ଉଚିତ ଶିକ୍ଷା





ଗୁରୁ ମହିମା
ଗୁରୁଙ୍କର କୃପା ପାଇଛି ଯିଏ
ଅସଫଳ କ'ଣ ଜାଣିନି ସିଏ ।

ଗୁରୁ ନିଜ ପ୍ରିୟ ଶିଷ୍ଯକୁ ନିତି
ଶୁଭ ଆଶୀର୍ବାଦ ଦେଇ କହନ୍ତି ।

" ବିଜୟ ପତାକା ଉଡ଼ାଉ ଥାଅ
ଯଶବାନ ହୋଇ ଅମର ହୁଅ ।"

ଦ୍ରୋଣାଚାର୍ଯ୍ୟଙ୍କର କୃପା କିରଣ
ଅର୍ଜୁନକୁ କରିଥିଲା ମହାନ ।

ଅର୍ଜୁନଙ୍କ ପରି ରଣ କୋଶଳ
ଜାଣିଥିବା ବ୍ୟକ୍ତି ଅତି ବିରଳ ।

ତ୍ରେତୟା ଯୁଗରେ ଗୁରୁ କୃପାରୁ
ଶ୍ରେଷ୍ଠ ଧର୍ନୁଧାରୀ ହୋଇଥିବାରୁ ।

କୋୖଶଲ୍ୟା ଓ ସୁମିତ୍ରାଙ୍କ ନନ୍ଦନ
ଦୁରାଚାରୀ ଗଣେ କଲେ ନିଧନ ।

ବିଶ୍ବ ଇତିହାସେ ଅମର ହୋଇ 
ଗୁରୁ କୃପା ବଳେ ବିଶ୍ବ ବିଜୟ ।

ହେଲା ପରେ ନିଜେ ବିବେକାନନ୍ଦ
ସମସ୍ତଙ୍କୁ ବାଣ୍ଟି ଦେଲେ ଆନନ୍ଦ ।

ଶୁଣିଲ ତ ପିଲେ ଗୁରୁ ମହିମା 
ଗୁରୁ ବିନା ସିଦ୍ଧି କେବେ ମିଳେନା ।

ତେଣୁ ଗୁରୁ କୃପା ପାଇବା ପାଇଁ
ଗୁରୁଙ୍କ ଭକ୍ତିରେ ଖୁସି କରାଇ ।

ଲାଭ କଲା ପରେ ଗୁରୁ କରୁଣା
ଉଡ଼ାଇ ପାରିବ ବିଜୟ ବାନା ।

                  
ଭଲ ଗୁଣ    
ଆଦିତ୍ୟ ସାଙ୍ଗରେ ଅଭିଷେକ ନିତି
ବିଦ୍ୟାଳୟ ଯାଉଥିଲା
ଦିନେ ଅପାଠୁଆ ଦୁଷ୍ଟ ପିଲାଟିଏ
ବାଟରେ କଜିଆ କଲା ।

ତାକୁ ଅତିକ୍ରମ କରି ଦୁଇଜଣ
ବିଦ୍ୟାଳୟେ ପହଞ୍ଚିଲେ
ପ୍ରଥମେ ଗୁରୁଙ୍କ ଚରଣ ଛୁଇଁକି
ପ୍ରାର୍ଥନା ଆରମ୍ଭ କଲେ ।

ପ୍ରାର୍ଥନା ଶେଷରେ ଅତି ହରସରେ
ଶ୍ରେଣୀ କକ୍ଷରେ ବସିଲେ
ବିଦ୍ୟାଦାତ୍ରୀ ବୀଣାପାଣିଙ୍କୁ ସୁମରି
ଆପଣା ପୋଥି ଖୋଲିଲେ ।

ପାଠ ପଢ଼ା ରୁଚି ଦେଖି ଦେଖି ନିତି 
ଗୁରୁ ଆଦର କରନ୍ତି
ଘରକୁ ଫେରିଲେ ବାପା-ମାଆ ମଧ୍ୟ
ସ୍ନେହରେ କୋଳ କରନ୍ତି ।

ଭଲ ପାଠ ପଢୁଥିବା ଶିଶୁମାନେ
ଭଲ ମଣିଷ ହୁଅନ୍ତି
ବାପା, ମାଆ ଆଉ ଦେଶ ଓ ଜାତିର
ସମ୍ମାନ ବଢ଼ଇଥା'ନ୍ତି।

ତେଣୁ ଶିଶୁଗଣ ଶିଖି ଭଲ ଗୁଣ
ଭଲ ପାଠ ପଢ଼ ତୁମେ
କାଲିକି ଯେମିତି ତୁମର ଦକ୍ଷତା
ଦେଖି ଖୁସି ହେବୁ ଆମେ ।

ଭଲ ଦିଗ
      ବଡ଼ ଲୋକଙ୍କର ଜୀବନ ଚରିତ୍ର
   ବଡ଼ ଲୋକଙ୍କର କଥା
   ମାନିବାକୁ ପଣ କର ଶିଶୁଗଣ
   ହୋଇବ ଜଗତ ଜିତା |
   
   ସେମାନେ ବି ଦିନେ ଶିଶୁ ଥିଲେ ଅତି-
   ଉଚ୍ଚ ଅଭିଳାଷୀ ହୋଇ
   ଉଚ୍ଚାସନ ପାଇଁ ଯୋଗ୍ୟ ହୋଇଥିଲେ
   ଗୁରୁଙ୍କର କୃପା ପାଇ ।
   
   ଉଚ୍ଚ ଅଧିକାରୀ ମାନେ ହିଁ ଜାତିର
   ସମ୍ମାନ ବଢ଼ାଇ ଥାନ୍ତି
   ତେଣୁ ଜାତି ସଦା ସାଇତି ରଖୁଛି
   ବଡ଼ ଲୋକଙ୍କର ସ୍କୃତି ।
   
   ଏ ଦେଶ ବୁକୁରେ କେତେ ବଡ଼ ଲୋକ
   ଜନ୍ମିଥିଲେ ବୋଲି ଆମେ
   ସେମାନଙ୍କ ଜନ୍ମଦିନ ପାଳିଥାଉ
   ପ୍ରତ୍ୟେକ ବରଷ ଦିନେ ।
   
   ସୁବାସ ବୋଷଙ୍କ ସାହସିକତାର
   ସୁ ବାସନା ଆଜିଯାଏ
   ବୀର ପୁରୁଷଙ୍କୁ ସଂଗ୍ରାମୀମାନଙ୍କୁ
   ପ୍ରେରଣା ଯୋଗାଉଥାଏ ।
   
   ସେମାନଙ୍କ ଭଳି ତୁମେ ମଧ୍ଯ ଦିନେ
   ହୋଇପାରିବ ତ ବଡ଼
   ଯଦି ତୁମେ ଉଚ୍ଚ ଅଭିଳାଷୀ ହୋଇ
   ମନ ଦେଇ ପାଠ ପଢ଼ ।
   
   
ଭଲ ସାଙ୍ଗ

ସମ୍ଭ୍ରାନ୍ତ ଘରର ବାଳକ ତା'ର ନାମ ଅଶୋକ ।
ଅତି ଗେହ୍ଲାରେ ସେ ବଡ଼ିଛି ଦିନେ ଜାଣିନି ଦୁଃଖ ॥
ଦିନେ ବିଦ୍ୟାଳୟେ ତା' ସାଙ୍ଗ ଆଖିରେ ଲୁହ ଦେଖି ।
ଅଶୋକ ପଚାରେ ତୋ ମୁହଁ କିଆଁ ଯାଇଛି ସୁଖି ॥
ତା' ସାଙ୍ଗ କହିଲା କଲମ ହଜିଯାଇଛି ମୋର ।
କଳେ ଗାଳି ମାଡ଼ଖାଇବି ତେଣୁ ଲାଗୁଛି ଡର ॥
ସଙ୍ଗ ଦୁଃଖ ଶୁଣି ଅଶୋକ ମନେ ଦୟା ଆସିଲା ।
ନିଜକଲମ ଦୁଇଟିରୁ ଗୋଟେ ସାଙ୍ଗକୁ ଦେଲା ॥
ଅଶୋକର ସାଙ୍ଗ ଗରିବ ଘର ଝିଅଟି ଜାଣ ।
ପାଠ ପଡ଼ିବାର ଦକ୍ଷତା ଦୁହିଁଙ୍କର ସମାନ ॥
ଜଣେ ଗରିବଜେଣ ଧନୀ ହେଲେ ବି ଭେଦ ଭାବ-
ନ ଥିଲା ଅଶୋକ ମନରେ ଧନୀ ପଣିଆ ଗର୍ବ ॥
ଝିଅଟିର ଭାଇ ଭଉଣୀ କିଏ ନ ଥିଲ ବୋଲି ।
ସେ ଥିଲା ତା' ବାପା, ମାଆର ଏକାଗଳାର ମାଳି ॥
ସେହି ଅଲିଅଳି ଝିଅର ନାମଟି ତପସ୍ଵିନୀ ।
ସିଏ ସେ ଗରିବ ଘରର ଥିଲା ମଉଡ଼ମଣି ॥
ଅଶୋକ ଠାରୁ ତପସ୍ଵିନୀ ବଯୂସେ ବଡ଼ ସିନା ।
ଥଟ୍ଟା ମଜାରେ ଅଶୋକକୁ  ଗେହ୍ଲେ ଡାକେ ଭାଇନ ॥
ଭାଇ ଭଉଣୀର ସମ୍ପର୍କ ଦୁହିଙ୍କର ଥିଲା ତ ।
ଗୋଟିଏ ମାଆର ସନ୍ତାନ ପରି ଚଳୁଥିଲେ ତ ॥
ଅଶୋକ ସାହାଯ୍ୟର ହାତ ବଢ଼ାଉଥିଲା ସିନା ॥
ନ ଥିଲା ତ ମନେ କିଞ୍ଚିତ ପ୍ରତିଆଶା ଭାବନା ॥
ତେଣୁ ଶିଶୁଗଣ ତୁମେ ବି ଅଶୋକ ନୀତି ଶିଖ ।
ଗରିବ ଦୁଃଖେ ଦୁଃଖି ହୋଇ ଦୁଃଖ ହର ଦୁଖିଙ୍କ ॥

ଭଲ ଛାତ୍ର
ଅତି ସ୍ଵାଭିମାନୀ ଅଖ୍ୟାତ ପଲ୍ଲୀ
ଗାଆଁଟିର ନାମ ଶରଧାବାଲି
ସେହି ଗାଆଁ ବିଦ୍ୟାଳୟରେ
ପାଠ ପଢୁଥଲା ଜଗନ୍ନାଥ ନାମେ-
ଛାତ୍ରଟିଏ ଛାତ୍ର ମେଳରେ ।

