେ ବତୁରି ଥିବା ବେଦନାକୁ ଓଠ ଖୋଲି କହୁ କହୁ ଲୁହ ପିଇଥିବା ଓଠ ହସରୁ ଝରୁଥାଏ ପ୍ରୀତି ମହୁ । ଲୁହରେ ଭିଜା ଓଠ ପ୍ରିୟଜନ ପାଶେ କିଛି ଅଭିମାନ କରେ ମନର ମଣିଷ ବେଦନା ବୁଝିଲେ ନିଜକୁ ଅର୍ପଣ କରେ । ଏମିତି ଦରଦୀ ସାଥୀଟିଏ ଯିଏ ପାଇଛି ସେ ଭାଗ୍ୟବାନ ସାଥୀ ବିନା ତାକୁ ଊଣା ଲାଗୁଥିବା ସବୁ ବିଭବର ମାନ ।

ଅନିନ୍ଦ୍ୟ ବିଧାତା

ଟଙ୍କା ବିନା କିଛି ହୋଇପାରେ ନାହିଁ ସବୁ କିଛି ଟଙ୍କା ଦ୍ଵାରା- ହୋଇପାରେ ବୋଲି ଦୃଢ଼ ଭାବେ କେହି କହି ପାରନ୍ତିନି ପରା ॥ ଉପରୋକ୍ତ ଉକ୍ତି ଦ୍ବନ୍ଦ୍ବ ସୃଷ୍ଟି କରେ ପ୍ରାୟ ସଭିଙ୍କ ମନରେ ସେ ଦ୍ବନ୍ଦ୍ବ ସହଜେ ସମାଧାନ ହୁଏ ଦିବ୍ୟ ଦୃଷ୍ଟାଙ୍କ ବିଚାରେ ॥ ଟଙ୍କା ସୁନା ଦ୍ବାରା ବିଧି ବିଧାନକୁ ଟାଳି ପାରିଛି କି କିଏ ? ହିଁ କିମ୍ବା ନାହିଁ କହିବାକୁ କା’ର ସାହସ ପାଇ ନ ଥାଏ ॥ ତଥାପି ମଣିଷ ଟଙ୍କା ପଛେ ପଛେ ଦଉଡୁଛି ରାତି ଦିନ ପାପ ପୁଣ୍ୟାଦିର ବିଚାର ନ କରି ସାଉଁଟେ କେବଳ ଧନ ॥ ବିତ୍ତେ ଚୋର ଭୟ ଭୋଗେ ରୋଗ ଭୟ ଏକଥା ଜାଣିଲେ ମଧ୍ୟ ଭୋଗ ବିଳାସର ଲାଳଶାରେ କେତେ କରୁଥାନ୍ତି ଅପରାଧ ॥ ଅପରାଧୀମାନେ ଅହଂ ମଦ ପିଇ ଧରାକୁ ସରା ମଣନ୍ତି ପାପ କର୍ମ ଫଳ ଫଳିଲା ବେଳକୁ ବିଧାତାଙ୍କୁ ନିନ୍ଦୁଥାନ୍ତି ॥

ଦ୍ୱିତୀୟ ଈଶ୍ଵର

କଳ୍ପନା ବିଳାସୀ କବିଟି ସର୍ବଦା କଳ୍ପନା ରାଜ୍ୟରେ ବୁଲୁଛି ଲୋଭନୀୟ କିଛି ଦେଲେ ସେଇଠୁ ଆଦରେ ସାଉଁଟି ଆଣୁଛି । କଳ୍ପନା ରାଜ୍ୟରୁ ଯାହା ଆଣିଥାଏ ସେ ସବୁ ସମାଜ ହିତରେ ପର ଆପଣାର ନମଣି ସଭିଙ୍କୁ ବାଣ୍ଡୁଛି ଲେଖନୀ ମୁନରେ ॥ ନିଜ ସ୍ୱାର୍ଥ ପାଇଁ କାହା ସ୍ୱାର୍ଥ ହାନି କରିପାରେ ନାହିଁ କେବେ ବି ସମାଜ ସୁଖରେ ରହୁ ବୋଲି ଭାବେ ନିଜେ ଦୁଃଖୀ ହୋଇଥିଲେ ବି ॥ ସୁଖର ସପନ ଦେଖୁଥାଏ କବି ବାସ୍ତବରେ ସୁଖ ଜାଣେନି କବିଟି ସହଜେ ଦରଦୀ ହୃଦୟ କାହା ଦୁଃଖ ସହି ପାରେନି ॥ ଏଭଳି ଦରଦୀ କବିକୁ ସମାଜ ନାକ ଟେକି କଥା କହୁଛି ତଥାପି କବିଟି ସମାଜର ଶୁଭ ମନାସି କବିତା ଲେଖୁଛି ॥ କବି କୃତି ଯଦି କାଳଜୟୀ ହୁଏ ତେବେ କବି ପାଏ ଆଦର କବି ମଲାପରେ କବିକୁ ସମାଜ ନିର୍ଦ୍ଦ୍ବନ୍ଦ୍ବେ କହିବେ ଅମର ॥ ନୂତନତ୍ବ କିଛି ସୃଷ୍ଟି କରିବାର ଗୁଣ ଅଛି ବୋଲି କବିଙ୍କୁ ଦ୍ବିତୀୟ ଈଶ୍ଵର କୁହାଯାଇଅଛି ସାଉଁଟି କବି ପ୍ରତିଭାକୁ ॥

ପରିଣତି

ବଡ଼ଲୋକ ହେବା ଭଲ କଥା ହେଲେ ସାନଙ୍କୁ ଘୃଣା ନ କର ବିଭୁଙ୍କୁ ବିନୟେ କହିବି ମୁଁ ନିତି ମଙ୍ଗଳ ହେଉ ତୁମର ।। ନିଜ କ୍ଷମତାକୁ ଗର୍ବେ ଅପବ୍ୟୟ ଆଦୌ ନ କରିବା ପାଇଁ ସମସ୍ତଙ୍କୁ କର ଯୋଡ଼ି ଅନୁରୋଧ କରିବି ମୁଣ୍ଡ ନୁଆଁଇ ।। ଭଲ କାମ କଲେ ଭଲ ଫଳ ମିଳେ ତେଣୁ ଭଲ ଲୋକମାନେ ‌ ଭଲ କାମ କର ବୋଲି କାହିଥାନ୍ତି ସମସ୍ତକୁ ସବୁଦିନେ ।। ସାମର୍ଥ ପଣିଆ ଦେଖାଇ ଯଦିବା ଆମେ ଅବାଟରେ ଯିବା ପରିଣତି ଭୟାବହ ହେଲାପରେ ଦୁଃଖ କାହାକୁ କହିବା ।। ବିଭୁଦତ୍ତ ବୁଦ୍ଧି ବିବେକ ବିଭବ ଅକାରଣେ ବ୍ୟୟ କଲେ ବେଳ ଥାଉ ଥାଉ ଭେଳା ବୁଡ଼ିଯିବ ସତର୍କତା ଉଣା ହେଲେ ।। ସିଂହକୁ ଜୀବନ ଦାନ ଦେଇଥିବା ପଣ୍ଡିତ ମାନଙ୍କ ପରି ‌ଆମ ଦଶା ହେବ,ପାଶେ କେ ନଥିବ ଶୁଣିବା ପାଇଁ ଗୁହାରି ।।

ଅପିଆ ମଦ

ବିଷୟା ମଦର ନା... ଧରୁ ଧରୁ ଯୋ ନିଶା କବଳ କରେ ସେହି ନିଶା ଉପଭୋକ୍ତାର ଲଗାମ ଟାଣି ଉଠା ବସା କରେ ।। ମାନହାନି କରେ ଅହଂ ମଦ ନିଶା ଆବଶ୍ୟକଠୁ ବଳିଲେ ଧନ ମଦ ସଙ୍ଗେ ଜନ ମଦ ନିଶା ମାନବିକତାକୁ ଗିଳେ ।। ଯଉବନ ମଦ ନିଶା ବି ବିପଦ- ହେଲେ ବି ତା ସୀମା ଅଛି ଜ୍ଞାନ ମଦ ନିଶା ଅମାପ ଅସୀମ ସୀମା ନାହିଁ ତା’ର କିଛି ॥ ଧନ ଯଉବନ ଅବା ଜ୍ଞାନ ମଦ ପିଇବାକୁ ପଡ଼େ ନାହିଁ ସେ ଅପିଆ ମଦ ବାସନା ଲୋକଙ୍କ ବିବେକ ଚୋରାଇ ଥାଇ ।। ସେଇଥି ପାଇଁତ ସମସ୍ତ ନିଶାରୁ ନିବୃତ୍ତ ରହିବା ପାଇଁ ସମସ୍ତଙ୍କୁ କରଯୋଡ଼ି ନିବେଦନ କରିବି ମୁଣ୍ଡ ନୁଆଁଇ ।।

ବିଡମ୍ବନା

ସବୁ ସମ୍ପ୍ରଦାୟ ସବୁ ଧର୍ମ ଗ୍ରନ୍ଥ ସମସ୍ତ ସନ୍ଥ କହନ୍ତି ‌ଜୀବ ଜଗତରେ ସବୁଠାରୁ ଶ୍ରେଷ୍ଠ ଦୁର୍ଲଭ ମାନବ ଜାତି ।। ହେଲେ ତୁମେ ସବୁ ମାନବ ହେଲେବି ମାନବିକତାକୁ ଭୁଲି ନିଷ୍ଠୁର ଭାବରେ ମଣିଷ ରକ୍ତରେ ଖେଳି ପାରୁଛତ ହୋଲି । ସାର ଅସାର ବିଚାର କରିବାକୁ ବୁଦ୍ଧି ବିବେକ ବିଧାତା- ଦେଇଥିଲେ ମଧ୍ୟ କେମିତି ଭୁଲିଛ ମାନବୀୟ ନୀତି କଥା ।। ଉଚ୍ଚାସନେ ବସି ପୂର୍ବ ପୁରୁଷଙ୍କ ଗାଥା ଶୁଣାଉଛି ସିନା ସେମାନଙ୍କ ଭଳି ଜନତାଙ୍କ ସେବା କରିଛ କି ସ୍ଵାର୍ଥ ବିନା ।। ସ୍ବାର୍ଥ ସିଦ୍ଧି ତମେ କରିଅଛ ସିନା ଲୋଭ କବଳରେ ରହି ଅତି ଲୋଭେ ମୃତ୍ୟୁ ଲୁଚିରହି କହେ ଲୋଭ କର କାହା ପାଇଁ ।। ତୁମ ଅନ୍ତେ ତୁମେ ଅଚିରେ ଭୁଲିବେ ତୁମ ଚାରିପାଖ ଲୋକ ତ୍ୟାଗବ୍ରତ ପାଳି ଯିଏ ଯାଇଛି ସେ କାଳ କପାଳେ ତିଳକ ।।

ଦଣ୍ଡ ନିଶ୍ଚୟ

ମିଛ ପ୍ରତିଶ୍ରୁତି ଦେଇ ଭିକ୍ଷା ମାଗି ବଡ଼ ଲୋକ ହେଲା ପରେ ସବୁ ପ୍ରତିଶ୍ରୁତି ଭୁଲିଥାଅ ତମେ କ୍ଷମତା ପାଇଲା ପରେ ॥ ‌ଗରିବ ହଟାଅ ସ୍ଲୋଗାନ ଦେଇଣ ଗରିବଙ୍କୁ ଠକିଥାଅ ଅମଣିଷ କର୍ମ କଲେ ନିଜ ଲୋକ ତାକୁତି ଘଣ୍ଟ ଘୋଡ଼ାଅ ।। ଶାସକ ବୋଲାଇ ଶୋଷଣ କରିବା ସ୍ଵୀକୃତି ପାଇଲା ପରି ରାଜକୋଷ ତମେ ଲୁଟିଲେ ବି ଆମେ ଚାହିଁଥିବୁ ମୂକ ପରି ।। ପାଞ୍ଚ ବରଷରେ ଚେଷ୍ଟା କରି ତମେ ଭରିପାର ନିଜ ଡୋଲି ଆବଶ୍ୟକ ହେଲେ ସରଳ ଜନତା- ରକ୍ତେ ଖେଲିପାର ହୋଲି ।। ଜନତାଙ୍କ ଭାଗ୍ୟ ବିଧାତା ବୋଲାଇ ଜନତା ପ୍ରତି ଅନ୍ୟାୟ- କରିପାର ହେଲେ ବିଧାତା ବିଚାରେ ଦଣ୍ଡ ପାଇବ ନିଶ୍ଚୟ ।।