ବିଦ୍ୟାଳୟ ଠାରୁ ଅଳପ ଦୂରେ
ଶାନ୍ତଶିଷ୍ଟ ଏକ ପରିବାରରେ
ଉତ୍ତମ ଶିଶୁ ଜଗନ୍ନାଥ
କାହା ସଙ୍ଗେ କଳି କରେ ନାହିଁ ବୋଲି
ସମସ୍ତଙ୍କ ପ୍ରିୟ ସଙ୍ଗାତ ।

ବାପା ବୋଉ ଗୁରୁ ବୟୋଜ୍ୟେଷ୍ଠକୁ
ଭକ୍ତି କରି ଖୁସି ଦିଏ ସଭିଙ୍କୁ
ତେଣୁ ସଭିଙ୍କ ଆଶୀର୍ବାଦ-
ପାଇ ତେଜୀୟାନ ପୁଣି ବୁଦ୍ଧିମାନ-
ବୋଲାଇ ପାଉଛି ଆନନ୍ଦ ।

ପ୍ରତି ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ
ଅଧିକାର କରେ ପ୍ରଥମ ସ୍ଥାନ
କ୍ରମାନ୍ବୟେ ତା'ର ଉନ୍ନତି
ଦେଖି ଗୁରୁମାନେ ଜଗାକୁ ପାଇଣ
ଗର୍ବ ଅନୁଭବ କରନ୍ତି ।


ପାଠ ପଢିବାରେ ରୁଚି ଯାହାର
ଜଗା ପରି ସିଏ ପାଏ ଆଦର
ଯଶ ଅରଜିବ ଜଗତେ
ତେଣୁ ଶିଶୁଗଣ ଜଗନ୍ନାଥ ଗୁଣ
ଆପଣାଇ ନିଅ ସମସ୍ତେ ।

ଭଲ କର
ଭଲ କାମ କଲେ ଭଲ ଫଳ ମିଳେ
ତେଣୁ ଭଲ ଲୋକମାନେ
ଭଲ କାମ କର ବୋଲି କହିଥାନ୍ତି
ସମାଜକ ସବୁ ଦିନେ ।

ଅଝଟ ନ ହୋଇ ପାଠ ପଢ଼ିବାକୁ
ଶିଶୁଙ୍କୁ କହନ୍ତି ନିତି
ଶିଶୁମାନେ ଶିଖ ଭଲ ଲୋକଙ୍କଠୁ
ମଣିଷ ପାଣଆ ନିତି ।

ବ୍ରହ୍ମାଣ୍ଡ ବିଜୟୀ ବିବେକାନନ୍ଦ ବି
ତୁମ ଭଳି ଶିଶୁ ଥିଲେ
ଭଲ ପାଠ ପଢ଼ି ଗୁରୁ କୃପା ପାଇ
ଇତିହାସ ରଚି ଗଲେ ।

ମନଦେଇ ପାଠ ପଡ଼ିଲେ ତୁମେ ବି
ବିବେକାନନ୍ଦଙ୍କ ଭଳି-
ହେଇ ପାର ତୁମେ ବ୍ରହ୍ମାଣ୍ଡ ବିଜୟୀ
ଜ୍ଞାନର ପ୍ରଦୀପ ଜାଳି ।

ସବୁ ଧନଠାରୁ ବିଦ୍ୟାଧନ ଶ୍ରେଷ୍ଠ
ତେଣୁ ବିଦ୍ୟା ଅରଜନ-
କରିବାକୁ ପଣ କର ଶିଶୁଗଣ
ବରଜି ଅଳସ ପଣ ।

ଭଲ ମାର୍ଗ
ସେମାନେ ବି ଶିଶୁ ଥିଲେ ଆଜି ଆମେ
ଯାହାକୁ କହୁଛୁ ବଡ଼
ତୁମେ ମଧ୍ୟ ବଡ଼ ହେଇପାର ଯଦି
ମନଦେଇ ପାଠ ପଢ଼ ।

ଅଝଟ ପଣଠୁ ଦୂରେଇ ରହିବ
ବାପା ମାଆ କଥା ମାନି
ନିୟମିତ ବିଦ୍ୟାଳୟ ଯାଉଥିବା
ଶୁଭାଶୀଷ କିଣି କଣି ।

ଗୁରୁ ଯାହା ପାଠ ପଢ଼ାଇବେ ତାହା
ମନଦେଇ ଶୁଣଥିବ
ବୁଝି ନ ପାରିଲେ ବିନମ୍ର ଭାବରେ
ଗୁରୁଙ୍କୁ ହିଁ ପଚାରିବ ।

ପାଠ ନ ପଢ଼ିଲେ ଜାତି ଗୁଣମାନ
ବୁଝିବା ଦୁଷ୍କର ହୁଏ
ଯୋଗ୍ୟ ପାଟୁଆଟି ଜାତୀୟ ସ୍ଥରରେ
ପରିଚୟ ପାଇଥାଏ ।

ତେଣୁ ତୁମ ଜନ୍ମ ମାଟି ମା' ର ଯୋଗ୍ୟ
ସନ୍ତାନ ହେବାକୁ ପଣ
କଲେ ସିନା ତୁମେ ଜାତୀୟ ସ୍ଥରରେ
ହୋଇ ପାରିବ ମହାନ୍ ।

ମହାମାନବଙ୍କ ଗୁଣମାନ ଗାନ
କରେ ଯେପରି ଭାରତ
ତୁମର ଦକ୍ଷତା ଯଶାଦିର ଗାନ
କରିପାରେ ଭବିଷ୍ୟତ ।


ଭଲ ଗାଆଁ
ମୋ ଗାଆଁ ସବୁଠାରୁ ଶ୍ରେଷ୍ଠ (୨ଥର)
ଅତୀତ ଗୌରବ ଏବେବି ପ୍ରେରଣା-
ଦିଏ ମୋ ଗାଆଁ ବିଦ୍ୟାପୀଠ (ଘୋଷ)
ଛାତ୍ରଙ୍କ ଉନ୍ନତି କରାଇବା ନିତି
ସେ ବିଦ୍ୟାଳୟର ସ୍ମୃତିକୁ ସାଉଁଟି
ବିଦ୍ୟାଳୟ କର୍ମଚାରୀ,
ଛାତ୍ର ହିତ ବ୍ରତ ପାଳନ କରନ୍ତି
କର୍ତ୍ତବ୍ୟ ବିଚାର କରି,
ସେଥିପାଇଁ ମୋ ଗାଆଁ ବିଦ୍ୟାଳୟଟିକୁ
କହନ୍ତି ଶ୍ରେଷ୍ଠଙ୍କ ଇଷ୍ଟ l୧I

ସପନା ସୁନିତା ସାଗର ସମିର

ଅଞ୍ଜଳି ଭାରତୀ କାଳିଆ ଭାସ୍କର
ବିଜୟ ବୁଲୁ ଅମିତ
ସେମାନେ ସମସ୍ତେ ସେଠିକାର ଛାତ୍ର
ସମସ୍ତେ ସଭିଙ୍କ ମିତ
ସମସ୍ତଙ୍କୁ ସ୍ନେହ ବାନ୍ଧି ରଖିଥାଏ
ମୋ ଗାଆଁ ବିଦ୍ୟାପୀଠ | ୨ |

ଯେତେ ଦିନ ଏହି ବିଦ୍ୟାଳୟ ଥିବ
ସୋ ଗାଆଁ ଗୌରବ ଅତୁଟ ରହିବ
ମୋ ଗାଆଁ ବିଦ୍ୟାଳୟରେ
ଯେତେ ଶିଶୁ ପାଠପଢ଼ା ସାରିଥିଲେ
ସମସ୍ତେ ଦେଶ ବାହାରେ
ଉଚ୍ଚ ପଦବିରେ ବରିଷ୍ଠ ମଧ୍ୟରେ
ସେମାନେ ଅତି ଗରିଷ୍ଠ | ୩ |

ସେମାନଙ୍କ ଯଶ ଗୁଣ କହି କହି

ଆଜିର ଶିଶୁଙ୍କୁ ପ୍ରେରଣା ଯୋଗାଇ
ଶିଶୁର ଶୁଭ ମନାସି
ଶିଶୁ ହିଁ ଦେଶର ଭବିଷ୍ୟତ ବୋଲି
ମୋ ବିଦ୍ୟାଳୟ କହୁଛି
ତେଣୁ ତ ଅଝଟ ହୁଅନ୍ତିନି କେବେ
ମୋ ବିଦ୍ୟାଳୟର ଚାଟ | ୪ |

ଭଲ ବୁଦ୍ଧି
ଅଖ୍ୟାତ ପଲ୍ଲୀର ମଲ୍ଲୀ ପରି ଏକ
ପ୍ରାଥମିକ ବିଦ୍ୟାଳୟଟି
ଅନେକ ଶିଶୁଙ୍କୁ ଯୋଗ୍ୟ କରିଥିଲା
ତେଣୁ ତା ସ୍ମୃତିକୁ ସାଉଁଟି ।



ସେ ପଲ୍ଲୀର ଲୋକ ମଧ୍ୟରୁ ଅନେକ

ବୁଦ୍ଧିଜୀବୀଙ୍କ ପ୍ରୟାସରେ
ଗଢ଼ା ହେଲା ଏକ ଉଚ୍ଚ ବିଦ୍ୟାଳୟ
ଉକ୍ତ ବିଦ୍ୟାଳୟ ପାର୍ଶ୍ଵରେ ।



ସେ ବିଦ୍ୟାଳୟର ଗୁରୁଙ୍କର ତ୍ୟାଗ

କର୍ତ୍ତବ୍ୟ ନିଷ୍ଠା ଅନୁପମ
ତେଣୁ ସେ ଗୁରୁଙ୍କ ପ୍ରଭାବରେ ସବୁ
ଛାତ୍ରଙ୍କର ବୁଦ୍ଧି ଉତ୍ତମ ।



ଉତ୍ତମ ମଧ୍ୟେ ଅତି ଉତ୍ତମ ଥିଲେ

ସୁରେଶ ଗଣେଶ ଦି' ଜଣ
କେତେ କହିଲେ ବି କେବେ ସରିବନି
ସେ ଦୁହିଙ୍କର ଭଲ ଗୁଣ ।



ନିଜ ସହପାଠୀ ମାନଙ୍କୁ ଏକାଠି

ସୁମଙ୍ଗଠନ କଲା ପରେ
ଗୁରୁଙ୍କଠୁ ଅନୁମତି ମାଗିନେଇ
ବିଦ୍ୟାଳୟ ଚତୁଃପାର୍ଶ୍ୱରେ ।



ବିଭିନ୍ନ ପ୍ରକାର ସୁବୃକ୍ଷ ରୋପଣ

କରୁଥିଲେ ଛୁଟି ଦିନରେ
ପରିବେଶ ସଫା କରିବାକୁ ଦୀକ୍ଷା-
ଦେଉଥିଲେ ଲୋକ ହିତରେ ।



ସୁରେଶ ଗଣେଶ ଦୁହିଁଙ୍କ ଉଦ୍ଦେଶ୍ୟ

ଜାଣି ଗୁରୁମାନେ ଖୁସିରେ
ଶିଶୁଙ୍କର ଗୁଣ ବଡ଼ଙ୍କୁ କହନ୍ତି
ଶିଶୁମାନଙ୍କ ଘରେ ଘରେ ।



ତୁମେ ବି ତ ସଙ୍ଗଠନ କଲେ ହେବ

ଆସନ୍ତା କାଲିର ଭବିଷ୍ୟ
ତୁମେ ହିଁ ଦେଶର ଭାବି ପ୍ରଶାସକ
ତୁମେ ହିଁ ଦେଶର ଆଦର୍ଶ ।

ଭଲ ନୀତି
ଆଜିର ନିଷ୍ପାପ ସରଳ ଶିଶୁଟି
ଭବିଷ୍ୟତେ ବଡ଼ ଲୋକ
ହେଇପାରେ ବୋଲି ତୁମକୁ କହୁଛି
ମାନବୀୟ ନୀତି ବାକ୍ଯ ।

ଶିଶୁଗଣ ଶୁଣ ମାଆ ମାଟି ଗୁଣ
ଭୁଲିବ ନାହିଁଟି କେବେ
ମାଆ ମାଟି ଗୁଣ ଭୁଲିଗଲେ ଯଶ-
ପାଇ ପାରିବନି ଲବେ ।

ଯେଉଁ ମା'ର ହାତ ଧରି ଚାଲୁଥିଲା
ମାଟି ମାଆର ବୁକୁରେ 
ସେ ଦୁଇ ମାଆଙ୍କ ଅବଦାନ କେବେ
ଭୁଲିବନି ଜୀବନରେ ।

ମାଟିର ମହିମା ମାଆର କରୁଣା
ମାପି ପାରି ନାହିଁ କିଏ
ଶିଶୁପାଇଁ ମାଆ କୋଳଟି ସର୍ବଦା
ଅଭୟ ବାରତା ଦିଏ ।

ତେଣୁ ମାଆ ଆଖି ଓଦା ହେଲା ପରି
କେବେ କିଛି ନ କହିବ
ମାଅରେ ଆଖିର ତତଲା ଲୁହରେ
ସବୁ ଯଶ ଜଳିଯିବ ।

ବାପା ମାଆ ଅଟନ୍ତି ଚଳନ୍ତି ଦେବତା
ତାଙ୍କୁ ଅସମ୍ମାନ କରି
ଯିଏ ଯେତେ ବଡ଼ ହେଉନା କାହିଁକି
ଧିକ୍ ତା'ର ସୁଖ ଶିରୀ ।

ତେଣୁ ମୁଁ ତୁମକୁ ଉପଦେଶ ଦେଇ
ଏତିକି କହୁଛି ଏବେ
ସ୍ଵାର୍ଥ ପଛେ ଦୌଡ଼ି ବାପା ଓ ମାଆଙ୍କୁ
ଭୁଲିଯିବ ନାହିଁ କେବେ ।
ଗୁରୁ ସ୍ୱଭାବ
ଗୁଣ ଜ୍ଞାନ ମାନ ଶାନ୍ତଶଷ୍ଟ ସୌମ୍ୟ
ସବୁ ଦିବ୍ୟ ତା'ର ପୁଞ୍ଜ
ହେଲେ ବି ଗୁରୁଙ୍କ ସ୍ଵଭାବ ସରଳ 
ତେଣୁ ଗୁରୁମାନେ ପୂଜ୍ୟ ।

ଗୁରୁଙ୍କର ତ୍ଯାଗ ଅଦ୍ୱିତୀୟ, ଦିବ୍ୟ-
ଗୁଣ ଗାରିମା ମହିମା
ଯେତେ ଗାନ କଲେ ମଧ୍ୟ ସେ ଅକ୍ଷୁର୍ଣ୍ଣ
ରହି ବଢ଼େ ତା'ର ସୀମା ।

ମାନବଙ୍କୁ ଦିବ୍ୟ ପଥ ଯାତ୍ରୀ କରେ
ଗୁରୁଙ୍କର ଦିବ୍ୟ ଗୁଣ
ଗୁରୁଙ୍କର ବାକ୍ଯ ବାଣେ ଜଳି ପାରେ
ଅଜ୍ଞାନର ଆବରଣ ।

ପ୍ରାଚୀନ ନୀତିରେ ଗୁରୁଙ୍କ ଭକ୍ତିରେ
ପ୍ରଣିପାତ ହୋଇ ଯିଏ
ଗୁରୁଠାରୁ ଜ୍ଞାନ ଭିକ୍ଷା ନେଇପାରେ
ଦିବ୍ୟ ଜ୍ଞାନୀ ହୁଏ ସିଏ ।
ଶିଶୁମାନେ ଶୁଣ ତୁମ ଗୁରୁ ମଧ୍ଯ
ଅତୀତରେ ଶିଶୁ ଥିଲେ
ତୁମ ଗୁରୁ ପରି ହୋଇପାର ତୁମେ
ଗୁରୁଙ୍କ ଆଜ୍ଞା ମାନିଲେ ।
ଭଲ ଶିକ୍ଷା
ପୂଜା ଓ ପାପନୀ ଦୁଇ ଭଉଣୀ ।
ଜେଜୀଙ୍କ ଠାରୁ ନୀତି କଥା ଶୁଣି ॥

ଛାଡ଼ି ଦେଇଥିଲେ ଅଝଟ ପଣ ।
ଶିଖିଥିଲେ କେତେ ଉତ୍ତମ ଗୁଣ ॥

ସକାଳୁ ବିଛଣା ଛାଡ଼ିଲା ପରେ ।
ଗୁଣୀ ଜ୍ଞାନୀ ପରି ନମ୍ର ଭାବରେ ॥

ଜେଜେ, ଜେଜୀ ବାପା, ମାଆଙ୍କ ପାଦ-
ଛୁଇଁ ପାଇଥିଲେ ଶୁଭାଶୀର୍ବାଦ ॥

ଘରକୁ ବନ୍ଧୁ ବାନ୍ଧବ ଅତିଥି-
ଆସିଲେ ତାହାଙ୍କ ପାଦ ଛଅନ୍ତି ॥

ବିଦ୍ୟାଳୟ ଯିବା ରୁଚି ଅଧିକ ।
ତେଣୁ ପ୍ରିୟ ହୋଇଥିଲେ ସଭିଙ୍କ ॥

ଗୁରୁଙ୍କ ଦେବତା ସମାନ ମଣି ।
ଭକ୍ତି କରୁଥିଲେ ଦୁଇ ଭଉଣୀ ॥

ଦିନେ ପାପୁନୀ ଜେଜେ କୋଳେ ବସି ।
ଜେଜେଙ୍କୁ କହୁଥିଲା ହସି ହସି ॥

ପାଠ ପଢ଼ି ମୁଁ ଜିଲ୍ଲାପାଳ ହେବ ।
ଜନହିତ ବ୍ରତ ମୂଳ କରିବି ॥

ପୂଜା କହେ ସିଏ ଡାକ୍ତର ହେବ ।
ମାନବ ଜାତିର ସେବା କରିବ ॥

ଉଚ୍ଚାଭିଳାଷେ ଯେ ପଢ଼ିଛି ପାଠ।
ସେ ହିଁ ତ ରଖିଛି ଦେଶର ଟେକ ॥

ତେଣୁ ଶିଶୁଗଣେ କହିବି ମୁହିଁ ।
ପୂଜା ପାପୁନୀ ଗୁଣ ଆପଣାଇ ॥

ମନଦେଇ ପାଠ ପଢ଼ିଲେ ତୁମେ ।
ନିଶ୍ଚିତରେ ଖୁସି ପାଇବୁ ଆମେ ॥
ଭଲ କଥା


ଶୁଣରେ ଅପୁଟା ଫୁଲ କଢ଼ିମାନେ
ଉତ୍ତମ ବରତାଟିଏ
ଭଲ ହେବା ପାଇଁ ଚେଷ୍ଟା କରିବାକୁ
ଭଲ ଲୋକଟିଏ କହେ ।
ତେଣୁ ତୁମେ ଚେଷ୍ଟା କରୁଥିବ ନିତି
ଭଲ ଲୋକ ହେବାପାଇଁ
ଅସଫଳ ହେଲେ ଭାଙ୍ଗିପଡ଼ି କେବେ
ଧୌର୍ଯ୍ୟହରା ହେବ ନାହିଁ ।
ସଚ୍ଚୋଟ ପଣରେ ସଂଘର୍ଷ କରିଲେ
ନିଶ୍ଚେ ଯଶ ଅରଜିବ
ଲୋଭେ ବଶ ହୋଇ ସ୍ଵାର୍ଥ ପଛେ ଧାଇଁ
କପଟୀ କେବେ ନ ହେବ ।
କଅଁଳ ଓଠର ହସକୁ ଲୁହରେ
ଭଷାଏ କପଟ କଥା
ଅନେକ ସରଳ ସ୍ୱଚ୍ଛ ହୃଦୟକୁ
କ୍ଷତ କରିଦିଏ ବ୍ଯଥା ।
କପଟ ନ ଥିବା କଅଁଳିଆ କଥା
ହୃଦୟକୁ ଯେବେ ଛୁଏଁ
ଅନେକ ଦରଦୀ ମନର ବେଦନା
ସହଜେଦୂରେଇ ଯାଏ ।
ସେଇଥି ପାଇଁ ତ ଭଲ ଲୋକମାନେ
କଅଁଳ କଥା କହନ୍ତି
ସମସ୍ତଙ୍କ ପ୍ରିୟ ହୋଇ ସମସ୍ତଙ୍କୁ
ଆପଣାର କରିଥାନ୍ତି ।
ଭଲ ଲୋକ ଠାରୁ ଭଲ କଥା ଶୁଣି
ଭଲ ହେବାପାଇଁ ତୁମେ
ଚେଷ୍ଟା କରି ଭଲ ଲୋକଟିଏ ହେଲେ
ଖୁସି ପାଇ ପାରୁ ଆମେ