ସେମାନଙ୍କୁ ଡରେ

ଦୁଃଖକୁ ଡରେନି ମୃତ୍ୟୁକୁ ଡରେନି ଡର ନାହିଁ ହିଂସ୍ର ପ୍ରାଣୀଙ୍କୁ ବିପଦ ସାଙ୍ଗରେ ବନ୍ଧୁ ବାନ୍ଧିଛି ମୁଁ ତେଣୁ ଡରେନି ବିପଦକୁ ।। ଶତ୍ରୁକୁ ବି ମୋର ଡର ନାହିଁ ଜମା ଲଢ଼ିପାରେ ଶତ୍ରୁ ସଙ୍ଗରେ ଦୁର୍ଦ୍ଦାନ୍ତକୁ ମଧ୍ୟ ହାରି ନାହିଁ କେବେ ଜିଣିଥାଏ କଉଶଳରେ ॥ ଯେତେ ବଡ଼ ହୋଇ ଥାଉନା ସମସ୍ୟା ଡରେନି ସାମ୍ନା କରିବାକୁ ଡରୁଛି କେବଳ ଈର୍ଷା ପରାୟଣ କପଟୀ ବିଶ୍ବାସଘାତୀକୁ ।। ବିଶ୍ଵାସଘାତୀଙ୍କୁ ଡରିବା କାରଣ ସେହିମାନେ ପଛପଟରୁ ଆକ୍ରମଣ କରି କ୍ଷତାକ୍ତ କରନ୍ତି ସତର୍କ ହୋଇବା ପୂର୍ବରୁ ।। ସଇତାନ ଗୁଣ ଆଚରଣ କରି ରକତ ଶୋଷଣ କରନ୍ତି ଜୀବନେ ନ ମାରି ଅକର୍ମଣ୍ୟ କରି ଜୀଅନ୍ତା ଜଳାଇ ମାରନ୍ତି ।। ତେଣୁ ବନ୍ଧୁଗଣ ବିଶ୍ବାସଘାତୀକୁ ବିଶ୍ବାସ କରନି କେବେବି ବନ୍ଧୁ ପଣେ କରଯୋଡ଼ି ସମସ୍ତଙ୍କୁ ବିନୟେ ଏତିକି କହିବି ।।

ଅଫେରା ଗଳି

ମଣିଷ ଯାହାକୁ ଶେଷ ବୋଲି କହେ ସେ ଏକପ୍ରକାର ଆରମ୍ଭ ଆରମ୍ଭ ନଜାଣି ଶେଷର ନିର୍ଣ୍ଣୟ କରି କି ପାରିବ ମାନବ ।। ଯଦିଓ ଆରମ୍ଭ ଜାଣି ନାହିଁ ସିଏ ଶେଷ କଥା କାହୁଁ କହିବ ଆରମ୍ଭ ଓ ଶେଷ ମଧ୍ଯେ ଯାହା ସ୍ଥିତ ତାକୁ ରୂପ ଦେଇପାରିବ ।। ଆରମ୍ଭରେ ଶେଷ ଶେଷରେ ଆରମ୍ଭ ହୁଏ ବୋଲି ଯିଏ ଜାଣିଛି ସିଏ କେବେ କହିପାରିବ ନାହିଁତ ଆରମ୍ଭ କେଉଁଠୁ ହୋଇଛି ।। ଶେଷ ଗଳି କଥା କହିବ କେମିତି ଦ୍ବିତୀୟ ଗଳି ଯେ ଦେଖିନି ସେ ଗଳିରେ ଗଳି ଯାଆନ୍ତି ସମସ୍ତେ କେହିବିତ ଜଣେ ଫେରିନି ।। ଅଫେରା ଗଳି ସେ ଗିଳେ ସମସ୍ତଙ୍କୁ ଫେରିବା ସୁଯୋଗ ନଦେଇ ସେ ଗଳିର ଶେଷ ଖୋଜିଯାଇ କେଣେ ଥକିଗଲେ ଅନ୍ତ ନ ପାଇ ।। କେବଳ ଗୋଟିଏ ଗଳିରୁହିଁ ସୃଷ୍ଟି ହୋଇଛି ଏ ବିଶ୍ଵବଳୟ ସେହି ଗଳିରେହିଁ ସମୟ ଚକରେ ଚୁରି ହୋଇ ହୁଏ ପ୍ରଳୟ ।।

ମୃତ୍ୟୁ ଅଧୀନେ

ଜୀବନଠୁ ବେଶି ମୂଲ୍ୟବାନ ଦ୍ରବ୍ୟ ପାଇଛି କିଏ ଜୀବନେ ଜୀବନର ମୂଲ୍ୟ ହ୍ରାସ ହୁଏ ସିନା କପଟତା ଆଚରଣେ ।। ଜୀବନ ଫୁଲକୁ ସ୍ଵାର୍ଥ ନର୍ଦ୍ଦମାରେ ଭସାଇ ନଦେଲେ ଭଲ ସ୍ଵାର୍ଥ ତ୍ୟାଗ କରି ପାରିଲେ ଜୀବନେ ଅଧିକ ପାଇବ ମୂଲ୍ୟ ।। ଜୀବନର ସଂଜ୍ଞା ଅନେକ ପ୍ରକାର ଆଲୋଚନା କରାହୁଏ ଜୀବନ ସର୍ବଦା ଜଞାଳ ଜାଲରେ ଛନ୍ଦି ହୋଇ ରହିଥାଏ ।। ଜନ୍ମ ଓ ମୃତ୍ୟୁର ମଧ୍ୟ ଭାଗଟିକୁ ଜୀବନ କୁହାଯାଇଛି ଜୀବନର କିଛି ସ୍ବାଧୀନତା ନାହିଁ ମୃତ୍ୟୁ ଅଧୀନରେ ଅଛି ।। ମୃତ୍ୟୁର ଡାକରା ଆସିବା ପୂର୍ବରୁ ଜୀବ ଜଗତର ହିତେ ମଜ୍ଜିଯିବା ପାଇଁ ମାନବ ସମାଜେ କହିବି ମୁଁ ଯୋଡ଼ହସ୍ତେ ॥

ସାନର ଗୁଣ

ତାଳଠୁ ତିଳର ମହତ୍ତ୍ବ ଅଧିକ ଏପରି ବିଚାର ଯାହାର ସାନ ବଡ଼ ଭେଦ-ବନ୍ଧ ଡେଇଁ ସିଏ ସଭିଙ୍କୁ କରେ ଆପଣାର ।। ସବିତା ଆଲୋକ ସବୁଠାରୁ ଶ୍ରେଷ୍ଠ- ହେଲେବି ଅନେକ ସମୟେ କ୍ଷୁଦ୍ର ଦୀପଟିଏ ନିଜେ ଜଳି ଜଳି ଆଲୋକ ଦେଖାଏ ବିନୟେ ।। ବଡ଼ ପଣିଆର ଗର୍ବେ ରତ୍ନାକର ଜଳାଧୀଶ ବୋଲି କହୁଛି ତୃଷାର୍ତ୍ତକୁ ତୃପ୍ତି ଦେବା ଶକ୍ତି ନାହିଁ ତୃଷାର୍ଥୀ ତୃଷାରେ ଫେରୁଛି ।। ଆମ ଗାଆଁ ମୁଣ୍ଡ କୁନି ଝରଣାର ଜଳ ସୁଶୀଳ ମଧୁର କୃପଣତା ଗୁଣ ଜମା ନାହିଁ ତା’ର ଉଦ୍ଦେଶ୍ୟଟି ଉଚ୍ଚ କୋଟୀର ।। ସୁହାଗିନୀ ପରି ଖୁସି ବାଣ୍ଟି ବାଣ୍ଟି ଅବିରାମେ ଚାଲିଥାଏ ସେ ଅସୂୟା ଭାବକୁ ଦୂର କରିବାକୁ କାନେ କାନେ କହୁଥାଏ ସେ ॥ ବଡ଼ଙ୍କର ମାନହାନି ହେବ ନାହିଁ ସାନଙ୍କୁ ଆଦର କରିଲେ ହାନି ହେଇଥାନ୍ତା ଧରମା ସେ ଦିନ ନଜେ ବଳି ପଡ଼ି ନ ଥିଲେ ।। ସାନ ତ ସର୍ବଦା ବଡ଼ଙ୍କୁ ଭକ୍ତିରେ ଉଚିତ ସମ୍ମାନ ଦିଅନ୍ତି ବଡ଼ ବୋଲି ଆମେ ଗର୍ବ କରିବାନି ଆମ ଠାରୁ ବଡ଼ ଅଛନ୍ତି ।।

ମାଗୁଣି

ଜଗତ ଜନଙ୍କ ଜନକ ହେ ମୋର ଗୁହାରି ଶୁଣିମା ହେଉ ମୋର ଅଭିଳାଷ ପୂର୍ଣ୍ଣ କର ପ୍ରଭୁ ପିଣ୍ଡେ ପ୍ରାଣ ଥାଉ ଥାଉ ॥ ବଡ଼ ଲୋକ ମତେ କରିବନି ପ୍ରଭୁ ଭଲ ଲୋକଟି କରିବ ସୁଖୀ କରିବନି ଦୁଃଖ ସହିବାକୁ ଅଶେଷ ଶକତି ଦେବ ॥ ଯେମିତିକି ସୁଖ ପାଇବାକୁ ଆଦୌ ଇଚ୍ଛା ହେବନି ମୋ ମନେ ଦୁଃଖେ ସଢ଼ିଗଲେ ମଧ୍ୟ ଅଭିମାନ କରିବି ନାହିଁ ମୁଁ ଦିନେ ।। ତୁମରି ସୃଷ୍ଟିରେ ଯେଣେ ଦୁଃଖ ଅଛି ସବୁ ମତେ ପ୍ରାପ୍ତ ହେଉ ମୋ ଆଖି ଲୁହରେ ଜୀବ ଜଗତର ସବୁ ଦୁଃଖ ଭାଙ୍ଗିଯାଉ ।। ସମସ୍ତଙ୍କ ଓଠେ ହସ ଫୁଲ ଫୁଟୁ କିଏ ନ ଝରାଉ ଲୁହ ସୁଖ ଭଣ୍ଡାରର ସବୁତକ ସୁଖ ପ୍ରାଣୀ ହିତେ ବାଣ୍ଟିଦିଅ ॥ ଜଗତ ହିତରେ ଦୁଃଖ ନିଆଁରେ ମୋ ଜୀବନ ଜଳୁଥାଉ ମୋର ମାଗୁଣିର ମାନ ଊଣା ହେଲେ ତବ ଇଚ୍ଛା ପୂର୍ଣ୍ଣ ହେଉ ॥

ବ୍ୟାପକ ସଦ୍ଭା

ବ୍ରହ୍ମାଣ୍ଡରେ ତାଙ୍କୁ ଖୋଜ ନାହିଁ ସିଏ ସମସ୍ତଙ୍କ ପିଣ୍ଡେ ଅଛି ତେଣୁ ଜୀବ ବ୍ରହ୍ମ ଅଭିନ୍ନ ବୋଲି ତ ଶାସ୍ତ୍ର ସ୍ବୀକୃତି ଦେଇଛି ।। ବେଷ୍ଟି ଭାବନାରେ ବାନ୍ଧିହୋଇ ଶାନ୍ତି ଖୋଜିଲେ ପାଇବା ନାହିଁ ସମଷ୍ଟି ଭାବରେ ସମୀକ୍ଷା କରେ ଯେ ଉତ୍ତମ ମାନବ ସେହି ।। ବେଷ୍ଟି ବିଚାର ତ ବନ୍ଧନ କାରକ ବାନ୍ଧି ରଖେ ଚିରନ୍ତନ ସମଷ୍ଟି ତତ୍ତ୍ୱର ଅନୁଭବ ହେଲେ ସୁଲଭ ହୁଏ କଲ୍ୟାଣ ॥ ସ୍ଥାବର ଜଙ୍ଗମ ସବୁଠାରେ ବ୍ରହ୍ମ ଦରଶନ କରେ ଯିଏ ପାପ ପୁଣ୍ୟ ସୁଖ ଦୁଃଖର ଊର୍ଦ୍ଧ୍ବରେ ଶାନ୍ତିରେ ରହନ୍ତି ସିଏ ।। ଅସୂୟା ଭାବକୁ ଦୂର କରି ଆମେ ଭେଦଭାବ ଭୁଲି ଗଲେ ସ୍ରଷ୍ଟାଙ୍କ ସନ୍ଧାନ ଗାଇ ଚିରଞ୍ଜିବୀ ହୋଇଥିବା ଭୂମଣ୍ଡଳେ ।।

ଅହିତ ପ୍ରଥା

ଯାହାକୁ ଜଗତ ମାତା ବୋଲି କହୁ ତା ନାମେ କଳଙ୍କ ବୋଳି ଜିହ୍ୱା ଲାଳସାରେ ଜୀବ ମାରି ଆମେ କହୁ ବଳି ଦେଲୁ ବୋଲି ।। ବଳି ଅର୍ଥ, ବଧ ନୁହଇ କେବଳ ବଳିର ଅର୍ଥ ଉତ୍ସର୍ଗ- ସମର୍ପଣ ଦାନ ପୂକା ନଇବେଦ୍ୟ ‌ବଳିର ନିର୍ଯ୍ୟାସ ତ୍ୟାଗ ।। ତ୍ୟାଗ ବ୍ରତ ପାଳି ମାଆଙ୍କୁ ଡାକିଲେ ମାଆ ଶୁଣନ୍ତି ଡାକରା ତେଣୁ ଘୃଣ୍ୟ ପଶୁ-ବଳି ପ୍ରଥା ଛାଡ଼ି ପାଳୁଥିବା ପରମ୍ପରା ।। ମାଆର ମମତା କରୁଣା ବିନା ତ ସନ୍ତାନର ସ୍ଥିତି ନାହିଁ ସନ୍ତାନଙ୍କ ହିତ କାହାଣୀ ବୋଲି ମା । ବୋଲାନ୍ତି କରୁଣାମୟୀ ॥ ମାଆ ବୋଲି ଥରେ ଡାକିଦେଲେ ଯିଏ ସବୁ ଦୁଃଖ ହରି ନିଏ ସନ୍ତାନଙ୍କ ବଧ କରିବାକୁ କେବେ କହି ନ ଥିବତ ସିଏ ॥ ଅହରହ ମାଆ ଭଲ ପାଉଥାଏ ତା’ର ସନ୍ତାନମାନଙ୍କୁ ମାଆ ନା’ରେ ବଧ କରିବାନି ଆଉ ନିରୀହ ପ୍ରାଣୀମାନଙ୍କୁ ।।

ବିଚିତ୍ର ବିନ୍ଧାଣି

ତପନ କିରଣ କମଳିନୀ ପାଇଁ ହିତ ହେଉଥିଲେ ମଧ୍ୟ ସେ କିରଣ ସ୍ପର୍ଶେ ଗଙ୍ଗଶିଉଳି ତ ଝଡ଼ିପଡ଼ିବାକୁ ବାଧ୍ୟ ॥ ଅପରାହ୍ନ କଳା ବାଦଲ ଦେଲେ ଖୁସିରେ ନାଚେ ମୟୁର ବାଟୋଇ ମନରେ ଶଙ୍କା ସୃଷ୍ଟି ହୁଏ ଭାବେ ଅନେକ ପ୍ରକାର ॥ କେଉଁ ଏକ ଶୁଭ ତିଥି ନକ୍ଷତ୍ରରେ ମେଘ ବରଷା ହୋଇଲେ ଶାମୁକା ହୃଦଯେ ମୁକୁତା ସଞ୍ଚାର ହେଉଥାଏ ବଳେ ବଳେ ॥ ଯଦି ବିଷଧର ପ୍ରାଣୀଙ୍କ ଉପରେ ପଡ଼େ ସେ ବରଷା ଜଳ ସେ ପ୍ରାଣୀଙ୍କ ଦେହେ ଅଭିବୃଦ୍ଧି ହୁଏ ଭୟଦାୟକ ଗରଳ ॥ ଗୋଟିଏ ତୀରରେ ବିପରୀତ ଦୁଇ କାର୍ଯ୍ୟ କରିପାରେ ସିଏ ସେଥିପାଇଁ ତାକୁ ବିଚିତ୍ର ବିନ୍ଧାଣି ନିର୍ଦ୍ବନ୍ଦ୍ବରେ କୁହାଯାଏ ॥ ସେହି ବିନ୍ଧାଣିଙ୍କ କୃପା କିରଣରେ ଜଗତ ଖୁସିରେ ରହୁ ମୋର କର୍ମଫଳ ମୁଁ ଭୋଗିବା ପାଇଁ ସୁଯୋଗ ପ୍ରାପତ ହେଉ ॥

ସମ୍ପର୍କ

ଅନେକ ମାଟିର କୁଟୀର ମଧ୍ୟରେ କବିର କୁଟୀର ନିଆରା କି କୁଟୀରରୁ ଭାସିଆସେ ସଦା ‌କବିତାର ମହକ ଧାରା ।। ତେଣୁ ଅଯାଚିତେ କବି କୁଟୀରରେ କୃପା ଢାଳିଥାନ୍ତି ସାରଳା କେଜାଣି କାହିଁକି ସେଠାରେ କରୁଣା ଊଣା କରିଥାନ୍ତି କମଳା ।। ସେଥିପାଇଁ ବୋଧେ ନିରୀହ କବିଟି ଅଭାବେ ବୁଡ଼ି ରହିଥାଏ ତଥାପି କବିତା ଲେଖିବାର ନିଶା ତାକୁ ମତୁଆଲା କରାଏ ॥ କମଳା କରୁଣା ଊଣା ହେଲେ ମଧ୍ୟ କ୍ଷୁଧାର ଯନ୍ତ୍ରଣା ଜାଣେନି ସୁଖର ସନ୍ଧାନ ପାଇନି ବୋଲି ତ ଦୁଃଖକୁ ବି କେବେ ଡରେନି ।। ନିଜ ଲୁହ ନିଜେ ପିଇପାରେ କବି କାହାକୁ କନ୍ଦାଇ ନପାରେ ନିଜର ସମସ୍ତ ସମସ୍ୟା ସାଇତି ପାଠକ ଓଠେ ହସିପାରେ ।। କବି ପ୍ରୟାସରେ ସାହିତ୍ୟ ସିନ୍ଧୁର କଳେବର ବୃଦ୍ଧି ହେଉଛି ପାଠକେ ସାହିତ୍ୟ ସୁଧା ବାଣ୍ଟିବାକୁ କବିଟି ଲେଖନୀ ଧରୁଛି ।। ଭାବର ସୂତାରେ ଅକ୍ଷର ଫୁଲକୁ ଗୁନ୍ଥି ମାଳ କରେ ଅନେକ ସେଥିପାଇଁ ତିଷ୍ଠି ରହିଛି ‌ସର୍ବଦା କବି ପାଠକଙ୍କ ସମ୍ପର୍କ ॥

ନହେଲେ ନାହିଁ

ସଂଗ୍ରହ କରି ସବୁ ଦିବ୍ୟଗୁଣ ବଦ୍ ଗୁଣ ସବୁ କରି ବର୍ଜନ । ଅହିଂସା ଯଜ୍ଞରେ ହିଂସାକୁ ଜାଳି- ଦେଇପାରେ ଯିଏ ସ୍ବାର୍ଥକୁ ବଳି । ସେ ନିଷ୍କାମ ଶସ୍ତ୍ରେ କାମନା ଛେଦି ଈର୍ଷା କ୍ରୋଧ ଲୋଭ ଅହଂକାରାଦି- ତ୍ୟାଗ କଲା ପରେ, ଦ୍ରବ୍ଯ ଭାବରେ ରହିଥାଏ ସୁଖ ଦୁଃଖ ଉର୍ଦ୍ଧ୍ବରେ । ମାୟା ମୋହ ଠାରୁ ମୁକ୍ତ ସେ ଜାଣି କଳୁଷ ତାହାଙ୍କୁ ଛୁଇଁପାରେନି । ଯାହାଙ୍କର ଯଶ ଧରା ବୁକୁରେ ମହକୁଛି ଚିର ସୁଗନ୍ଧତାରେ । ଏପରି ବ୍ୟକ୍ତିତ୍ଵ ଯାହାର ଥାଏ ମାନବ ସମାଜେ ସେ ପୂଜ୍ୟ ହୁଏ । ମର ସଂସାରକୁ ଛାଡ଼ିଲା ପରେ ଚିର ଅମର ସେ ମର ସଂସାରେ । ତେଣୁ ସବୁ ବଦ୍ ଗୁଣ ବର୍ଜନ- କରିବାକୁ ଆମେ କରିବା ପଣ । ମହାମାନବ ତ ନହେଲେ ନାହିଁ ବଞ୍ଚିବାତ ଭଲ ମଣିଷ ହୋଇ ।

ଦୂର ଦୃଷ୍ଟି

ସମାଜର ହିତ ଚିନ୍ତାକରି ନିଜ ମାନ ଅଭିମାନ ଜାଳି ମାତା , ପିତା , ଅଭିଭାବକମାନଙ୍କୁ କହିବି ପ୍ରଣତି ଢାଳି ।। ମାନବୀୟ ନୀତି ଶିଶୁଙ୍କୁ ଶିଖାନ୍ତୁ ତାକୁହିଁ ପ୍ରଶଂସା କରି କର୍ଭବ୍ୟର ସଂଜ୍ଞା ବୁଝାଇ କହନ୍ତୁ ଆପଣା କର୍ତ୍ତବ୍ୟ କରି ।। କଞ୍ଚା ମାଟିକୁ ତ ଯେମିତି ଗଢ଼ିଲେ ସେମିତିକା ହୋଇଥାଏ ଶୁଖିଗଲା ପରେ ସଜାଡୁ ସଜାଡୁ ବେଳେବେଳେ ଭାଙ୍ଗିଯାଏ ।। ଶିଶୁଙ୍କ ଭବିଷ୍ୟ ଉତ୍କଳ ମଙ୍ଗଳ ହେଲାପରି ଚିନ୍ତାକରି ଦୂରଦୃଷ୍ଟି ରଖି ଶାସନ କରିବେ ନିରପେକ୍ଷ ବ୍ରତାଚରି ।। ସାନମାନେ କାନ ଡେରି ଶୁଣୁଥାନ୍ତି ପୂର୍ବ ପିଢ଼ିଙ୍କ ବଚନ ତେଣୁ ଶୁଦ୍ଧ ହେବା ଜରୁରୀ ବଡ଼ଙ୍କ ଉଚ୍ଚାରଣ ଆଚରଣ ।। ନୀତିଶିକ୍ଷା ଊଣା ହେଲେ ଶିଶୁମାନେ ଅଝଟିଆ ହୋଇଥାନ୍ତି ନିଜ ଗୋଡ଼େ ନିଜେ ଚାଲିଲା ବେଳକୁ ଅବାଟେ ଚାଲି ଯାଆନ୍ତି ।। ଦିବ୍ୟଦ୍ରଷ୍ଟା ଭଳି କହିଦେଲି ସିନା ଦିବ୍ୟଦ୍ରଷ୍ଟା ମୁଁ ନୁହଇ ଦିବ୍ୟଦ୍ରଷ୍ଟାଙ୍କର ଚରଣ ରେଣୁକୁ ଆଶା କରିଥାଏ ମୁହିଁ ।।

ଦରଦୀର ପ୍ରଶ୍ନ

ସୁକୋମଳ କରି ସୁବାସନା ଭରି ସୃଷ୍ଟି କରିଛନ୍ତି ସ୍ରଷ୍ଟା ମୋର ସୌନ୍ଦର୍ଯ୍ୟକୁ ଦେଖୁ ଦେଖୁ ଆପେ ମୁଗ୍ଧ ହେଇଯାଏ ଦ୍ରଷ୍ଟା ।। ମାଆ କୋଳରେ ମୁଁ ଥିଲେ ମୋର ମାଆ ଲୋଭନୀୟ ଦିଶୁଥାଇ ତା କୋଳକୁ ମତେ କାଢ଼ିନେଲା ପରେ ତା’ର ଶୋଭା ହ୍ରାସ ହୁଏ ।। ପ୍ରତିବାଦ କରିପାରେ ନାହିଁ ସିନା ଆଖି ଓଦା କରେ ଦୁଃଖେ ଭାଗ୍ୟକୁ ଆଦରି ଅସହାୟ ପରି ଯନ୍ତ୍ରଣା ସାଇତି ରଖେ ॥ ମୋ ଅନିଚ୍ଛା ସତ୍ତ୍ବେ ମତେ ନେଇ ତୁମେ ଖୁସି ହେଉଅଛି ସିନା ବୁଝିବାକୁ ଚେଷ୍ଟା କରିଛ କି କେବେ ମୋ ମାଆର ବେଦନା ॥ ମତେବି କ୍ଷତାକ୍ତ କରୁଅଛ ତମେ ‌ମୋ ତନୁରେ କଣ୍ଟା ଫୋଡ଼ି ନିଜ ପ୍ରିୟଜନେ ଭେଟି ଦେଇଥାଅ ଜୀଅନ୍ତା ମୁର୍ଦ୍ଦାର କରି ।। ଗମ୍ଭୀରା ସଜାଅ ଗଭାରେ ଲଗାଅ ମନେ ମନେ ଖୁସି ହୁଅ ନିଜ ଖୁସି ପାଇଁ ଅନ୍ୟକୁ ଦରଦ ଦେବା ଉଚିତ କି କୁହ ॥