ଭଲ ଶିଷ୍ୟ

ପାଠ ପଢ଼ା ବେଳେ ସାଙ୍ଗସାଥି ମେଳେ
କଳି କରେନି ସେ ଜମା
କିଛି ହଜାଇକି ଖୋଜିଲା ଭଳିଆ
ଦେଖା ଯାଉଥିଲା ଉମା ।
ଉମାର ଉଦାସ ଗୁଣ ଦେଖି ତାକୁ
ଲୋକେ କୁହୁଥିଲେ ଉଲା
ଲୋକଙ୍କୁ ସେ ସିନା ଉଲା ପରି ଦିଶେ
ଅତି ଚତୁର ସେ ଥିଲା ।
ଗୁରୁଙ୍କୁ ପ୍ରସନ୍ନ କରି ପାରୁଥିଲା
ଉମାର ସ୍ଵଚ୍ଛ ଭକତି
ତେଣୁ ସେ ସଂକେଚ ନ କରି ଅନେକ
ପ୍ରଶ୍ନ କରୁଥିଲା ନିତି ।
ସମସ୍ତ ପ୍ରଶ୍ନର ଉତ୍ତର ଦେଇକି
ଗୁରୁ ଫେଡ଼ିଲେ ତା ଦ୍ଵନ୍ଦ୍ବ
ଗୁରୁଙ୍କଠୁ ଗୋପନୀୟ ତଥ୍ୟ ଜାଣି
ଉମାର ମନ ଆନନ୍ଦ ।
ଅଳ୍ପ କଥା କହି ବେଶୀ ଶୁଣିବାକୁ
ଇଚ୍ଛା କରୁଥାଏ ଯିଏ
ଅନେକ କଥାର ତଥ୍ୟ ଜାଣିବାକୁ
ଯୋଗ୍ୟ ଦେଇପାରେ ସିଏ ।
ତେଣୁ ଶିଶୁଗଣ ଉମା ପରି ନମ୍ର
ଗୁଣରେ ଗୁରୁଙ୍କୁ ଭକ୍ତି-
କଲେ ତୁମେ ଦିନେ ଭଲ ଶିଷ୍ୟ ହୋଇ
ଅରଜି ପାରିବ କୀର୍ତ୍ତି ।

ଭଲ ବିଦ୍ୟା

ବିଦ୍ୟା ଅରଜନେ ଦୃଢ଼ତା ରଖିଣ
ବିଦ୍ୟାଳୟ ଯିଏ ଯାଏ
ସେ ଦିନେ ସୁବିଦ୍ୟା ଅରଜନ କରି
ଶ୍ରେଷ୍ଠ ବିଦ୍ୟାର୍ଥୀ ବୋଲାଏ ।
ଶ୍ରେଷ୍ଠ ବିଦ୍ୟାର୍ଥୀଟି ସବୁଠାରେ ସବୁ-
ଲୋକଙ୍କର ମନ କିଣେ
ଜୀବନ ସମସ୍ୟା ବହୁଳ ହେଲେ ହେଁ
ସବୁ ସମସ୍ୟାକୁ ଜିଣେ ।
ବିଦ୍ୟା ବିନା ଯଶ ଅର୍ଜନ କରିବା
ସମ୍ଭବ ହୋଇ ନ ଥାଏ
ବିଦ୍ୟା ଦ୍ବାରା ଧନ ମାନ ସନମାନ-
ପାଇବା ସମ୍ଭବ ହୁଏ ।
ଏଇଥି ପାଇଁ ତ କୁହାଯାଇଅଛି
ବିଦ୍ୟା ଅଟେ ମହାଧନ
ତେଣୁ ଶିଶୁଗଣ ବିଦ୍ୟା ଅରଜନ-
କରିବାକୁ କର ପଣ ।
ଏହିଭଳି ବିଦ୍ୟା ଅର୍ଜନ କରିବ
ଯେଉଁ ବିଦ୍ୟାଟି କହାର
ଅନିଷ୍ଠ ନ କରି ଉପକାର କରି-
ପାରୁଥିବ ସମାଜର ।
ସମାଜର ହିତ କରୁଥିବା ବିଦ୍ୟା
ସବୁ ବିଦ୍ୟା ଠାରୁ ଭଲ
ଭଲ ବିଦ୍ୟାଧାରୀ ମାନେ ହିଁ ଅମର-
ହୋଇଥାନ୍ତି କାଳ କାଳ ।

ଭଲ ବନ୍ଧୁ

ଜୀବନ ଯାତ୍ରାରେ ଯାଉ ଯାଉ କିଛି
ନୂତନ ଯାତ୍ରୀଙ୍କୁ ଦେଖି
ଯାଚି ଉପଦେଶ ଦେଲି ସେମାନଙ୍କୁ
ନିଜ ନିକଟକୁ ଡାକି ।
କହିଲି ଶୁଣରେ ନବ ଯାତ୍ରୀମାନେ
ଯାତ୍ରାର ବୃତ୍ତାନ୍ତ ଯାହା
ସତର୍କତା ଊଣା ହେଲେ ଅଧାବାଟେ
ହରାଇ ବସିବ ରାହା ।
ସ୍ଵାର୍ଥର ଗୁଲାମ ହୋଇ ଡେଇଁବନି
ମାନବିକତାର ସୀମା
ପାଦ ଚିପିଚିପି ଚାଲୁଥିବ ସଦା
ଥକି ପଡ଼ିବନି ଜମା ।
ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାଯାଏଁ
ଯାତ୍ରା ଜାରି ରଖିଥିବ
କାକ ସ୍ନାନ ବକ ଧ୍ଯାନ ଶ୍ଵାନ ନିଦ୍ରା
ନୀତିକୁ ଆପଣାଇବ ।
ସହୟାତ୍ରୀ ସଙ୍ଗେ କଜିଆ ନ କରି
ମିତ୍ର ଭାବ ରଖିଥିବ
ସୁଖରେ ଦୁଃଖରେ ଭାଗି ହେଲା ଭଳି
ଭଲ ବନ୍ଧୁଟି ବାଛିବ ।
ନିଜ ବାଟେ ନିଜେ ଯାଉ ଯାଉ ମଧ୍ୟ
ସାମ୍ନାରୁ ସମସ୍ୟା ଆସେ
ଧୈର୍ଯ୍ୟ ନ ହରାଇ ସଂଘର୍ଷ କରିଲେ
ଭବିଷ୍ୟ ଉଜ୍ଜଳ ଦିଶେ ।

ଭଲ ଘର

ପଲ୍ଲୀ ବା ସହର କହି ହେବ ନାହିଁ
ଏଭଳି ଗୋଟିଏ ଗାଆଁ
ସମସ୍ତେ କହନ୍ତି ଦିବ୍ୟ ଶାନ୍ତି ପୁର
ସେହି ଗାଆଁଟିର ନାଆଁ ।
ଶାନ୍ତଶିଷ୍ଟ ଏକ ପରିବାରଟିରେ
ସଜତ ଫୁଟା ଫୁଲ ପରି
କନ୍ୟା ସନ୍ତାନଟି ଥିଲା ସେହି ଘରେ
ପ୍ରିୟ ହୋଇଣ ସବୁରି ।
ଫୁଲ ବୋଲି କିଏ ଡାକୁଥିଲା ତାକୁ
କିଏ ଡାକୁଥିଲା ଗେଲି
କିଏ କହେ ମୋର ନିୟନ ପିତୁଳା
କିଏ କହେ ଗଳାମାଳି ।
ପୂର୍ବଜନ୍ମ କର୍ମଫଳ ତାକୁ ଭଲ-
ଘରେ ଜନମ ଦେଇଛି
ତେଣୁ ସେ ଘରର ସମସ୍ତଙ୍କଠାରୁ
ବେଶି ଆଦର ପାଉଛି ।
ଶୀତ ସକାଳର କଅଁଳ ଖରାରେ
ଫୁଲ, ପ୍ରଜାପତି ଖେଳ
ନିଜ ଘର ବାଡ଼ି ଫୁଲ ବଗିଚାରେ
ନିତି ଦେଖୁଥିଲା ଫୁଲ ।
ଆଜି ପ୍ରଜାପତି ଧରିବାକୁ ଫୁଲ
ଫୁଲ ବଗିବାକୁ ଗଲା
ପ୍ରଜାପତି ଧରି ନ ପାରି ଶେଷରେ
ନିରାଶ ହୋଇ ଫେରିଲା ।
ନୂଆଁ କରି ଫୁଲ ବିଦ୍ୟାଳୟ ଯିବ
ତାକୁ ଶୀଘ୍ର ସଜବାଜ-
କରିଦିଅ ବୋଲି ଦାଣ୍ଡ ଦୃଆରରୁ
ଆଦେଶ ଦେଲେଣି ଜେଜେ ।


ଭଲ ପିଲା

ମଧ୍ୟବିତ୍ତ ପରିବାରେ ଜନ୍ମିଥିଲେ
ଟୁନ, କୁନା ଦୁଇ ଭାଇ
ଡଉଲ ଡାଉଲ ଚେହେରା ତାହାଙ୍କ
ଲୋଭନୀୟ ଦିଶୁଥାଇ ।
ବିଦ୍ୟାଳୟ ଯିବା ପୂର୍ବରୁ ସେମାନେ
ବାପା ଓ ମାଆଙ୍କ ପାଦ-
ଛୁଇଁ ବିଦ୍ୟାଳୟ ଯାଉଥିଲେ ବୋଲି
ଜାଣି ନ ଥିଲେ ବିଷାଦ ।
ବିଦ୍ୟାଳୟ ଠାରେ ପହଞ୍ଚିଲା ପରେ
ପୁସ୍ତକ ବସ୍ତାନି ଥୋଇ
ଗୁରୁ ପାଦ ଛୁଇଁ ପ୍ରାର୍ଥନା କରିଲେ
କମଳାକାନ୍ତଙ୍କୁ ଧାୟୀ ।
ପ୍ରାର୍ଥନା ଶେଷରେ ଦୁଇ ଭାଇ ଯାଇ
ନିଜ ଜାଗାରେ ବସିଲେ
ଗୁରୁ ପଢ଼ାଇବା ପାଠ ସବୁ ମନ-
ଧ୍ୟାନ ଦେଇ ଶୁଣୁଥିଲେ ।
ଗୁରୁଭକ୍ତି ଶକ୍ତି ଅମାପ ତାହାଙ୍କ
ତେଣୁ ଗୁରୁ କୃପା ପାଇ
ଶ୍ରେଣୀରେ ପ୍ରଥମ ଛାତ୍ର ଦୁଇ ଜଣ
ଟୁନା କୁନା ଦୁଇ ଭାଇ ।
ଶିଶୁଗଣ ଶୁଣ ଟୁନା କୁନା ଗଣ
ଆପଣାଇ ନିଅ ତୁମେ
ଶୁଶୁ ହିଁ ଆମର ଭବିଷ୍ୟତ ବୋଲି
ଭରସା କରିବୁ ଆମେ ।