ମଣିଷ

ମାନବ ସେବାହିଁ ମାଧବ ସେବାରେ ପରିଣତ ହୋଇଥାଏ ଏହା ସବୁ ସନ୍ଥ ସମ୍ପ୍ରଦାୟ ଗ୍ରନ୍ଥ ସଭିଙ୍କୁ ନୀତି ଶିଖାଏ ॥ ତଥାପି ମଣିଷ ଅବୁଝା ପଣରେ ଶାସ୍ତ୍ରକୁ ଗଉଣ ମଣି ନିଷ୍ଠୁର ଭାବରେ ଦମ୍ଭେ କହିଥାଏ କାହା ସେବା କରିବିନି ॥ ସ୍ଵାର୍ଥ ନଦୀ ସ୍ରୋତେ ମାନବିକତାକୁ ଭସାଇଦିଏ ମଣିଷ କୃପଣ ସ୍ଵଭାବେ ପ୍ରଲୋଭନେ, ପିଏ କାଳ ଗୋଖରର ବିଷ ।। ଅସୂୟା ଭାବ ମଣିଷ ପଣିଆକୁ ଗୋଟାପଣେ ଗିଳିଥାଏ ମଣିଷକୁ ଭଲ ପାଇବା ମଣିଷ ମହା ମାନବ ବୋଲାଏ ॥ ମଣିଷଙ୍କ ହିତ କରି ମଣିଷଟି ମଣିଷ ମଣିରେ ଗଣା ମଣିଷ ପଣିଆ ନଥିବା ମଣିଷ- ଜୀବନର ମାନ ଊଣା ।

ସେମାନେ ଦୁର୍ଲଭ

ଗୋଟିଏ ସୁବୃକ୍ଷ ସରା କାନନକୁ ସୁବାସରେ ଭରିଥାଏ ସେହି କାନନର ସମସ୍ତ ପ୍ରାଣୀଙ୍କୁ ବିମୋହିତ କରିଥାଏ ।। ସେହିପରି ଜନ ସମାଜରେ ମଧ୍ୟ ଦିବ୍ୟ ଗୁଣଧାରୀ ମାନେ ସମାଜର ହିତ ବ୍ରତ ପାଳୁଥାନ୍ତି ପ୍ରତ୍ୟାଶା ନରଖୁ ମନେ ।। ଫୁଲଠୁ କୋମଳ ଚିର ସୁଶୀତଳ ସେମାନଙ୍କର ହୃଦୟ ଚନ୍ଦନଠୁ ବଳି ପବିତ୍ର ମହକ ଦିଏ ଦିବ୍ୟ ପରିଚୟ ‌‌।। ସମାଜେ ମଉଡ଼ମଣି ସେହିମାନେ ଦିବ୍ୟ ସମ୍ପଦର ଖଣି ଅସୂୟା ଭାବକୁ ଭୁଲି କହୁଥାନ୍ତି ମଠୁ ମଧୁର ବାଣୀ ॥ ସେମାନେ ନିର୍ଲିଭ ରାଇଜରେ ପ୍ରଜା ‌ତ୍ୟାଗ ଜଗତର ରାଜା- ହେଲେବି ଶାନ୍ତିର ପରିଚାର ପରି ‌ଉଡ଼ାନ୍ତି ଅହିଂସା ଧ୍ଵଜା ।। ଈର୍ଷା କ୍ରୋଧ ଲୋଭ ଅହଂକାର ଆଦି ବର୍ଜନ କରିବା ପାଇଁ କର୍ତ୍ତବ୍ୟର ସଂଜ୍ଞା ବୁଝାଇ କହନ୍ତି ଫଳାଶାକୁ ବଳି ଦେଇ ।। ସେପରି ମାନବ ଧରାରେ ଦୁର୍ଲଭ ତେଣୁ ତାହାଙ୍କର ଗୁଣ ‌ଅକୁଣ୍ଠତ ଭାବେ ଶିଖୁବାକୁ ଆମେ ସମସ୍ତେ କରିବା ପଣ ।।

ଉତ୍କୃଷ୍ଟ ସମ୍ପଦ

ମାନବିକତାର ବ୍ରତ ଆଚରଣ କରୁଥିବା ଜ୍ଞାନୀଗଣ ଅସୂୟା ଭାବକୁ ଭୁଲି ସମସ୍ତଙ୍କୁ ମଣନ୍ତି ଆପଣା ଜନ ॥ ମାନବିକତାକୁ ବଳିଦେଇ ଭୋଗ- ବିଳାସରେ ଲିପ୍ତ ଯିଏ ଆହାର ମୈଥୁନ ନିଦ୍ର ଭୟାଦିରେ ସୀମିତ ରହିଛି ସିଏ ॥ କର୍ତ୍ତବ୍ୟ ବିଚାରି ପ୍ରତ୍ୟାଶା ନ ରଖି ସମାଜ ମଙ୍ଗଳ ଚିନ୍ତା ଯିଏ କରୁଛି ସେ ଧରଣୀ ବୁକୁରେ ଅମର ପୁଣି ପୂଜିତା ॥ ସମାଜ ସେବାରେ ଧନ ବିନିଯୋଗ କରିଥିବା ଧନୀଟିଏ ଧନୀ ବୋଲି ଗର୍ବ ନକରି ସଭିଙ୍କୁ ଉଚିତ ସମ୍ମାନ ଦିଏ ।। ନୁଆଁଣିଆ ମାଟି କୁଟୀରରେ ମଧ୍ୟ ମାନବିକତାର ବ୍ରତ ପାଳି କେତେ ଖୁସି ମନେଇ ଅଛନ୍ତି ଆଦୌ ନ ହୋଇ ବିବ୍ରତ ।। ରବି ରଶ୍ମି ପଡ଼େ ନାହିଁ ସେ କୁଟୀରେ ବରଷା ଛିଟାରେ ଓଦା ହେଉଥିଲେ ମଧ୍ୟ ନଥିଲା ବେଦନା ସାଉଁଟୁଥିଲେ ଶରଧା ।। ବର୍ଷାଭିଜା ସେହି ଭଙ୍ଗା କୂଟୀରର ଓଦା ମାଟିର ମହକ ସ୍ନେହ ଶ୍ରଦ୍ଧା ଶାନ୍ତି ପ୍ରେମ ପ୍ରୀତି ମୈତ୍ରୀ ଦିବ୍ୟ ତା’ର ଆବାହକ ।। ସେଥିପାଇଁ ବୋଧେ ବୁଦ୍ଧିଜୀବୀମାନେ କହୁଥାନ୍ତି ବାରମ୍ବାର ମାନବିକତା ହିଁ ଉତ୍କୃଷ୍ଟ ସମ୍ପଦ ତା ବିନା ସବୁ ଅସାର ।।

ପ୍ରେମ ମନ୍ଦିର

ଅନେକ ପ୍ରୟାସ କରି ସାଉଁଟିଲି ଆଞୁଳା ଆଞୁଳାମାଟି ଯୋ ମାଟିରେ ଦିବ୍ୟ ଗୁଣ ପରିପୂର୍ଣ୍ଣ କାଣିଚାଏ ନାହିଁ ତୃଟି ।। ସେ ମାଟିରେ ଏକ ପ୍ରେମର ମନ୍ଦିର ନିର୍ମାଣ କରିଲା ପରେ ସେ ମନ୍ଦିରେ ପ୍ରେମ ପ୍ରତିମାର ପୂଜା ଜଣେ ପୂଜାରୁଣୀ କରେ ॥ ସ୍ନେହ ଶ୍ରଦ୍ଧା ଶାନ୍ତି ସେଠାରେ ରହନ୍ତି ପାର୍ଶ୍ଵ ଦେବାଦେବୀ ରୂପେ ଶୁଭ ସୌଦାଗର ଅହରହ ଶୁଭ ଢାଳି ଦେଉଥାନ୍ତି ଆପେ ।। ଯେଉଁଠି ସର୍ବଦା ଅହିଂସା ବାଦଲ ନିତି ବରଷୁଛି ସୁଖ ଯେତେ ଚେଷ୍ଟାକଲେ ମଧ୍ୟ ସେ ପୀଠକୁ ଯାଇପାରେ ନାହିଁ ଦୁଃଖ ।। ସେ ପୀଠର ନୀତି ନିୟମକୁ ହାରି ଯାଇଛି କାଳ ନିୟମ କାଳ ନିୟମକୁ ପଙ୍ଗୁ କରିବାକୁ ‌‌ସମର୍ଥ ଶାଶ୍ବତ ପ୍ରେମ ॥ କାଳଜୟୀ ସେହି ମନ୍ଦିର ଚୂଡ଼ାରେ ଉଡୁଛି ତ୍ୟାଗ କେତନ ତେଣ , ସେହି ଦିବ୍ୟ ପ୍ରେମ ମନ୍ଦିରର କ୍ରମଶଃ ବାଢୁଛି ମାନ ।।

ସାବଧାନ

ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ଆଶାରେ କିଛି ଲୋକ ମଦ ପିଅନ୍ତି ମଦ ପିଇବା ଅଭ୍ୟାସ ହେଲାପରେ ମଦ କବଳରେ ରହନ୍ତି ।। ମଦ ପ୍ରଭାବରେ ମତୁଆଲା ହେଲେ ଚାଲିଲେ ଉଡ଼ାନ୍ତ ଅଳିଆ ତା’ଠୁ ବେଶିହେଲେ ନର୍ଦମାରେ ପଡ଼ି ରହନ୍ତି ମୁର୍ଦାର ଭଳିଆ ।। ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ସିନା ମଦକୁ ଅଭ୍ୟାସ କରିଲେ ମଦ କବଳରୁ ମୁକୁଳିବା ପାଇଁ ଫାଙ୍କ ମିଳେ ନାହିଁ ଖୋଜିଲେ ।। ମଣିଷ ମଦକୁ ପିଇଲେ ଚଳିବା ମଦ ଗିଳିଲେ ମଣିଷକୁ ମଣିଷ ପଣିଆ ହରାଇ ମଣିଷ ନିଜେ ବିକେ ତା ଇଜ୍ଜତକୁ ।। ମଦଠୁ ଦୂରେଇ ରହିବା ଉଚିତ ମନେକରି ସର୍ବଜନଙ୍କୁ ବିନୟେ କହିବି ବେଳ ଥାଉ ଥାଉ ବଞ୍ଚାଅ ନିଜ ଇଜ୍ଜତକୁ ।

ନିବେଦନ

ଅନ୍ୟର ଦୁର୍ଗୁଣ କହୁଥିବାବେଳେ ନିଜ ଦୋଷ ଗୁଣ ପ୍ରକଟ ହେଲେ ମଧ୍ୟ ଅଜ୍ଞ ଯୁକ୍ତି ବାଢ଼େ ଖାଲି ମୁଣ୍ଡାଇ ଦାୟିକ ମୁକୁଟ ॥ ମୁଢ଼ ପଣିଆରେ ନିଜର ବଡ଼ିମା ପ୍ରଚାର କରୁଥାନ୍ତି ସିନା ଅନ୍ୟ ଗୁଣୀ ଜ୍ଞାନୀ ପ୍ରତିଭାଧାରୀଙ୍କ ମନେ ଦେଇଥାନ୍ତି ବେଦନା ।। ତେଣୁ ଅହଂ ମଦେ ମାତିଲେ ଯେମାନେ ସେମାନଙ୍କ ଠାରୁ ଦୂରେଇ ଅହଂକାରୀ ଗୁଣ ବର୍ଜନ କରିବା ଜ୍ଞାନୀଙ୍କ ଗୁଣ ଅପଣାଇ ।। କାହାକୁ ଆଘାତ ନ ଦେଇ ସଭିଙ୍କୁ ଖୁସି କରିବାକୁ ଚାହିବା ଅନ୍ୟର ଦୋଷକୁ ବଖାଣିବା ନାହିଁ ନିଜର ଦୋଷକୁ ଖୋଜିବା ।। ନିଜ ଦୋଷ ଗୁଣ ଖୋଜିବାକୁ ପଣ କରୁଥିବା ବ୍ୟକ୍ତି ମହାନ ଏହିଭଳି ଭଲ ଗୁଣ ଶିଖିବାକୁ ସଭିଙ୍କୁ କରେ ନିବେଦନ ।।

ଦିବ୍ୟ ଧାରା

ଯିଏ ଯାହା କରେ ସିଏ ତାହା ପାଏ ଏକଥା କହିଲା ପରେ ଅଧିକ ପାଇବା ଆଶା କରି କିଆଁ ସଢ଼ି ଯାଉଛି ଦୁଃଖରେ ।। ପ୍ରାପ୍ତକୁ ଆଦରି ସନ୍ତୋଷ ରହିଲେ ସୁଖ ସରିତର ସୁଅ ଆଶ୍ୱାସନା ଦେଇ କହି ଚାଲିଥାଏ ଦୁଃଖଠାରୁ ଦୂରେ ରୁହ ।। ପ୍ରାପ୍ତ ଦରବରୁ କିଛି ତ୍ୟାଗ କଲେ ଅପାର ଆନନ୍ଦ ମିଳେ ଅପ୍ରାପ୍ତ ଦ୍ରବ୍ୟକୁ ପ୍ରାପ୍ତ କରିବାକୁ ଇଚ୍ଛା ହୁଏ ନାହିଁ ତିଳେ ।। ତ୍ୟାଗର ମହତ୍ ବୁଝିଗଲେ ଦିବ୍ୟ ଭାବନା ଜାଗ୍ରତ ହୁଏ ଅପ୍ରମତ୍ତ ଦିବ୍ୟ ଭାବନାର ଧାରା ଲାଳସା ପଙ୍କକୁ ଧୁଏ ।। ଉପରୋକ୍ତ ବାଣୀ ସହଜ ସୁବୋଧ୍ଯ ଉଚ୍ଚାରଣ କିରବାକୁ ଅସଜ ଅସାଧ୍ୟ ମନେ ହେଉଥାଏ ଆଚରଣ କରିବାକୁ ।।

ବୃଥାରେ ଭ୍ରମୁଛୁ ଭ୍ରମେ

ପ୍ରାତଃ କାଳେ ସ୍ନାନ‌ ଶଉଚାଦି ପରେ ନାନା ପୂଜା ଦ୍ରବ୍ଯ ନେଇ ଦିଅଙ୍କୁ ପୂକିଲେ ଫଳ କ'ଣ ମିଳେ ସେ କଥା ମୁଁ ଜାଣି ନାହିଁ ।। ବିନା ଶଉଚେ ତ ମାତା ଓ ପିତାଙ୍କ ପାଦେ ମୁଣ୍ଡିଆ ମାରିଲେ ସବୁଠାରୁ ଶେଷ୍ଠ ମଙ୍ଗଳ ଦାୟକ ଶୁଭ ଆଶୀର୍ବାଦ ମିଳେ ।। ନିତି ନିୟମିତ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିଲେ ଗଙ୍ଗରେ ଯାହା ମିଳେ ତା'ଠୁ ଶେଷ୍ଠ ଫଳ ମିଳେ ନମ୍ରତା ଆଚରଣରେ ।। ଶଙ୍କର ମସ୍ତକେ ଲକ୍ଷେ ବେଲପତ୍ର ଦେଲେ ଯେଉଁ ଫଳ ମିଳେ ତା'ଠାରୁ ଉତ୍କୃଷ୍ଟ ଫଳ ମିଳିପାରେ ଅହିଂସା ବ୍ରତ ପାଳିଲେ ।‌। ସବୁ ତୀର୍ଥ ଯାତ୍ରା କଲାପରେ ଯାହା ତୀର୍ଥଯାତ୍ରୀ ପାଇଥାଏ ଜଣେ ଦିବ୍ୟଦ୍ରଷ୍ଟା ସାଧୁଙ୍କ ସାନ୍ନିଧ୍ୟେ ସେ ସବୁ ପ୍ରାପତ ହୁଏ ।। ସହସ୍ର ବିପ୍ରଙ୍କୁ କୋଟିଏ ଗୋ-ଦାନ ଦେଲେ ଯେଉଁ ଫଳ ମିଳେ ସେହି ଫଳ ମିଳେ ଜଣେ ଅସହାୟ ଲୋକକୁ ସାହାଯ୍ୟ କଲେ ।। ହାତ ପାଆନ୍ତାରେ ଯାହା ମିଳେ ତାକୁ ‌ଗୌଣ ମଣିଥାଉ ଆମେ ଦୂର ପରବତ ସୌନ୍ଦର୍ଯ୍ୟକୁ ଦେଖି ବୃଥାରେ ଭ୍ରମୁଛୁ ଭ୍ରମେ ।।

ମୂଢ଼ତା

ଅହରହ ମରି-ମରିଯାଏ ମୁଁତ ମୃତ୍ୟୁ ଦରବାର ଆଡ଼କୁ ତଥାପି ମରଣ ଭୟ ଶକ୍ତିଶାଳୀ ଥରାଇ ଦିଏ ଜୀବନକୁ ।। ମର ସଂସାରରେ ମୃତ୍ୟୁ ସତ୍ୟ ବୋଲି ନିର୍ଦ୍ବନ୍ଦ୍ବେ ସମସ୍ତେ କହନ୍ତି ମର ଦେହଧାରୀ ମରଣକୁ ଭୟ କରିବା ମୂଢ଼ତା ନୁହ କି ।। ସତ୍ୟକୁ ସ୍ବୀକାର କଲେ ମୃତ୍ୟୁ ଭୟ ବିଚଳିତ କରି ପାରେନି ମିଛ ସଂସାରରେ ସଂଶ୍ଳିଷ୍ଟ ନଥିବା ମହାତ୍ମା କେବେବି ମରେନି ।। ମର ସଂସାରରେ ସେମାନେ ଅମର ହୋଇ ପାରିବେକି ସତରେ ଯେଉଁମାନେ ନିଜ ଜୀବନ ଉତ୍ସର୍ଗ କରନ୍ତି ଜଗତ ହିତରେ ।। ଦୃଢ଼ତାର ଊଣା ହୋଇଛି ବୋଲି ମୂଢ଼ତାରେ ଛନ୍ଦି ହୋଇଛି ଦିବ୍ୟତା ଅର୍ଜନ କରିବାକୁ ଦିବ୍ୟ- ଜ୍ଞାନୀଙ୍କ ଶରଣ ଯାଇଛି ॥

ଅଯଥା କରମେ ନିନ୍ଦୁ

ଅଯଥା କରମେ ନିନ୍ଦୁ ଭଗବାନ ସର୍ବ ବ୍ୟାପକ ବୋଲିତ ସ୍ଵୀକୃତି ଦେଇଛି ଶାସ୍ତ୍ର ଅବଶ୍ୟ ମୁଁ କିଛି ବୁଝି ପାରି ନାହିଁ ସେହି ଶାସ୍ତ୍ରର ମହତ୍ତ୍ଵ ।। ପୂଜ୍ୟ ବୟୋଜ୍ୟେଷ୍ଠ ଜ୍ଞାନୀଙ୍କ ମୁଖରୁ ଶୁଣିବା କଥା କହିବି କହୁ କହୁ ଯଦି ଭୁଲ ବାଟେ ଯାଏ ତେବେ କ୍ଷମା ମାଗିନେବି ।। ପୂଜ୍ୟ ବିଜ୍ଞମାନେ ଯାହା ଆଚରଣ କରିବାକୁ କହିଥିଲେ ମାତ୍ର ଆମେ ସବୁ ଆଚରଣ ଭୁଲି ଉଚ୍ଚାରଣେ ମଜ୍ଜିଗଲେ ।। ନର ଦେହେ ବିଜେ ନିଜେ ନାରାୟଣ ଏକଥା ସ୍ଲୋଗାନ ଦେଇ ନିରୀହ ନରଙ୍କୁ ତୁଚ୍ଛ ମଣିଥାଉ ବଡ଼ ପଣିଆ ଦେଖାଇ ।। ଚରାଚରେ ପୂରି ଅହନ୍ତି ଶ୍ରୀହରି ଏହି ସିଦ୍ଧାନ୍ତକୁ ମାନୁ ନିର୍ଜାବକୁ ପୂଜୁ ଚଳନ୍ତି ଦିଅଙ୍କୁ ପୂଜିବା ଭୁଲି ଗଲୁଣୁ ।। କଟୁ କଥା କହୁଥିବା ଲୋକଠାରୁ ସହିବା ଲୋକ ଭତ୍ତମ ଏ ଘୋଷଣା ଆମେ କହ ମାତର କହୁଛୁ କଟୁ ବଚନା ।। ନିଜେ କଲା କର୍ମ ନିଜେ ଭୋଗୁ ହେଲେ ଅଯଥା କରମେ ନିନ୍ଦୁ ଯାହା ଶୁଣିଥିଲି ତାହାହିଁ କହିଲି ଦୋଷ ଦେବେନାହିଁ ବନ୍ଧୁ ।।

କବିତା ବନାମ ସବିତା

କବିତା ଜନକ କବିତା ଗ୍ରାହକ- ପାଇଁ କବିତା ଅନେକ ସୃଷ୍ଟି କରୁଥାଇ ଉଜାଗରେ ରହି ବରଜି ନିଜର ସୁଖ ॥ କବି ତା’ର ଲୁହ ପିଉଥିଲେ ମଧ୍ୟ କବିତାର ପାଠକଙ୍କୁ ଖୁସି କରିବାକୁ ପଣ କରିଥାଏ ସାଇତି ନିଜ ଦୁଃଖକୁ ।। କବି ତା’ର ଗୁଣ ପାଠକଙ୍କୁ କହେ ନିଜ ଲେଖନୀ ମୁନରେ କବିତାର ଗୁଣ ପାଠକ ଜାଣନ୍ତି କବିତା ପଢ଼ିଲା ପରେ ॥ କଳ୍ପନା ରାଜ୍ୟରୁ ଆସିକି କବିତା କବି ଲେଖନୀ ମୁନରୁ ଆବିର୍ଭାବ ହୋଇ ପାଠକଙ୍କୁ କହେ କିଛି ଶିଖ କବିତାରୁ ।। ରବିର ଆଲୋକ ତିମିରକୁ ନାଶେ ପ୍ରଭାତ ଆସିଲା ପରେ କବିର କବିତ୍ବ ଦିବ୍ୟ ଆଲୋକକୁ ତିମିର ଛୁଇଁ ନ ପାରେ ।। ବାଦଲ ଘୋଡ଼ାଇ ରଖି ଦେଇଥାଏ ବେଳେ ବେଳେ କବିତାକୁ କୌଣସି ପ୍ରକାରେ ଘୋଡ଼ାଇ ହେବନି କବିତାର ମହକକୁ ।। ସେଥିପାଇଁ ବୋଧେ ଦ୍ବିତୀୟ ଈଶ୍ଵର କୁହାଯାଇଛି କବିଙ୍କୁ କବିର ସମ୍ପଦ କବିତାକୁ କବି ବାଣ୍ଟୁଥାଏ ପାଠକଙ୍କୁ ।।

ଅନୁପମା

ମାଆର ମମତା ବାଲ୍ୟକାଳେ ଯାହା ଅନୁଭବ କରିଥିଲି ତା'ର ସେ ଆଦର ଅନିର୍ବଚନୀୟ ନିର୍ଦ୍ବନ୍ଦ୍ବ ସିଦ୍ଧାନ୍ତ କଲି ।। ତଥାପି ଭଦ୍ଧତ ପଣେ ଚେଷ୍ଟା କଲି ‌ମମତାକୁ ମାପିବାକୁ ମୋ ଶକ୍ତି ସାମର୍ଥ୍ୟ କଳି ପାରିଲାନି ମମତାର ପଣତକୁ ॥ ମମତା ରୂପକ ପଣତ କାନିର ‌ସୀମାଙ୍କନ କରି ନୁହେ ମମତାମୟୀର ମମତାର ମୂଲ୍ୟ ଦେଇ ପାରିଛିକି କିଏ ! ॥ ସନ୍ତାନଟା ଯେତେ ବଡ଼ ହେଲେ ମଧ୍ୟ ମାଆ ପଣତର ଛାଇ ଆବଶ୍ୟକ ସ୍ଥଳେ ସନ୍ତାନର ହିତେ ଯଥେଷ୍ଟ ସୁରକ୍ଷା ଦେଇ ।। ଅବର୍ଣ୍ଣନୀୟ ଦୁଃଖର ଯନ୍ତ୍ରଣା ସହି ମଧ୍ୟ ମାଆଟିଏ ନିଜ ଜୀବନଠୁ ଅଧୁକ ଆଦରେ ସନ୍ତାନକୁ ଭଲ ପାଏ ।। ଯେତେ କହିଲେ ବି କେବେ ସରିବନି ମାଆ ମାନଙ୍କର ଗୁଣ ଧରା ସମ ସରି ସହନଶୀଳତା ଅତି ଉତ୍ତମ ଲକ୍ଷଣ ॥ ଗଙ୍ଗାରୁ ଗଭୀର ପବିତ୍ର ହୃଦୟ ଫୁଲଠୁ କୋମଳ କୋଳ ତିନିପୁଣ ସୁଖ ସାଉଁଟି ବିଧାତା ସେଇଠି କରିଛି ଠୁଳ ।। ମମତାମୟୀର ମହନୀୟତାର ଗୁଣ ସାଉଁଟିଲା ପରେ ଭକ୍ତିରେ ପ୍ରଣତି ଢ଼ାଳିବାକୁ ଇଚ୍ଛା ସବୁ ମାଆଙ୍କ ପୟରେ ।। ସ୍ନେହ ମମତାର ଶାନ୍ତି ଆନନ୍ଦର ଦିବ୍ୟ ଗନ୍ତାଘର ଯିଏ ଧୃଷ୍ଟ ପଣେ ତାକୁ ଉପମା ଦେଇଛି ଅନୁପମା ଅଟେ ସିଏ ।।