ଭଲ ଚିନ୍ତା

ବିଜ୍ଞ ଲୋକଠାରୁ ମାନବୀୟ ନୀତି
ଯାହା କିଛି ମୁଁ ଶୁଣଛି
ଶୁଣ ମୋର ପ୍ରିୟ ବାଳକ ବାଳିକା
ତାହା ତୁମକୁ କହୁଛି ।
ତୁମେ ଆପଣାର ଲାଗୁଅଛ ବୋଲି
ତୁମ ହିତ ଚିନ୍ତା ନିତି-
କରି ବିଭୁପାଦେ ପ୍ରଣତି ଢାଳି ମୁଁ
ପାଉଛି ଅମାପ ଶାନ୍ତି ।
ପର ଆପଣାର ଭେଦ ଭାବ ଭୁଲି
ସମସ୍ତଙ୍କ ହିତ ପାଇଁ
ବଭୁପାଦେ ତୁମେ ପ୍ରଣତି ଢାଳିବ
ନିଜ ସ୍ଵାର୍ଥ ବଳି ଦେଇ ।
କାହାର ଅନିଷ୍ଟ ହେଲା ପରି କେବେ
କିଛି ବି କରିବ ନାହିଁ
ପରର ଅନିଷ୍ଟ କରିବା ଲୋକଟି
ସଦା ଅଶାନ୍ତିରେ ଆଇ ।
ଅନ୍ୟକୁ ଆନନ୍ଦ ଦେଲେ ତ ଗୋବିନ୍ଦ
ଆମକୁ ସାହା ହୋଇବେ
ପର ମନ୍ଦ ଚିନ୍ତା କରିଲେ ଆମକୁ
ଦଣ୍ଡ ବିଧାନ କରିବେ ।
ସକାଳୁ ବିଛଣା ଛାଡୁ ଛାଡ଼ୁ ନିତି
ଜଗତ ମଙ୍ଗଳ ଚିନ୍ତା
ଯିଏ କରେ ତା'ର ଚିନ୍ତାରେ ଚିନ୍ତିତ-
ରହନ୍ତି ଜଗତ ପିତା ।


ଭଲ ସେବା

ଶୁଣରେ ମୋ ପ୍ରିୟ ବିଦ୍ୟାର୍ଥୀ ଗଣ
ପାଠ ପଢ଼ି ତୁମେ ହେଲେ ମହାନ୍ ॥
ମାନବ ଧରମ ଭୁଲି ନ ଯିବ
କହାକୁ କଟୁ କଥା ନ କହିବ ॥
କଟୁ କଥା ଦିଏ ଅନେକ ବ୍ଯଥା
ବ୍ୟଥା ହରି ନିଏ କଅଁଳ କଥା ॥
ସଭିଙ୍କୁ କଅଁଳ କଥା କହିବ
ଉଚିତ ସମ୍ମାନ ସଭିଙ୍କୁ ଦେବ ॥
କାହାଠାରୁ କିଛି ପାଇବା ଆଶା-
ନ କଲେ ପାଇବ ବହୁ ପ୍ରଶଂସା ॥
ପ୍ରଶଂସା ପାଇବା ଆଶା ରଖିଲେ
ସନମାନ ହାନି ହେବରେ ପିଲେ ॥
ନେବାଠୁ ଦେବାରେ ଆନନ୍ଦ ବେଶି-
ମିଳେ ବୋଲି ବିଜ୍ଞେ କହନ୍ତି ନିତି ॥
ତେଣୁ ତ୍ୟାଗ ବ୍ରତ ନିଶ୍ଚେ ପାଳିବ
ସେବା ଗୁଣ ନିଜେ ଆପଣାଇବ ॥
ଅସୂୟା ଭାବକୁ ଛାଡ଼ିଲା ପରେ
ହୃଦୟେ ସେବା ଭାବ ଆସିପାରେ ॥
ସେବାକାରୀ ପରି ସେବା କରିବ
ପ୍ରତିଦିନ ଆଶା ରଖି ନ ଥିବ ॥
ମାନବ ସେବା ହିଁ ମାଧବ ସେବା
ତେଣୁ ମାନବଙ୍କ ସେବା କରିବା ॥
ଚଳନ୍ତି ଦିଅଙ୍କ ସେବା କରିଲେ
ଶ୍ରେଷ୍ଠ ହୋଇଥିବ ଧରଣୀ କୋଳେ ॥
ତେଣୁ ବାପା ମାଆ ଗୁରୁଜନଙ୍କ-
ସେବା କରୁଥିବ ବୟୋଜ୍ୟେଷ୍ଠଙ୍କ ॥
ଉଚ୍ଚାରଣ ଆଚରଣ ସମାନ-
ରଖିଲେ ହୋଇ ପାରିବ ନାହାନ୍ ॥

ଭଲ ଗୁରୁ

କିଏ ହେବ ଗୁରୁ ପରି
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ମହେଶ୍ଵର
ଜଗତ କଲ୍ୟାଣକାରୀ
କିଏ ହେବ ଗୁରୁ ପରି (ଘୋଷା)
ଗୁରୁଙ୍କ ମହିମା ଗୁରୁଙ୍କ ଗୁଣ
ଅତି ଉତ୍ତମ ତାହାଙ୍କ ଲକ୍ଷଣ
ଗୁରୁମାନେ ଦିତକାରୀ
ଗୁରୁ ସଦା ଛାତ୍ର ହିତ ଚିନ୍ତାକରେ
ଆପଣା ସ୍ଵାର୍ଥ ପାଶୋରୀ । (୧)
ଗୁରୁ କୃପା ବଳେ କେତେ ଡାକ୍ତର-
ହେଲେ ଜିଲ୍ଲାପାଳ ଇଞ୍ଜିନିୟର
ଉଚ୍ଚ ପଦ ଅଧିକାରୀ
ତେଣୁ ଗୁଣି ଜ୍ଞାନୀ ସମସ୍ତେ କହନ୍ତି
ଗୁରୁ ମହିମା ବିସ୍ତାରୀ । (୨)
ତୁମ ପରି ଦିନେ ତୁମରି ଗୁରୁ
ଶିଶୁ ହୋଇଥିଲେ ତୁମ ପୂର୍ବରୁ
ଆଜି ଯେ ଗୁରୁ ତୁମରି
ଗୁରୁ ଗାରିମାର ଗୁଣକୁ ବଢ଼ାନ୍ତି
ତୁମ ଉପକାର କରି । (୩)
ତେଣୁ ଶିଶୁଗଣ ଗୁରୁଙ୍କ ଗୁଣ
ଆପଣାଇବାକୁ କରିବ ପଣ
ସାହସ ସଞ୍ଚୟ କରି
ସମାଜର ହିତ କରିବାକୁ ବ୍ରତ-
କର ତୁମ ଗୁରୁ ପରି । (୪)


ଭଲ ମନ୍ଦିର

ସବୁ ସନ୍ଦିରଠୁ ଉତ୍ତମ ଉତ୍କୃଷ୍ଟ
ମୋ ଗାଆଁର ଶିଶୁ ମନ୍ଦିର
ଆମେ ଯେତେ ଶିଶୁ ପାଠ ପଢ଼ୁ ଏଠି
ଭେଦ ଭାବ ନାହିଁ କାହାର ।
ଆମ୍ଭମାନଙ୍କର ଏକଣକୁ ଦେଖି
ଗୁରୁଜୀ ଗୁରୁମା ଖୁସିରେ
କହିଥାନ୍ତି ତୁମେ ଯଶବାନ ହେବ
ତୁମରି ଏକତା ବଳରେ ।
ଗୁରୁଜୀ ଗୁରୁମା ଶୁଭାଶୀର୍ବାଦରୁ
ମେଧାବୀ ଛାତ୍ର ଅଟୁ ଆମେ
ବାପା ମାଆଙ୍କର ଦେଶର ଜାତିର
ଟେକ ରଖିବୁ ଧରାଧାମେ ।
ବଡ଼ ଲୋକଙ୍କର ପ୍ରେରଣା କରୁଣା
ଗୁରୁ କୃପା ବିନା କେହି ବି
ଯାଶବାନ ହୋଇ ନ ଥିବେ ବୋଲି ମୁଁ
ଡେଙ୍ଗରା ବଜାଇ କହିବି ।
ତେଣୁ ଗୁରୁଙ୍କର କୃପା ଛାଇ ତଳେ
ଆଶ୍ରୟ ନେଇଥିବା ଆମେ
ମାଟିର ମାଆର ସପନ ସାକାର
କରି ପାରିବ ଆମେ ଦିନେ ।
ସବୁ ସହପାଠୀମାନଙ୍କୁ ଏ କଥା
ବୁଝାଇ କହିଲା ମାଧବ
ଶିଶୁ ମନ୍ଦିରକୁ ସବୁଠାରୁ ଭଲ-
ମନ୍ଦିର କହିଲେ ଚଳିବ ।


ଭଲ ବୁଦ୍ଧିଆ

ନିହାତି ଗରିବ ଘରର ପିଲାଟି
ଉତ୍ତମ ତାହାର ଗୁଣ
ବିଦ୍ଧିମାନ ବୋଲି ବିଦ୍ଧିଆ ନାଆଁରେ
ଡାକୁଥାନ୍ତି ପ୍ରିୟଜନ ।
ନୀତିବାଣୀ ମାନି ପ୍ରତ୍ୟେକ ସକାଳୁ
ବିଛଣା ଛାଡ଼ିଲା ପରେ
ବାପା ଓ ମାଆଙ୍କ ପାଦ ଛୁଉଁଥାଏ
ଭକ୍ତିଭରା ହୃଦୟରେ ।
ସମସ୍ତଙ୍କୁ ଖୁସି କରି ଦେଇଥାଏ
ଶାନ୍ତ ଶିଷ୍ଟ ଗୁଣ ତା'ର
ଶୁଶୁ ହେଲେ ମଧ୍ୟ ପ୍ରିୟ ହୋଇଥାଏ
ବୟୋଜ୍ୟେଷ୍ଠ ଲୋକଙ୍କର ।
ଡଉଲ ଡାଉଲ ଚେହେରା ତାହାର
କଥା କହେ ହସି ହସି
ତେଣୁ ବିଦ୍ୟାଳୟେ ଗୁରୁମାନେ ମଧ୍ୟ
ଆଦର କରନ୍ତି ବେଶି ।
ବୁଦ୍ଧିଆର ପାଠ ପଢ଼ା ରୁଚି ଦେଖି
ବୁଦ୍ଧିଆ ସାଙ୍ଗମାନେ
ବୁଦ୍ଧିଆର ଗୁଣ ଶିଖିବାକୁ ପଣ-
କରୁଥାନ୍ତି ସବୁଦିନେ ୲
ତେଣୁ ଶିଶୁଗଣ ତୁମେ ମଧ୍ୟ ଭଲ-
ଗୁଣକୁ ଆପଣାଇବ
ବଡ଼ ହେଲେ ବଡ଼ ଲୋକ ନ ହେଲେ ବି
ଭଲ ଲୋକ ବୋଲାଇବ ।


ଭଲ ବାରତା

ସୁନୀତା, ଅଜାର ଗେଲି ନାତୁଣୀଟି
ତେଣୁ ସୁନୀ ପାଇଁ କବିତା
ତା ଆଜା ଶ୍ରଦ୍ଧାରେ ଲେଖି ଦେଇଥିଲା
ଜଙ୍ଗଲ ଜନ୍ତୁଙ୍କ ବାରତା ।
ଜଙ୍ଗଲର କ୍ଷୟ ଦେଖି ଜଙ୍ଗଲର
ରାଜ ତା ପ୍ରଜାଙ୍କ ଡକାଇ
ସଭାଟିଏ କରି ଭବିଷ୍ୟତ କଥା
କହିଲା ପ୍ରଜାଙ୍କୁ ବୁଥାଇ ।
ଜଙ୍ଗଲ କଟାର ପ୍ରଭାବରେ ନିଶ୍ଚେ
ହାନି ହେବ ଆମ ସମ୍ପତ୍ତି
କେମିତି କେଜାଣି ମନୁଷ୍ୟ ବୁଝୁନି
ଜଙ୍ଗଲ କଟା ପରିଣତି ।
ରାଜା ବାଣୀ ଶୁଣି ଜଙ୍ଗଲର ରାଣୀ
ନୁଆଁଇ ଦେଇ ନିଜ ମଥା
ରାଜାଙ୍କଠୁ ଅନୁମତି ମାଗିନେଇ
କହିଲେ ମନୁଷ୍ୟଙ୍କ କଥା ।
ମନୁଷ୍ୟ ବିବେକି ହେଲେ ବି ନିଜର
ସ୍ଵାର୍ଥ ପାଇଁ କାଟେ ଜଙ୍ଗଲ
ସ୍ୱାର୍ଥାନ୍ଧ ମନୁଷ୍ୟ କେମିତି ବୁଝିବ
ଜଙ୍ଗଲ ଜନ୍ତୁଙ୍କ ବିକଳ ।
ରାଣୀ ବାଣୀ ଶୁଣି ମନ୍ତ୍ରୀ ଭାଲୁ କହେ
ମନୁଷ୍ୟ ପ୍ରତି ହୋଇ ରୋଷ
ମନୁଷ୍ଯ ଆମକୁ ହିସ୍ରିକ କହନ୍ତି
ସେମାନେ ଆମଠୁ ହିଂସ୍ରିକ ।
ସେମାନଙ୍କ ମତ ସବୁ ଶୁଣିସାରି
କିଛି ମନ୍ତବ୍ୟ ଦେବାପାଇଁ
ବିଲୁଆ ରାଜାଙ୍କୁ ଅନୁମତି ମାଗି
କହିଲା ମୁଣ୍ଡକୁ ନୁଆଇଁ ।
ଆମେ ସବୁ ମିଶି ନାନା ଜାତି ଗଛ
ଲଗାଇ ନୂତନ ଜଙ୍ଗଲ
ସୃଷ୍ଟି କଲେ ଆମ ପର ପିଢ଼ି ପାଇଁ
କରି ପାରିବା ତ ମଙ୍ଗଳ ।
ବିଲୁଆ କଥାକୁ ସମ୍ମାନ ଜଣାଇ
ବାଘ ମାମୁଁ ତାଳି ମାରିଲେ
ଜଙ୍ଗଲର କ୍ଷୟ ହେବ ନାହିଁ ଆଉ
ମନୁଷ୍ୟ ଏକଥା ବୁଝିଲେ ।


ଭଲ ରାଜା

ଜଙ୍ଗଲର ରାଜା ଅଟେ ସିଂହ ଅଜା
ବାଘ ମାମୁଁ ସେନାପତି
ଭାଲୁ ଭାଇନାଟା ବୁଦ୍ଧିମାନ ବୋଲି
ବେଲାଉଛି ମହାମନ୍ତ୍ରୀ ।
ଗୁପ୍ତଚର ପରି ବିଲୁଆ ନନାଟା
କହୁଛି ଗୁପ୍ତ ଖବର
ସେଥିପାଇଁ ସବୁ ଲୋକ କହୁଛନ୍ତି
ବିଲୁଆ ଭାରି ଚତୁର ।
ମଲ୍ଲଯୋଦ୍ଧା ପରି ଜଙ୍ଗଲରେ ମଲ୍ଲ
ହୋଇଛନ୍ତି ଗଜରାଜ
ରାଜଙ୍କର ପରିବହନ ଦାୟିତ୍ଵ
ନେଇ ଚାଲିଥାଏ ଗଧ ।
ରାଜଦୂତ ଭଳି ଘୋଡ଼ା ବୁଲିବୁଲି
କହେ ଜଙ୍ଗଲ ଜନ୍ତୁଙ୍କୁ
ଯଦି କା'ର କିଛି ସମସ୍ୟା ରହିଛି
ଦେଖା କରନ୍ତୁ ରାଜାଙ୍କୁ ।
ଘୋଡ଼ା କଥା ଶୁଣି ଠେକୁଆ ବିଚରା
ରାଜାଙ୍କ ପାଖକୁ ଯାଇ
ପ୍ରଥମେ ରାଜାଙ୍କୁ ପ୍ରଣାମ କରିଲା
ନିଜ ପରିଚୟ ଦେଇ ।
ତା'ପରେ ଠେକୁଆ ବିନୟେ କହିଲା
ଝିଅ ବାହାଘର କଥା
ଯାହା ଦରକାର ସବୁ ଦେବାପାଇଁ
କଥା ଦେଇଦେଲେ ରାଜା ।
ରାଜା କଥା ଶୁଣି ଠେକୁଆ ବିଚାର
ଆନନ୍ଦେ ଘରକୁ ଗଲା
ଅଳ୍ପ ଦିନ ପରେ ଝିଅ ବାହାଘର
ଧୁମ୍ ଧାମ୍ ରେ କରିଲା ।
ଠେକୁଆ ଝିଅର ବାହାଘର ଭୋଜି-
ଖାଇ ଯାଇଥିଲେ ରାଜା
ତେଣୁ ସେ ରାଜାଙ୍କୁ ଦେବତା ଭଳିଆ
ମାନୁଥିଲେ ସବୁ ପ୍ରଜା ।


ଭଲ ବିଚାର

ମୂଷା ଛୁଆଙ୍କ ଦୁଷ୍ଟାମି ଖେଳ
ମାଆ ମୂଷାଟି ଦେଖି
ଶୁଭାଶୀର୍ବାଦ ଦେଉଥିଲା ସେ
ଦୁଇ ହାତକୁ ଟେକି ।
ସେତିକି ବେଳେ ଛପି ଛପି କା
ଆସିଲା ଗୋଟେ ପୁଷି
ମୂଷା ଛୁଆଟି ନେଇ ଖାଇଲା
ଅନ୍ଧାର କୋଣେ ବସି ।
ସେ ଦୃଶ୍ୟ ଦେଖି ମାଆ ମୂଷାର
ଖୁସି ଉଭେଇ ଗଲା
ବାକି ଛୁଆଙ୍କ ସାଙ୍ଗରେ ନେଇ
ତା' ଘରେ ପାସିଗଲା ।
ନିଜ ଘରର ଭିତର ପଟୁ
ଦୁଆର ମୁଦି ଦେଇ
ଛୁଆ ହରାଇଥିବା ଦୁଃଖରେ
କାନ୍ଦିଲା କଇଁ କଇଁ ।
ମାଆ ଦୁଃଖରେ ଦୁଃଖିତ ହୋଇ
କାନ୍ଦିଣ ଛୁଆମାନେ
କହନ୍ତି ବିଭୁ ଏଭଳି ଦୁଃଖ
ନ ଦିଅନ୍ତୁ କା ମନେ ।
ସେଇ ମୂଷାଙ୍କ ଘର ବାହାରେ
ଛପି ବିଲେଇ ନାନୀ
ମୂଷା ଛୁଆଙ୍କ ବେଦନାଭରା
ମହତ ବାଣୀ ଶୁଣି ।
ସେହି ଦିନଠୁ ଶିକ୍ ଆହାରୀ
ହେବାକୁ କଲା ପଣ
ଭଲ ଗୁଣଟି ଆପଣାଇଲା
ଛାଡ଼ି ନୃଶଂସ ପଣ ।
ହେ ଶିଶୁଗଣ ତୁମେ ବି କିଛି
ଉତ୍ତମ ଗୁଣ ଶିଖ
ତୁମ ଜୀବନେ କାହାକୁ ତୁମେ
ଦେବନି କେବେ ଦୁଃଖ ।


ଅମ୍ଳାନ ଗୁଣ

ରାତି ପାହିଲେ ସକାଳ ହେଲେ
କାଉ ରାବେ କାଆ କା'...
ବାଛୁରି ହମ୍ବା ରଡ଼ିଲେ ଗାଇ-
ହମ୍ଵାଳି କହେ ଆ... ଆ ।
କକ୍ ର କଅ କୁ କୁକୁଡ଼ା ଡାକେ
ମେଣ୍ଡା କରେ ମେଏଁ ମେ
ଦିଅଁ ମନ୍ଦିରୁ କାହାଳୀ ଧ୍ବନି
ଶୁଭୁଛି ପେଏଁ ପେଏଁ ।
ଫୁଲରୁ ମହୁ ପିଉ ଆଥାନ୍ତି
ଭ୍ରମର ପ୍ରଜାପତି
ଗୃହିଣୀମାନେ ତୁଳସୀ ପୂଜା
କରନ୍ତି ନିତି ନିତି ।
ଖାଦ୍ୟ ସନ୍ଧାନେ ନିଡ଼କୁ ଛାଡ଼ି
ଉଡ଼ି ଯାଆନ୍ତି ତାକ୍ଷୀ
ଗାଡ଼ିଆ କୂଳେ ବସି ମିନକୁ
ଗିଳନ୍ତି ବକ ବକୀ ।
ସୂର୍ଯ୍ୟ ଉଦୟ ହେଲେ ଶିଶିର
ମୁକୁତା ପରି ଦିଶେ
ବସନ୍ତ କାଳେ ଆମ୍ବ ତୋଟାରୁ
ବୋଉଳ ବାସ ଆସେ ।
ବିଦ୍ୟାର୍ଥୀମାନେ ବିଛଣା ଛାଡ଼ି
ଉଠନ୍ତି ତର ତରେ
ଲେଖା ପଢ଼ାରେ ଲାଗି ପଡ଼ନ୍ତି
ସଉଚ ହେଲା ପରେ
ହେ ଶିଶୁଗଣ ତାହାଙ୍କ ଗୁଣ
ଆପଣାଇଲେ ତୁମେ
ତୁମ ଯଶର ଅମ୍ଳାନ ପଣ
ଗାଇ ପାରିବୁ ଆମେ ।