ରତ୍ନର ଯତ୍ନ କର

ଜୀବନକୁ ବାଜି ଲଗାଇ ଆମକୁ ଯିଏ ଦେଲା ଜନମ ତାକୁହିଁ ଜନନା ଜନ୍ମଦାତ୍ରା କହି ଦେଉ ଆମେ ଉଚ୍ଚ ସମ୍ମାନ ।। ସିଏ ଶ୍ରେଷ୍ଠ ସିଏ ସନ୍ତାନଙ୍କ ଇଷ୍ଟ ସିଏ ପୂଜ୍ୟା ସାରା ଜଗତେ ତେଣ ଜନ୍ମଭୂମି ଜନମଦାତ୍ରୀଙ୍କୁ ଗରୀୟସୀ କହୁ ସମସ୍ତେ ।। ସେହି ଗରୀୟସୀ ଜନମଦାତ୍ରୀଟି ଦୁହିତାଟି ହୋଇ ସେଦିନ ଜନ୍ମିଥିଲା ବୋଲି ଆଜି ଜନ୍ମଦାତ୍ରୀ ବୋଲାଇ ପାଉଛି ସମ୍ମାନ ।। ଅନୁରୂପ ଆଜି ଜନ୍ମ ହେବା କନ୍ୟା ଦିନେ ଜନ୍ମଦାତ୍ରୀ ହୋଇବ ସିଏ ମାତୃଜାତି ସମ୍ମାନ ପାଇଲେ ସଂସାର ସୁନ୍ଦର ଦିଶିବ ।। ବିଧାତାକୁ ବର ମାଗି ଆଣିଛି ସେ ଅନ୍ୟର ସେବା କରିବାକୁ ସ୍ନେହ ଶରଧାରେ ସମ୍ପର୍କ ରଜୁରେ ବାନ୍ଧିପାରେ ଦୁଇ କୁଳକୁ ।। ଦୁଇକୁଳ ହିତା ବୋଲିତ ଦୁହିତା ଉପାଧୁ ଦେଇଛି ସମାଜ କନ୍ୟା ରତ୍ନ କହି ବୟୋଜ୍ୟେଷ୍ଠ ମାନେ ଦେଇଥାନ୍ତି ଶୁଭାଶୀର୍ବାଦ ।। କନିଆ ରତ୍ନର ଯତ୍ନ କରିବାକୁ କହିପାରିବି ସମସ୍ତଙ୍କୁ ତା’ର ମହନୀୟା ଗୁଣକୁ ସମ୍ମାନ ଦେବାକୁ କହିବି ଗୁଣୀଙ୍କୁ || କନ୍ୟା ଦାନ କଲେ ମହାପୁଣ୍ୟ ମିଳେ କନ୍ୟା ଭୃଣ ହତ୍ୟା କେବେବି ନ କରିବା ପାଇଁ ଶପଥ ନେବାକୁ ସଭିଙ୍କୁ ବିନୟେ କହିବି ।।

ଅମର ଉପାଧି

ମଣିଷ ହୋଇ ଅମଣିଷ ପଣରେ ମାନବିକତା ହରାଇ ସ୍ଵାର୍ଥପର ଆଦୌ ହେବା ନାହିଁ ବନ୍ଧୁ ନିଷ୍ଠୁରତା ଆପଣାଇ ।। ମଣିଷ ମାନ୍ୟତା ନପାଇ ବଞ୍ଚିବା ମଣିଷର ମାନ ଊଣା ମଣିଷର ଦୁଃଖ ବୁଝିବା ମଣିଷ ମହାମାନବରେ ଗଣା ।। କାୟ ମନ ବାକ୍ୟେ ମଣିଷ ସେବାରେ ରତ ରହିଥିବ ଯିଏ ସ୍ଵାର୍ଥ ସଇତାନ କବଳରୁ ମୁକ୍ତି ହେଇ ପାରିବତ ସିଏ ॥ ତ୍ୟାଗ ଆୟୁଧରେ ଲୋଭର ବେକକୁ କାଟି ପାରିଲେ ମଣିଷ ଶୂଳପାଣି ପରି ସଂସାର ହିତରେ ପିଇ ପାରିବ ତ ବିଷ ।। ଜଗତ ହିତରେ ଅକୁଣ୍ଠିତେ ଯିଏ ବିଷ ବି ପିଇ ପାରନ୍ତି ତାକୁ ଜନ୍ତୁପତି ପ୍ରଶଂସାର ଫୁଲ- ହାର ପିନ୍ଧାଇ ପାରନ୍ତି ।। ଏମିତି ଲୋକକୁ ଲୋକହିତେ ସ୍ରଷ୍ଟା ସୃଷ୍ଟି କରିଥିଲେ ମଧ୍ୟ ମାନବ ସମାଜ ତାହାଙ୍କୁ ଅମର ଉପାଧ୍ୟ ଦେବାକୁ ବାଧ୍ୟ ।।

ଋତୁଚକ୍ର

ବରଷା ପଛରେ ଆସେ ଶତ ଧୀରେ ତା’ପରେ ହେମନ୍ତ ଆସେ ଶୀତ ଆଗରେ || ଶୀତ ପରେ ଋତୁରାଜ ବସନ୍ତ ଆସେ ଚଉଦିଗ ମହକାଏ ବଉଳ ବାସେ ।। ଖୁସି ପରଷେ କୋକିଳ କଣ୍ଠର ଧ୍ବନି ସେ ଖୁସିରେ ହୋଲି ଫଗୁ ବୁଣି ଦେଲାଣି ।। ହୋଲିର ପଛରେ ଗ୍ରୀଷ୍ମ ଆସିଲା ପରେ ପୋଖରୀର ଜଳ ଶୁଖିଲା ଧୀରେ ଧୀରେ ।। ସବୁଜ ସମ୍ଭାର ମଉଳି ଗଲାଣି କାହିଁ ଧରା ଫାଟିଲାଣି ଖର ତାପ ନ ସହି ।। ବିଲମାଳ ନଈକୂଳର ଥୁଣ୍ଟା ଖୁଣ୍ଟା ବୃକ୍ଷ ଦେଖି ପକ୍ଷୀମାନେ କରିଲେ ଚିନ୍ତା ।। ଅଂଶୁଘାତେ କାହିଁ କେହି ଟଳି ନ ଯାଉ ନିଜ ବୁଦ୍ଧି ବଳେ ନିଜେ ସୁରକ୍ଷା ପାଉ ମାତ୍ର ଦୁଇ ତିନି ମାସ ଗୀଷ୍ମ ପ୍ରଭାବ ସହିବାକୁ ଶକ୍ତି ଦେଇଛନ୍ତି ମାଧବ ।। ବର୍ଷାକୁ ଅପେକ୍ଷା କର ଧଇର୍ଯ୍ୟ ଧରି ଗ୍ରୀଷ୍ମ ତାପ ସହିଯାଅ ଦୁଃଖ ନ କରି ।। ବିଧିର ବିଧାନ କେବେ ଆନ ହେବନି ବିଧ ବିଧାନ ମାନିଲେ ଦୁଃଖ ଲାଗେନି ।।

ଗ୍ରୀଷ୍ମ

ଅଳପ ଆୟୁଷ ଆଣିକି ବସନ୍ତ ଆସିଥଲା ଏଇ ବର୍ଷ ଅଳ୍ପ ଦିନରେ ବି ଅନେକ ଓଠରେ ଦେଇଥିଲା କେତେ ହସ ।। ବଉଳ ମଉଳି ଗଲାଣି ବୋଲିତ ଶୁଭୁନି କୋକିଳ ଧ୍ବନି ବସନ୍ତ ମଳୟ ବଳୟକୁ ଭେଦି ଗ୍ରୀଷ୍ମ ମାଡ଼ି ଆସିଲାଣି ।। ଅମାନିଆ ଗ୍ରୀଷ୍ମ ତର ତର ହୋଇ ଆସୁଛି ଦିନକୁ ଦିନ ଅଂଶୁଘାତ କଥା ଚିନ୍ତା କଲାବେଳେ ଭୟଭୀତ ହୁଏ ମନ ।। ସୂର୍ଯ୍ୟଙ୍କ ଉତ୍ତାପ ଅସହ୍ୟ ହେଉଛି ବୃକ୍ଷ ବଣ ଅଭାବରୁ ଅଗ୍ନିବର୍ଷା ହୁଏ ଧରା ତାତିଯାଏ ତାତି ଥାଏ ମହାମେରୁ ।। ଗ୍ରୀଷ୍ମର ମଧ୍ୟାହ୍ନେ ଘରୁ ବାହାରକୁ ଆଦୌ ଯିବା ନାହିଁ ଭାଇ ନିହାତି ଜରୁରୀ ହୋଇଲେ ଯିବା ତା ଛତା ଜୋତା ପାଣି ନେଇ ।। ଗ୍ରୀଷ୍ମର ଉତ୍ତାପ ଦାରୁଣ ହେଲେ ବି ବରଷାର ଆବାହକ ଗ୍ରୀଷ୍ମର ଯନ୍ତ୍ରଣା ସହିଥିଲେ ସିନା ଲଭିବା ବରଷା ସୁଖ ।

ସୃଷ୍ଟିର ନିୟମ

ବରଷଟା ବାର ମାସିଆ ଚକର ଅହରହ ଘୁରୁଥାଏ ଆଷାଢ଼ର ପାଳି ଆସିଲେ ବରଷା- ରାଣୀ ଧରଣୀକୁ ଛୁଏଁ ।। ତେଣୁ ଶ୍ରାବଣରେ ବରଷା ରାଣୀର ପ୍ରଭାବେ ଉଭିଦ ହସେ ମାଟି ମା’ ସବୁଜ ପାଟ ଶାଢ଼ି ପିନ୍ଧି ସଭିଙ୍କୁ ଖୁସି ପରଷେ ।। ଶୂନ୍ୟ ମଣ୍ଡଳର ଉତ୍ତପ୍ତ ବାୟୁକୁ ଶାନ୍ତ କରେ ସିନା ବର୍ଷା ନିର୍ଦ୍ଦୟ ଭାବରେ ଭାଙ୍ଗିଦିଏ କେତେ ସରୀସୃପଙ୍କର ବସା ॥ ଶସ୍ୟ ସମ୍ପଦର ଅଭିବୃଦ୍ଧି ହୁଏ ପାଇଲେ ବରଷା ଜଳ ମାତ୍ରାଧିକ ବର୍ଷା ହେଲେ ଭାଙ୍ଗିଯାଏ କେତେ ନୁଆଁଣିଆ ଚାଳ ॥ ବର୍ଷା ବିନା ତିଷ୍ଠି ପାରିବନି ସୃଷ୍ଟି- ନାଶ ହୁଏ ବହୁ ଜଳେ ପ୍ରାଚୀନ ଏ ଉକ୍ତି ବୁଦ୍ଧିଜୀବୀ ମୁଖୁ ଶୁଣାଯାଏ ବେଳେ ବେଳେ ।। ସୃଷ୍ଟିର ନିୟମ ସ୍ରଷ୍ଟା ବିନା ଆଉ କିଏ ଜାଣି ପାରିବେନି ସ୍ରଷ୍ଟା ସମସ୍ତଙ୍କୁ ଜାଣନ୍ତି, ସ୍ରଷ୍ଟାଙ୍କୁ ସହଜେ ଜାଣି ହୁଏନି ।।

ପଲ୍ଲାରେ ପ୍ରକୃତି

ଶରତେ ଶିଶିର ସର୍ଶରେ ଧରଣୀ ଶୀତଳ ହୋଇଲା ପରେ ବାୟସ ଦମ୍ପତି ଡାକ ଶୁଣି ଉଷା ଆସିଥାଏ ଭଲ୍ଲାସରେ ॥ ଉଷା ଆସେ ଯେବେ ଶଙ୍ଖନାଦ ଶୁଭେ ମୋ ଗାଆଁ ଦିଅଁ ମନ୍ଦିରେ ତପନ କିରଣ ସ୍ପର୍ଶେ ପଦ୍ମ ଫୁଟେ ଗାଆଁ ମୁଣ୍ଡ ପୋଖରୀରେ ।। ପ୍ରତିଦିନ ପ୍ରୀତି ଫୁଲ ଡାଲା ଧରି ଆସିଥାଏ ସନ୍ଧ୍ୟାରାଣୀ ନବ ଦମ୍ପତିଙ୍କୁ ମତୁଆଲା କରି ପ୍ରେମୀଙ୍କୁ ମାଗେ ମେଲାଣି ॥ ଶରତ ସଞ୍ଜରେ ହୁଳହୁଳି ନାଦେ ଦୁଲୁକୁଥାଏ ଗଗନ ସବୁ ପୂନେଇଁଠୁ ଲୋଭନୀୟ ଦିଶେ କୁମାର ପୂନେଇଁ ଜହ୍ନ ॥ ସବୁ ଗାଆଁଠାରୁ ମୋ ଗାଆଁରେ ଜହ୍ନ ଅଧିକ ଛନଛନିଆ କୁଆଁରୀମାନଙ୍କ ମନକୁ ଆଉଁସି କରିଥାଏ ଅମାନିଆ ॥ ଶରତର ଜହ୍ନ ପଲ୍ଲୀ ଜନମନେ ଉନ୍ମାଦନା ବୀଜ ବୁଣେ ପଲ୍ଲୀର ପ୍ରକୃତି ଦୃଶ୍ୟ ମନୋହର ସଭିଙ୍କ ମନକୁ କିଣେ ॥

ବିଧିର ବିଧାନ

ହେମନ୍ତ ରତୁରେ ଦୂବ ଗାଲିଚାରେ ବୁଣି ହେଇଥାଏ ଶିଶିର ରବି ରଶ୍ମି ସ୍ପର୍ଶେ ଅଷ୍ଟରତ୍ନ ପରି ଝଲସି ଦିଶେ ମନୋହର ॥ ହେମାଳ ବାଆର ସ୍ପର୍ଶେ ହେମମାଳ ହେମାଳ ଲାଗେ ଉରଜକୁ ହେମାଳିଆ କରେ ତନୁକୁ ହେମନ୍ତ ଉଷୁମାଇ ଦିଏ ମନକୁ ।। ହେମାଙ୍ଗୀକୁ ହିମ ବୋଲି ବି ହେମନ୍ତ ବିରହ ବହ୍ନି ଜାଳୁଛି କେତେକ ହେମାଙ୍ଗୀ ନିଜ ପ୍ରିୟ ସ୍ପର୍ଶେ ଅତି ଲୋଭନୀୟ ଦିଶନ୍ତି ।। ପ୍ରିୟପ୍ରୀତି ସୁଖ ପାଇବା ହେମାଙ୍ଗୀ ଭାଗ୍ୟବତୀ ମଣେ ନିଜକୁ ବାସ ବସନର ଅଭାବେ କେତେକ ନିନ୍ଦନ୍ତି ଆପଣା ଭାଗ୍ୟକୁ ।। ଗରିବ କବଳେ ଥିବା ବୁଦ୍ଧିଜୀବୀ ସୁଖୀଙ୍କୁ ଦୁଃଖୀଙ୍କ ଦେଖୁଛି ବିଧିର ବିଧାନ ମାନୁଛି କେବଳ ନିଜ ସମସ୍ୟାକୁ ସାଇତି ।।

ଶୀତର ପ୍ରଭାବ

ଶୀତ ସକାଳର ଶୀତଳ ସମୀର ସଂକୋଚନ କରେ ତନୁକୁ ‌‌ଶୀତର ପ୍ରଭାବ ଉଷୁମ କରାଏ ‌‌ବିରହ ବହ୍ନିରେ ମନକୁ ।। ଗାଆଁ ଗୋହିରିର ଧାନକ୍ଷେତେ ଖେଳ ହଳଦୀ ରଙ୍ଗର ତରଙ୍ଗ ଶୀତାନୁଭବର ମଧୁର ବାରତା ବାଣ୍ଟି ବୁଲୁଥାନ୍ତି ବିହଙ୍ଗ ।। ଚାଷୀ ଭାଇ ଧାନ ଶସ୍ୟ କାଟିବାକୁ ଯାଏ ଗାଆଁମୁଣ୍ଡ ବିଲକୁ ସନ୍ଧ୍ୟା ଆଗମନ ପୂର୍ବରୁ ଗୋ - ଗୋଷ୍ଠ ଫେରି ଆସୁଥାନ୍ତି ଗାଆଁକୁ ।। ସନ୍ଧି ଘଣ୍ଟଧ୍ବନି ଶୁଣି ନିଶି ବ୍ୟାପେ ସସାଗରା ସାରା ଧରାକୁ ଶୀତ ମାଉସୀଟା ଶୀତକ ଚାଦର ଢାଙ୍କିଦିଏ ଚରାଚରଙ୍କୁ ।। ଶୀତଳ ସ୍ପର୍ଶରେ ଦାମ୍ପତ୍ୟ ସୁଖର ଗୁଣ ବୃଦ୍ଧି ହେଉଥିବାରୁ ଶୀତିକୁ ପ୍ରଶଂସା କରନ୍ତି ଦମ୍ପତି ବିଛଣା ଛାଡ଼ିବା ପୂର୍ବରୁ ।।

କିଏ ସେ ?

ତାକୁ ତ ସମସ୍ତେ ରାଜା କହନ୍ତି ସେ କେଉଁ ରାଜ୍ୟ ରହେ କେଜାଣି ସେ ଆସିବ ବୋଲି ଶୀତ ମାଉସୀ ତ ଫେରିବାକୁ ସଜ ହେଲାଣି ।। ସେ ଆସିଲା ପରେ ତା’ର ପରଶରେ ଲୋଭନୀୟ ଦିଶେ ପ୍ରକୃତି ପ୍ରକୃତି ବି ତାକୁ ସମର୍ପି ଦେଇଛି ନିଜର ସାଇତା ସମ୍ପତ୍ତି ।। କୋକିଳ କଣ୍ଠରେ ଗୀତ ଗାଇ ସିଏ ବିରହୀ ମାନଙ୍କୁ କନ୍ଦାଏ ବଉଳ ବାସନା ପରଷି ପ୍ରେମୀଙ୍କୁ ମତୁଆଲା କରି ହସାଏ ॥ ମଳୟ ସାଙ୍ଗରେ ମହୁଲ ଫୁଲର - ମାଦକତା ବାସ୍ନା ପରଷି ଯୋଗୀକୁ ବି ଭୋଗୀ କରିପାରେ ବୋଲି ଘୋଷଣା କରେ ହସି ହସି ।। ଫୁଲ ବଗିଚାରେ ରହି ଦେଖୁଥାଏ ଫୁଲର ପ୍ରେମିକ ମାନଙ୍କୁ ଫୁଲ ଭ୍ରମରର ଭାବ ଦିଆନିଆ କହିନାହିଁ କେବେ କାହାକୁ ॥ ଫୁଲର ସ୍ପନ୍ଦନ ଭ୍ରମର ଗୁଞ୍ଜନ ମନ୍ଦ ମଳୟର ରାଗିଣୀ ଶୁଣାଇ ସଭିଙ୍କ ସଂଯମତା ନଷ୍ଟ- କରେ କାହା କଥା ନ ମାନି ।।

ଅମ୍ଳାନ କୃତି

ସାହିତ୍ୟ ଚର୍ଚ୍ଚା କଲେ କି ଲାଭ ସମୟ ନଷ୍ଟ ହୁଏ ଏଭଳି କଥା କହିବା ଲୋକ କବିଙ୍କୁ ବ୍ୟଥା ଦିଏ ॥ ଦ୍ବିତୀୟ ସ୍ରଷ୍ଟା କବିଙ୍କ ନିଷ୍ଠା ବୁଝି ପାରିନି ଯିଏ ସେହି ଲୋକକୁ ବିବେକି ବୋଲି କହି ପାରିବ କିଏ ? ॥ ବିତଣ୍ଡା ଯୁକ୍ତି କରନ୍ତି କେତେ ତଥ୍ୟ କିଛି ନ ଜାଣି ଅହଂ ମଦରେ ମାତାଲ ହୋଇ କବିଙ୍କୁ ତୁଚ୍ଛ ମଣି ॥ ତଥାପି କବି ଭାଙ୍ଗିପଡ଼େନି ଧଇର୍ଯ୍ୟ ଧରିଥାଏ ସମାଜ ହିତ କଥା ସାହିତ୍ୟ କବି ହିଁ ଲେଖିଦିଏ ॥ ଅପ୍ରୀତି ସ୍ଥିତି ଦେଖିଲେ କବି କାନ କବାଟ କିଳି ନିଜ ବିଚାର ଦୃଢ଼ କରେ ସେ କେବେ ନ କରେ କଳି ॥ କବି ପ୍ରତିଭା ସବିତା ଭଳି ଚିର ସ୍ଥାୟୀ ତେଜୀୟାନ ମର ସଂସାରେ ଅମର କବି ପ୍ରତିଭା ଚିର ଅମ୍ମାନ ॥ ପୂଜ୍ୟ ଅମ୍ବାନ କୃତିକାରୀଙ୍କ ଗୁଣକୁ ଗାଇ ଗାଇ କବିତା ଲେଖେ ନୂତନ କବି ବୀଣାପାଣିଙ୍କୁ ଧ୍ୟାୟୀ ॥

ଓଡ଼ିଶାର ସ୍ମୃତି

ଓଡ଼ିଶାର ନୀତି ପରମ୍ପରା କୀର୍ତ୍ତି ସମଗ୍ର ବିଶ୍ଵରେ ବିରଳ ଉତ୍କୃଷ୍ଟ କଳାରେ ବିଭୂଷିତ ବୋଲି ନାମ ପାଇଥିଲା ଉତ୍କଳ ॥ ଉତ୍କଳରେ ଜନ୍ମ ହୋଇଛି ବୋଲି ମୁଁ କଳାର ପୂଜାରୀ ସାଜିଛି ଉତ୍କୃଷ୍ଟ କଳାର ବିନ୍ଧାଣିମାନଙ୍କୁ ଉଚିତ ସମ୍ମାନ ଦେଉଛି ॥ ଅନେକ ଓଡ଼ିଆ କଳାରେ ବଢ଼ିଆ ସିଦ୍ଧହସ୍ତ କାରୁକାର୍ଯ୍ୟରେ ଉତ୍କଳର କାରୁକାର୍ଯ୍ୟକୁ ଜୀବନ୍ତ କହନ୍ତି ବିଶ୍ଵ ଦରବାରେ ॥ ବିଶ୍ଵବାସୀ ଆଜି ଅତି ଆଗ୍ରହରେ ଉତ୍କଳ କଳାକୁ ସାଉଁଟି ଉତ୍କୃଷ୍ଟ କଳାର ବିନ୍ଧାଣି ମାନଙ୍କୁ ଉଚିତ ସମ୍ମାନ ଦିଅନ୍ତି ॥ ଭାରତକୁ ଯଦି ଶାମୁକା କହିବା ଉତ୍କଳ ତାହାର ମୋତି ଯଦି ଭାରତକୁ ହୀରା କୁହାଯାଏ ଓଡ଼ିଆ ତାହାର ଜ୍ୟୋତି ॥ ଭାରତ ଯଦିବା ରତ୍ନାକର ହୁଏ ରତ୍ନ ହେଇପାରେ ଉତ୍କଳ ଭାରତକୁ ସ୍ଵର୍ଗ କହିଲେ କହିବା ଓଡ଼ିଶା ବିଷ୍ଣୁପୁର ତୁଲ୍ୟ ॥ ଭାରତକୁ ଯଦି ଆକାଶ କହିବା ଉତ୍କଳ ଅଟେ ପୂର୍ଣ୍ଣ ଇନ୍ଦୁ ତେଣୁ ଜଗନ୍ନାଥ ଜଗତର ନାଥ ହେଲେବି ଓଡ଼ିଶାର ବନ୍ଧୁ ॥

ଶହୀଦ୍‌ମାନଙ୍କ ସ୍ମୃତି

ବ୍ରିଟିଶ୍ ଶାସନ ବେଳର କଷଣ ଭୋଗ କରି ନାହିଁ କିଛି ପୁସ୍ତକ ପୃଷ୍ଠାରୁ ଜେଜେଙ୍କ ମୁଖରୁ କିଛି କିଛି ମୁଁ ଶୁଣିଛି ॥ ଗୋରା ସରକାର ଯେତେ ଅତ୍ୟାଚାର କରିଛି ନୃଶଂସ ପଣେ ଭାବିଲେ ସେ କଥା ଲାଗେ ଯେତେ ବ୍ଯଥା ସହିବା କଠିନ ମଣେ ॥ ଭାରତ ମାତାଙ୍କୁ ମୁକ୍ତି କିରବାକୁ ସେହି ନୃଶଂସଙ୍କ ଠାରୁ କେତେ ବୀର ମଲେ କେତେ ବୀର ଭଲେ ବଞ୍ଚିଥିଲେ ମରୁ ମରୁ ।। ଭାରତର ମାନ ରକ୍ଷା କରି ପ୍ରାଣ ଦେଇଥିଲେ ଯେଉଁମାନେ ସେମାନଙ୍କ ଚେଷ୍ଟା ସେମାନଙ୍କ ନିଷ୍ଠା କଳି ପାରିବାକି ଆମେ ॥ ସେହି ବୀରଗଣ ଆମକୁ ସ୍ଵାଧୀନ ଦେଇଥିଲେ ବୋଲି ଆମେ ତ୍ରିରଙ୍ଗା ଉଡ଼ାଇ ଉତ୍ସବ ମନାଉ ‌ପ୍ରତ୍ୟେକ ବରଷ ଦିନେ ।। ଭାରତ ମାତାର ବୀର ପୁତ୍ରଙ୍କର ସ୍ମୃତିକୁ ସାଉଁଟି କରି ଭାରତର ରକ୍ଷା କରିବାକୁ ଦୀକ୍ଷା ନେବା ସର୍ବେ ବୀର ପରି ।।