ବିଚିତ୍ର ସୃଷ୍ଟି

ଶୁଣରେ ପିଲେ ତୁମକୁ କିଛି
ଜୀବଗଣଙ୍କ ବାର୍ତ୍ତା-
କହିବି ଯାହା ନୂଆଁ ନୁହଁ ସେ
ଅତି ପ୍ରାଚୀନ କଥା ।
ସ୍ରଷ୍ଟା ହିଁ ସୃଷ୍ଟି କରି ଅଛନ୍ତି
ଅସଂଖ୍ୟ ଜୀବ ଗଣ
କାହାକୁ କିଏ ଡରିବା ପାଇଁ
କରିଛନ୍ତି ନିୟମ ।
ପୁଷିକୁ ଦେଖି ମୂଷିକ ଡରେ
କୁକୁର ଦେଖି ପୁଷି
ଡରିଲେ ମଧ୍ୟ କିଛି ଭେଳିକି
ଦେଖାଏ ଆମ ପୁଷି ।
ପ୍ରାଣ ବିକଳେ ଦଉଡ଼େ ମୃଗ
ବାଘକୁ ଦେଖୁ ଦେଖୁ
ସାପ ଦଉଡ଼ି ପଳାଇଯାଏ
ଦେଖିଲେ ମୟୂରକୁ ।
ସାପ ଦେଖିଲେ ଡରୁଛି ବେଙ୍ଗ
ବେଙ୍ଗ ଖାଏ ପତଙ୍ଗ
ଶିକାରୀ ଦେଖି ଡରନ୍ତି ପକ୍ଷୀ
ମିନକୁ ଗିଳେ ବଗ ।
ଖାଦ୍ୟ ଖାଦକ ଭାବରେ ବଞ୍ଚି-
ଅଛନ୍ତି ଜୀବଗଣ
ବିଚିତ୍ର ସୃଷ୍ଟି ସ୍ରଷ୍ଟାଙ୍କ ନୀତି-
ନିୟମ ସମ୍ବିଧାନ ।


ଆଈଙ୍କ ଫେସନ

ଆଈର ମୁଣ୍ଡର କେଶ
ଝୋଟ ପରି ହୋଇ ଗଲାଣି
ତଥାପି ଆଈଙ୍କ ଫେସନ୍ ଆଜାଙ୍କ
ମନକୁ ନେଉଛି କିଣି ।
ଆଈ ନିତି ତା'ର କେଶେ
କି ତେଲ ଲଗାଏ କେଜାଣି
ଏମିତି ସେ କେଶ ମହକୁଛି ଯାହା
ଅଜା ଜାଣି ପାରନ୍ତିନି ।
ଆଈର ପାଟିର ଦାନ୍ତ
ଯିହୁତକ ଝଡ଼ି ଗଲାଣି
ପାକୁଆ ଗାଲରେ ପାଉଡ଼ର ମାଖେ
ଆଜାଙ୍କର ଆଜ୍ଞା ମାନି ।
ଅଜାଙ୍କ ଗାଲର ଚର୍ମ
ଓହଳିଣ ଝୁଲିଲାଣି
ଡାହାଣ ହାତରେ ଘଣ୍ଟା ବାନ୍ଧୁଛନ୍ତି
ଆଈଙ୍କର କଥା ମାନି ।
ଭାରି ରସିକିଆ ଅଜା
ବୟସ ସତୁରି ହେଲାଣି
କୁତ୍ରିମ କଳାରେ କେଶ କଳା ପରି
ଦେଖାନ୍ତି ସେ ତାଙ୍କ ଠାଣି ।

ବୋଉ

ଧରା ପରି ମୋ ବୋଉର ସହିବା ଶକ୍ତି
ସେହି ଶକ୍ତି ମୋ ହୃଦୟେ ଭରିଛି ଭକ୍ତି ॥
ଦୟା କ୍ଷମାର ସାଗର ଶାନ୍ତ ମୂରତି
ତା କରଛୁଆଁରେ ମିଳେ ଅନେକ ଶାନ୍ତି ॥
ମୁଁ ରୁଷିଲେ ସ୍ନେହ କରି ବୁଝାଇ ଦିଏ
ପୁଣି ଖୁସି କରି ମୋତେ ହସାଇ ଥାଏ ॥
ରାତିରେ ମୁଁ ଛାଇ ଦେଖି କରିଲେ ଭୟ
ଛାତିକି ଲଗାଇ ଧରି ଦିଏ ଅଭୟ ॥
ମୁଁ କାନ୍ଦିଲେ ମୋ ବୋଉର ଆଖିରୁ ଲୁହ
ଝରି ଓଦା ହେଉଥାଏ ତା'ର ହୁଦୟ ॥
ମୋ ବୋଉର କୋଳ ସ୍ନେହ ଶ୍ରଦ୍ଧାର ଦୋଳି
ଅମାପ ଖୁସି ପାଏ ସେ ଦୋଳିରେ ଝୁଲି ॥
ରାତିରେ ମୁଁ ନ ଖାଇଲେ ମୋତେ କାଖେଇ
ଖୁଆଇ ଦିଏ ମୋ ବୋଉ ଜହ୍ନ ଦେଖାଇ ॥
ବରଷା ଖରାକୁ ତା'ର ପଣତ ଛାଇ
ସୁରକ୍ଷା କବଚ ପରି ସୁରକ୍ଷା ଦେଇ ॥
ବିଦ୍ୟାଳୟ ଯିବାପାଇଁ ଯେବେ ମୁଁ ରୁଷେ
ଆଦରେ ବୁଝାଇ ବୋଉ କହେ ହରଷେ ॥
ପାଠ ପଢ଼ିଲେ ଜାଣିବୁ ଅନେକ କଥା
ଆଜିର ଶିଶୁ କାଲିର ଭାଗ୍ୟ ବିଧାତା ।


ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର
ଗୁରୁ ହିଁ ମୁକତି ଦାତା
ଗୁରୁଙ୍କର ଅତି ପ୍ରିୟ ଶିଷ୍ୟ ସିନା
ହୁଅନ୍ତି ଜଗତ ଜିତା ।

ସବୁ ଗୁରୁ ଜନ୍ମ ହୋଇଛନ୍ତି ସେହି
ପୂଜ୍ୟା ଜନନୀ ଜଠରୁ
ତେଣୁ ଗୁଣୀ ଜ୍ଞାନି ସମସ୍ତେ କହନ୍ତି
ଜନନୀ ପ୍ରଥମ ଗୁରୁ ।

ପିତା ସୁଶାସକ ହେଲେ ବି ଅନେକ
ଉପଦେଶ ଦେଇଥାନ୍ତି
ପିତା ସ୍ଵର୍ଗ ସମ ଅମାପ ଅସୀମ
ଦ୍ଵିତୀୟ ଗୁରୁ ଅଟନ୍ତି ।

ବିଦ୍ୟାଳୟଠାରେ ଯେ ଅତି ଶ୍ରଦ୍ଧାରେ
ସ୍ନେହ କରନ୍ତି ଅନେକ
ସେ ମାର୍ଗ ଦର୍ଶକ ପ୍ରେରଣା ଦାୟକ
ତୃତୀୟ ଗୁରୁ ଶିକ୍ଷକ ।

ପରମ୍ପରା ପାଳି ମାନବ ସମାଜ
କର୍ଣ୍ଣ ଗୁରୁ କରିଥାନ୍ତି
ସେ କର୍ଣ୍ଣ ଗୁରୁଙ୍କୁ କୁଳ ଗୁରୁ ଭାବେ
ଉଚ୍ଚ ସମ୍ମାନ ଦିଅନ୍ତି ।

ଚରାଚରାଦିର ବିଶ୍ଵ ବ୍ରହ୍ମାଣ୍ଡର
ସ୍ରଷ୍ଟା ମୁଖ୍ୟ ଶ୍ରଷ୍ଠ ଗୁରୁ
ଗୁରୁ ଭାବେ କଏ ନ ଥିଲେ ସୃଷ୍ଟିରେ
ସୃଷ୍ଟି ସ୍ରଷ୍ଟାଙ୍କ ପୂର୍ବରୁ ।


କିଏ ହେବ ବଡ଼

ମାଘ ଶୁକ୍ଳ ଶ୍ରୀପଞ୍ଚମୀ ତିଥିରେ
ବିଦ୍ୟାଦାତ୍ରୀ ଉଭା ଧରା ବୁକୁରେ ।
ସେହି ଦିନଠାରୁ ଏହି ତିଥିରେ
ପ୍ରତି ବର୍ଷ ପ୍ରତି ବିଦ୍ୟାଳୟରେ ॥

ଛାତ୍ରଛାତ୍ରୀ ଗଣ ଏକତ୍ର ହୋଇ
ସେ ମହାମାୟୀଙ୍କ ମହିମା ଗାଇ ।
ତାଙ୍କ ଶ୍ରୀଚରଣେ ବିନୟ ହୋଇ
ପ୍ରଣତି ଢାଳନ୍ତି ମୁଣ୍ଡ ନୁଆଁଇ ॥

ସୁଦ୍ଧ ମନେ କିଛି ଅଳି କରନ୍ତି
ବିଦ୍ୟାର୍ଥୀ ବିକଳେ ବିଦ୍ୟା ମାଗନ୍ତି ।
ବିଦ୍ୟାଦାତ୍ରୀ କୃପା ଯିଏ ପାଇଛି
ତାକୁ ଜ୍ଞାନୀ ବୋଲି ଲୋକେ କହନ୍ତି ।।