ପ୍ରୀତିଦୋଳି

ଯୌବନ ରାଇଜେ ପାଦ ରଖୁ ରଖୁ ଯାହା ଭାବିଥିଲି ମନେ ସେପରି ଜୀବନ ସାଥୀଟି ପାଇଛି ଉଣା ନାହିଁ କେଉଁ ଗୁଣେ || ତା ବାପା , ମାଆର ଅତି ଅଲିଅଳି ସ୍ଵାଭିମାନୀ ପ୍ରିୟା ମୋର ଚୋରା ଚାହାଣିରେ ମତେ କିଣିଥିଲା କଥାକୁହା ଆଖୁ ତା’ର || ଗୋଲାପକୁ ଜିଣେ ତା ଅଧର ରଙ୍ଗ ଅତି ସୁନ୍ଦର କୋମଳ ତା ବାଣୀର ଧ୍ଵନି ଶୁଣି ତୁନି ରହେ ବଉଳ ବନେ କୋକିଳ || ସବୁ ରଙ୍ଗ ଠାରୁ ଅଧିକ ସୁନ୍ଦର ତା ମନ ରଙ୍ଗର ଜ୍ୟୋତି ତା ମନକୁ ସ୍ପର୍ଶ କଲା ପରେ ଶାନ୍ତ- ହୁଏ ମୋ ମନର ତାତି ।। କେବେ କେବେ କିଛି ମାନ ଅଭିମାନେ ରୁଷିଗଲେ ମୋର ପ୍ରିୟା ଧୀରେ ସ୍ବରେ ପ୍ରେମ ନିବେଦନ କଲେ ହିଆକୁ ଲଗାଏ ହିଆ ॥ ଦାମ୍ପତ୍ୟ କଳହ ଅଳିଆ ଶେଯରେ ଯେବେ ମୁଁ ନିଦରେ ଶୁଏ କାନ ପାଖେ କର କଙ୍କଣ ବଜାଇ ମୋ ପ୍ରିୟା ମତେ ଜଗାଏ ॥ ସେତେବେଳେ ପ୍ରେମ ନିଆଁରେ ସହଜେ କଳହ ଅଳିଆ ଜଳେ ରାଗ ରୁଷା ଭୁଲି ପ୍ରିୟାକୁ କୋଳାଇ ପ୍ରୀତି ଦୋଳିରେ ମୁଁ ଝୁଲେ ।।

ଉପାଧି

ପ୍ରେମ ଚିରନ୍ତନ ପ୍ରାଚୀନ ହେଲେବି ମୋ ପ୍ରେମିକା ଥିଲା ନୂଆ ନୂଆ ପ୍ରେମିକାର ଚୁଆଁରେ ସେଦିନ ଦୁଲକୁଥିଲା ମୋ ହିଆ ।। ପୁରୁଷ ହେଲେ ବି ଲଜ୍ଜାଲାଗେ ସେହି ଅନୁଭବ କହିବାକୁ ତକ୍ଷଣେ ଝାଉଁଳି ପଡୁଥିଲି ସେବେ ସ୍ପର୍ଶ କରୁ କରୁ ତାକୁ ।। ଆଜି ତା ଗୋଲାପୀ ଓଠ ପିଆଲାରେ ପ୍ରୀତି ମଦ ପିଉ ପିଉ ପ୍ରୀତି ପ୍ରେମ ପାଇଁ ଲାଜେଇ ଲାଜେଇ କହିଲା ସେତିକି ହେଉ ।। ମୋ’ ଗାଲେ ତା’ ମଥା ସିନ୍ଦୂରର ଦାଗ ତା’ ଗାଲେ ମୋ’ ଓଠ ଚିହ୍ନ ଦର୍ପଣରେ ଦେଖି ଲାଜରେ ଝାଉଁଳି ମିଛେ କଲା ଅଭିମାନ || ମୋ ଅଙ୍ଗୁଳି ଛାଡ଼ି ତା ଛାତିରେ ଦେଲା ରୁଷା ଅଭିନୟ କଲା ମୋ ଦେହେ ହଳଦୀ ଦାଗ ଦେଖି ସିଏ ଓଠଚାପି ହସୁଥିଲା ॥ ଲାଲ ଟୁକୁଟୁକୁ ତା ପାଦ ଅଳତା ମୋ ପାଦରେ ଲାଗିବାରୁ ପ୍ରେମିକ ଉପାଧି ଯାଚିଦେଲା ପ୍ରୀତି- ରସରେ ଭିଜି ଥିବାରୁ ॥

ଜାଣିଛନ୍ତି କି ?

ଏମିତିକା ମାଆ କେଉଁଠି ଅଛିକି ଯିଏ ସନ୍ତାନକୁ ଭଲ ପାଏନି । ଏମିତିକା ନଦୀ ଦେଖୁଛକି କିଏ ଯେଉଁ ନଦୀ ନିମ୍ନଗାମୀ ହୁଏନି । ଏମିତି ଭ୍ରମର କେଉଁଠି ଅଛିକି ଯେଉଁ ଭ୍ରମର ଫୁଲକୁ ଛୁଇଁନି । ଏମିତି କୌଣସି ଅଗ୍ନି ଶିଖା ଅଛି ଯେଉଁ ଶିଖା ଉଦ୍ଧିମୁଖୀ ହୁଏନି । ଏମିତିକା ସୁଖୀ ଅଛି କିବା କିଏ ଯିଏ ଜୀବନେ ଜଞ୍ଜାଳ ଜାଣେନି । ଏମିତିକା ଦିନ ଆସିଥାଇପାରେ ଯେଉଁ ଦିନ ଜନ୍ମ, ମୃତ୍ୟୁ ହେଇନି । (ହେଲେ) ମାତ୍ର ଏମିତି କୌଣସି ଦିନ ନାହିଁ ଯେଉଁ ଦିନ ମୁଁ କବିତା ଲେଖୁନି ।

ପୂର୍ବଜଙ୍କ ସ୍ମୃତି

ଯେତେ କହିଲେ ବି କେବେ ସରିବନି ପୂର୍ବଜଙ୍କ ଗୁଣ ଗାଥା ଯାହାଙ୍କର ପାଇଁ ସ୍ବାଭିମାନ ପାଇ- ପାରିଛି ଭାରତ ମାତା ॥ ଆମେ ଯେତେ ସବୁ ଭାରତରେ ଜନ୍ମ ପ୍ରକୃତରେ ଭାଗ୍ୟବାନ ଭୁଲି ହେଉନାହିଁ ଆମର ପୂରୁବ ପୁରୁଷଙ୍କ ଅବଦାନ ॥ ଗୋରା ସରକାର କବଳରୁ ମୁକ୍ତ କରି ଭାରତ ମାତାଙ୍କୁ ସ୍ଵାଭିମାନୀ ହୋଇ ବଞ୍ଚିବାର କଳା ଶିଖାଇ ଥିଲେ ଆମକୁ ॥ ଆମ୍ଭମାନଙ୍କର ହିତାହିତ କଥା ବିଚାରକୁ ନେଲା ପରେ ଗଣତନ୍ତ୍ର ନିୟମ କାର୍ଯ୍ୟକାରୀ କଲେ ଉଣେଇଶ’ ପଚାଶରେ ॥ ହେଲେ ସେ ନିୟମ କାନୁନକୁ ଆଜି ମାନିବା ଲୋକ ବିରଳ ତଥାପି ଭାରତ ମାତାର ଅମ୍ଳାନ କୀରତି ଦିଶେ ଉଜ୍ଜ୍ବଳ ॥ ପ୍ରାଣ ବଳିଦେଇ ଆମକୁ ସ୍ଵାଧୀନ ଦେଇଥିଲେ ଯେଉଁମାନେ ସେମାନଙ୍କ ସ୍ମୃତି ସାଉଁଟି ଉତ୍ସବ ପାଳନ କରୁଛୁ ଆମେ ॥

ଅମ୍ଳାନ ସ୍ମୃତି

ନିଷ୍ପାପ ନିରୀହ ବ୍ୟାଧି ପ୍ରପୀଡ଼ିତ ଧନହୀନ ଜନତାଙ୍କ ଦୁଃଖ ଦୁଃଖି ହୋଇ ନିଃସ୍ୱାର୍ଥପର ହେବା କରିଛ ଜୀବନ ଯାକ ॥ ସେଦିନ ତୁମକୁ ଟାଣି ନେଇଥିଲା ବିପନ୍ନ ଲୋକଙ୍କ ଦୁଃଖ ସେ ଦୁଃଖଠୁ ବଳି ପଡ଼ିନଥିଲା କି ପୁତ୍ର ହରାଇବା ଶୋକ ॥ ତୁମର ଦରଦୀ ହୃଦୟର ବ୍ୟଥା ଅନୁଭବ କଲାପରେ ତୁମକୁ ଓଡ଼ିଶା ଗାନ୍ଧି ବୋଲି ଆମେ କହୁଅଛୁ ନିର୍ଦ୍ବନ୍ଦ୍ଵରେ ॥ ମଞ୍ଚାସୀନ ଜଣେ ଗରିଷ୍ଠ ବରିଷ୍ଠ ଦିନେ ଏକ ସଭାସ୍ଥଳେ ସୁନାକୁ ବଣିଆ ଚିହ୍ନିଲା ପରି ତ ତୁମକୁ ସେ ଚିହ୍ନିଥିଲେ ।। ତେଣୁ ଉତ୍କଳର ମଣି ସମ୍ବୋଧନ କରି ପାରିଲେ ଆଦରେ ମଣିକୁ ଉଜ୍ଜ୍ବଳ ଦିଶେ ତୁମ ଜ୍ୟୋତି ଇତିହାସ ଆଇନାରେ ।। ତୁମ କବିପଣ କବିତାର ଜ୍ୟୋତି ଚିରସ୍ଥାୟୀ ତେଜୀୟାନ ତୁମ ପ୍ରତିଭାରେ ଓଡ଼ିଶା ଭୂଷଣ ତୁମେ ଓଡ଼ିଆଙ୍କ ମାନ ॥ 'ମିଶୁ ମୋର ଦେହ ଏ ଦେଶ ମାଟିରେ’ ଫକ୍ତିଟି ପଢିଲା ପରେ ଜାତି ପ୍ରୀତି ଭାବ ଜାତ ହେଇଥାଏ ଓଡ଼ିଆଙ୍କ ହୃଦୟରେ ।। କାଳିଜୟୀ ହୋଇ ରହିଅଛି ତୁମ ପ୍ରତିଭା ପ୍ରଦୀପ ଜ୍ୟୋତି ଚିର ଅମର ହେ ଦିବ୍ୟ ଆତ୍ମନ୍ ଧନ୍ୟ ତୁମ ଜାତି ପ୍ରୀତି ।।

କବିତାର କଥା

ବିଳାସୀ ସୁଖ ଦୋଳିରେ କବିତା ଝୁଲିବାକୁ ଭଲ ପାଏ ସର୍ବହରା ଦୁଃଖୀ ଆଖିରେ ଲୁହରେ କେବେ କେବେ ଓଦା ହୁଏ ।। ଫୁଲ ବଗିଚାରେ ଭ୍ରମର ସାଙ୍ଗରେ ମନ ଭଲ୍ଲାସରେ ବୁଲେ ଜୀବନ ସଂଗ୍ରାମେ କିଣିବା ଆଶାରେ କଣ୍ଟାରେ କବିତା ଚାଲେ ।। ପ୍ରିୟାକୁ ହରାଇଥିବା ପ୍ରେମିକର ମନ ତଳର ବାରତା ବିରହୀ ମନର ଅକୁହା ବେଦନା କହି ପାରିବ କବିତା ।। ଭୋକିଲା ପେଟର ଦାଉ ସହିଥିବା ମଣିଷ ମନର ବ୍ୟଥା ଅନୁଭବୀ ପରି କହି ଚାଲିଥାଏ ଶୋଷଣକାରୀଙ୍କ କଥା ॥ କୁପଥରେ ଯାଉଥିବା ପଥିକକୁ ‌ସୁପଥକୁ ନେଇପାରେ ସମାଜର ହିତ ପାଇଁ କେତେ ଶୁଭ ସନ୍ଦେଶ ପ୍ରଚାର କରେ ॥ ଅତୀତର ସ୍ମୃତି ସାଉଁଟି କବିତା ନିର୍ଦ୍ବନ୍ଦ୍ବରେ ସିନା ବାଣ୍ଟେ ଅ...ପ୍ରିୟ ସତ୍ୟ କହୁଥିଲା ବେଳେ କେବେ କେବେ ଟିକେ ଝୁଣ୍ଟେ ।।


Comments

Post a Comment

Popular Posts