କାଳିଆ ବଳିଆ ଆରତୀ ପୂଜା
ମିଟୁ ମଣ୍ଡୁ ମୁନା ମାମିନୀ ଲିଜା ।
କହିଥିଲେ ବୋଲି ସାରଳା ପୂଜା
ଆନନ୍ଦେ ଉଡ଼ାନ୍ତି ସଫଳ ଧ୍ବଜା ॥

ନିଜେ ପଢୁଥିବା ବିଦ୍ୟାଳୟରେ
ସରଳାଙ୍କ ପୂଜା କରିଲା ପରେ ।
ଯିଏ ପାଠ ପଢୁଥିବ ଶ୍ରଦ୍ଧାରେ-
ସିଏ ବଡ଼ ହେବ ଭବିଷ୍ୟତରେ ॥

ତେଣୁ ହେ ବାଳକ ବାଳିକାଗଣ
ପାଠ ପଢ଼ା ରୁଚି କର ଦ୍ଵିଗଣ ।
ଅପାଠୁଆ ଅନ୍ଧ-ଜନଙ୍କ ମାନ
ଉଣା ରହିଥାଏ ସାରା ଜୀବନ ॥


ଉତ୍ତମ ବିଦ୍ୟାର୍ଥୀ

ମର୍ତ୍ତେ ସ୍ଵର୍ଗ ପରି ଗୋଟିଏ ଗାଆଁ
ଇନ୍ଦ୍ରପୁର ସେହି ଗାଆଁର ନାଆଁ ॥

ସେହି ଗାଆଁର ପ୍ରଶାନ୍ତି ନଗରେ
ନଗର ବାସୀଙ୍କର ପ୍ରିୟାସରେ ॥

ଗଢ଼ା ହୋଇଥିଲା ଅତି ଉତ୍କୃଷ୍ଣ
ପୁରଷୋତ୍ତମ ନାମେ ବିଦ୍ୟାପୀଠ ॥

ସେ ବିଦ୍ୟାପୀଠର ମହିମା ମାନ
କହୁଥିଲେ ସେହି ଅଞ୍ଚଳ ଜନ ॥

ପ୍ରଥମଠୁ ସପ୍ତମ ଶ୍ରେଣୀ ଯାଏଁ
ଛାତ୍ରମାନଙ୍କ ପାଠ ପଢ଼ା ହୁଏ ॥

ସେ ବିଦ୍ୟାଳୟର ଛାତ୍ରଙ୍କ ଭକ୍ତି
ଦେଖି ଗୁରୁମାନେ ସ୍ନେହ କରନ୍ତି ॥

ସେଠିକାର ଗୁରୁମାନେ ବରିଷ୍ଠ
ଛାତ୍ରମାନେ ମଧ୍ୟ ଅତୀ ଉତ୍କୃଷ୍ଟ ॥

ଉତ୍କୃଷ୍ଟ ମଧ୍ୟେ ଶ୍ରେଷ୍ଠ ଦୁଇଜଣ
ସାଗର ସମୀର ଦୁହିଁଙ୍କ ନାମ ॥

ଶାନ୍ତ ଶିଷ୍ଟ ଦୁଇ ଜଣ ବାଳକ
ଦୁହିଁଙ୍କର ଭଲ ଗୁଣ ଅନେକ ॥

ବାପା ଓ ମାଆଙ୍କ ପାଦ ଛୁଅନ୍ତି
ନିୟମିତ ବିଦ୍ୟାଳୟ ଯାଆନ୍ତି ॥

ଅତି ସରଳ ସଚୌଟତା ପଣେ
ପ୍ରମତି ଢାଳନ୍ତି ଗୁରୁ ଚରଣେ ॥

ଦୁହିଁଙ୍କର ଗୁରୁ ଭକ୍ତି ଉତ୍ତମ
ପାଠ ପଢ଼ିବା ରୁଚି ଅନୁପମ ॥

ପରୀକ୍ଷାର ସର୍ବାଧିକ ନମ୍ବର
ଆଣି ଥାଆନ୍ତି ସାଗର ସମୀର ॥

ଦୁହିଁଙ୍କ କଥା ଅତି ମିଠା ଲାଗେ
କଳି କରନ୍ତି ନାହିଁ କାହା ସଙ୍ଗେ ॥

ତେଣୁ ଶିଶୁଗଣନ ହୋଇ ଦୁଷ୍ଟ
ମନ ଧ୍ଯାନ ଦେଇ ପଢ଼ିବ ପାଠ ॥

ସାରର ସମୀର ପରି ଉତ୍ତମ
ବିଦ୍ୟାର୍ଥୀ ହେବାକୁ କର ଉଦ୍ୟମ ॥

ବାପା, ବଉ, ଗୁରୁଜନଙ୍କ କଥା
ମାନିଲେ ହୋଇବ ଜଗଜ ଜିତା ॥

ଆଜି ସିନା ତୁମେ ଶିଶୁ ଆମର
ରକ୍ଷକ ହେବ ଆସନ୍ତା କାଲିର
ହୋଇପାର ତୁମେ ଭାଗ୍ଯ ବିଧାତା
ଚିର ସ୍କୃତି ହେଉ ତୁମ ଦକ୍ଷତା ॥


ପୂର୍ବଜଙ୍କ ସ୍କୃତି

ଯେତେ କହିଲେ ବି କେବେ ସରିବନି
ପୂର୍ବଜଙ୍କ ଗୁଣ ଗାଥା
ଯାହାଙ୍କ ପ୍ରୟାସ ସ୍ଵାଭିମାନୀ ଗୁଣେ
ପାଇଛ ଭାରତ ମାତା ।

ଆମେ ଯେତେ ସବୁ ଭାରତରେ ଜନ୍ମ
ପ୍ରକୃତରେ ଭାଗ୍ୟବାନ
ଆମର ପୂର୍ବଜ ବୁଦ୍ଧିଜୀବୀମାନେ
ଆମକୁ ହେଲେ ସ୍ଵାଧୀନ ।

ଗୋରା ସରକାର କବଳରୁ ମୁକ୍ତ-
କରି ଭାରତ ମାତାକୁ
ସ୍ଵାଭିମାନୀ ହୋଇ ବଞ୍ଚିବାର କଳା
ଶିଖାଇ ଗଲେ ଆମକୁ ।

ଭାରତର ମାନ ରଖିବାକୁ ପ୍ରାଣ-
ଦେଇଥିଲେ ଯେଉଁମାନେ
ସେମାନଙ୍କ ସ୍ମୃତି ସାଉଁଟି ଉତ୍ସବ
ପାଳନ କରୁଛି ଆମେ ।

ସେମାନଙ୍କ ଭଳି ସାହସୀ ସଂଗ୍ରାମୀ
ହୋଇ ପାର ଯଦି ତୁମେ
ପୂର୍ବଜଙ୍କ ପରି ଚିର ସ୍ମରଣୀୟ-
ହୋଇପାର ଧରା ଧାମେ ।

   କିଏ ସେ ?

ଜାତିର ଜନକ ଜାତିର ତିଳକ
ଜାତିର ମଉଡ଼ ମଣି
ଶାନ୍ତି ଆବାହକ ଶାନ୍ତିର ପ୍ରତୀକ
ଶାନ୍ତି ସମ୍ପଦର ଖଣି ।
ବୁଦ୍ଧି ଜ୍ଞାନ ବଳେ ଅହିଁସା ଶସ୍ତ୍ରରେ
ହିଂସାକୁ ଜାଣିଲା ପରେ
ହିଁସା ଶିରେ ପାଦ ରଖି ଚାଲୁଥିଲେ
ବିଜୟର ଉଲ୍ଲାସରେ ।
ଜାତିର ଜୀବନ ଜାତିର ସମ୍ମାନ
ଜାତୀୟ ଭାବନା ଗୁଣ
ଅତି ଶ୍ରେଷ୍ଠ ନିଷ୍ଠା ମହାମାନବତା
ବିଲକ୍ଷଣ ସେ ଲକ୍ଷଣ ।
ନିଜ ସ୍ଵାର୍ଥ ବଳି, ତ୍ୟାଗ ବ୍ରତ ପାଳି
କରୁଥିଲେ ଜାତି ଚିନ୍ତା
କିଏ ସେ ଯାହାକୁ ଜାତୀୟ ସ୍ତରରେ
କହନ୍ତି ଜାତିର ପିତା ।
ଜାତିପାଇଁ ତାଙ୍କ ଅବଦାନ ଯାହା
ତୁମେ ପାରିବନି କଳି
କିଏ ସେ ମହାତ୍ମା ତାଙ୍କ ଗୁଣଗାଥା
କୁହରେ, ଅଫୁଟା କଳି ।
ସେହି ଭଳି ମହା ମାନବଙ୍କ ଗୁଣ
ଆପଣାର କଲେ ତୁମେ
ନିଶ୍ଚିତେ ଜାତୀୟ ସ୍ତରେ ସନ୍‌ମାନ
ଅରଜି ପାରିବ ତୁମେ ।

ଗୁରୁ ଜଣାଣ

ହେ ଗୁରୁଜୀ ଗଣ
ଆପଣମାନଙ୍କ ପାଦେ କରୁ ଜଣାଣ ହେ... (ଘୋଷା)
ଆପଣମାନେ ତ ଜ୍ଞାନର ପ୍ରତୀକ
ଆମ୍ଭୁଙ୍କ ଦେଇପାର ଦିବ୍ୟଜ୍ଞାନ
ଆମେ ତ ଅଜ୍ଞାନୀ ଅଟୁ (୨ଥର) ଶିଶୁ ସୁମନ । (୧)
ଅଜ୍ଞାନ ଅନ୍ଧାର ଦୂର କରିବାକୁ
ଆପଣ ସମର୍ଥ ବୋଲି ଆପଣଙ୍କୁ
ନେହୁରା ହୋଇ କହୁଛୁ (୨ଥର) ଘେନ ଜଣାଣ । (9)
ଜ୍ଞାନ ଆଲୋକ ଜାଳିଦିଅ ପ୍ରଭୁ
ମୁକ୍ତି କରିଦିଅ ଅଜ୍ଞାନ ଅନ୍ଧାରୁ
ତବ ଆଜ୍ଞା ମାନିଥିବୁ (୨ଥର) ସାରା ଜୀବନ। (୩)
ଗୁରୁ କୃପା ବେଳେ ପଙ୍ଗୁ ଲଘେଂ ଗିରି
ଏହି କଥା ଲୋକ ମୁଖୁ ଶୁଣିକରି
ଅଳି କରୁଅଛୁ ଆମେ (୨ଥର) ଗୁହାରି ଶୁଣ । (୪)

Comments

Post a Comment

Popular Posts